Odisha news

ପ୍ରଥମାଷ୍ଟମୀକୁ ନେଇ ଚଳଚଞ୍ଚଳ ଗାଁଠୁ ସହର, ଏଣ୍ଡୁରି ପିଠା ପାଇଁ ବଢ଼ିଲା ହଳଦୀ ପତ୍ରର ଚାହିଦା 

0
ବାଲିଗୁଡ଼ା: ୨୮/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆଙ୍କ ପାରମ୍ପରିକ ଗଣପର୍ବ ପ୍ରଥମାଷ୍ଟମୀକୁ ଆଉ ଅଳ୍ପ ଦିନ ବାକି। ଏହି ପର୍ବକୁ ନେଇ ଏବେଠାରୁ ଗାଁଠୁ ସହର ସବୁଠି ଦେଖିବାକୁ ମିଳିଲାଣି ଉତ୍ସାହ ଓ ଆନନ୍ଦର ମାହୋଲ। ଘରର ବଡ଼ ପୁଅ ଓ ଝିଅଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଓ ଉତ୍ତମ ଭବିଷ୍ୟତ କାମନା କରି ପରିବାର ପକ୍ଷରୁ ପାଳନ କରାଯାଉଥିବା ଏହି ପରମ୍ପରାକୁ ନେଇ ଘରେ ଘରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ପ୍ରଥମାଷ୍ଟମୀ କହିଲେ ମନକୁ ଆସେ ସୁସ୍ୱାଦୁ ଏଣ୍ଡୁରି ପିଠାର କଥା। ହଳଦୀ ପତ୍ରରେ ଗୁଡ଼ାଇ ପ୍ରସ୍ତୁତ ହେଉଥିବା ଏହି ପାରମ୍ପରିକ ପିଠାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ଏଣ୍ଡୁରି ପିଠାର ସ୍ୱାଦ ସହ ହଳଦୀ ପତ୍ରର ମନମୋହକ ବାସ୍ନା ଏହି ପର୍ବକୁ ଆହୁରି ନିଆରା କରିଥାଏ। ତେଣୁ ପର୍ବ ପୂର୍ବରୁ ହଳଦୀ ପତ୍ରର ଚାହିଦା ବଜାରରେ ବେଶ୍ ବୃଦ୍ଧି ପାଇଛି। ବିଶେଷକରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ହଳଦୀ ପତ୍ର ପ୍ରତି ରାଜ୍ୟର ବିଭିନ୍ନ ଅଞ୍ଚଳର ବ୍ୟବସାୟୀଙ୍କ ଆଗ୍ରହ ବଢ଼ିଛି। ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ସଂଗୃହୀତ ହଳଦୀ ପତ୍ର ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଟନ୍‌ ଟନ୍‌ ପରିମାଣରେ ଯୋଗାଣ ହେଉଛି। ପ୍ରଥମାଷ୍ଟମୀ ଯେତିକି ପାଖେଇ ଆସୁଛି, ସେତିକି ବଢ଼ୁଛି ହଳଦୀ ପତ୍ରର ବଜାର ଚାହିଦା। ଏହାକୁ ନେଇ ଜିଲ୍ଲାର ହଳଦୀ ପତ୍ର ସଂଗ୍ରହକାରୀ ଓ ବ୍ୟବସାୟୀ ମାନେ ମଧ୍ୟ ଏବେ ବେଶ୍ ବ୍ୟସ୍ତ। ତେବେ ଏତେ ପରିମାଣ ରେ ହଳଦୀ ପତ୍ର ବାହାର ଜିଲ୍ଲାକୁ ଯୋଗାଣ ହେଉଥିଲେ ମଧ୍ୟ ଏହାର ପ୍ରକୃତ ଲାଭ ଉତ୍ପାଦକ ଓ ସଂଗ୍ରହ କାରୀଙ୍କ ନିକଟରେ ପହଞ୍ଚୁନଥିବା ଅଭିଯୋଗ ହେଉଛି। ମଧ୍ୟସ୍ଥି ଓ ବ୍ୟବସାୟୀଙ୍କ ମାଧ୍ୟମରେ ହଳଦୀ ପତ୍ର ବିକ୍ରି ହେଉଥିବାରୁ ଚାଷୀମାନେ ଏହାର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ବଜାରରେ ଚାହିଦା ବଢ଼ିବା ସହ ବ୍ୟବସାୟୀଙ୍କ କାରବାର ବୃଦ୍ଧି ପାଉଥିଲେ ମଧ୍ୟ ଏହାର ଲାଭ ଚାଷୀଙ୍କ ପାଇଁ ସେହି ଅନୁପାତରେ ବଢ଼ୁନାହିଁ। କନ୍ଧମାଳ ଜିଲ୍ଲାର ହଳଦୀ ପତ୍ର ରାଜ୍ୟର ବିଭିନ୍ନ ବଜାରରେ ଚାହିଦା ସୃଷ୍ଟି କରୁଥିବା ବେଳେ ଏହାର ସଠିକ୍ ବଜାରୀ କରଣ, ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ଚାଷୀଙ୍କୁ ସିଧାସଳଖ ବଜାର ସହ ଯୋଡ଼ିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ନଚେତ୍ ପର୍ବପର୍ବାଣୀ ଆସିଲେ କନ୍ଧମାଳର ଉତ୍ପାଦ ପାଇଁ ଚାହିଦା ବଢ଼ିବ, କିନ୍ତୁ ଏହାର ପ୍ରକୃତ ଲାଭରୁ ଉତ୍ପାଦକମାନେ ବଞ୍ଚିତ ହୋଇ ରହିବେ। ପର୍ବର ଖୁସି ବଢ଼ାଉଛି କନ୍ଧମାଳ ହଳଦୀ ପତ୍ର, ହେଲେ ଚାଷୀଙ୍କ ଭାଗ୍ୟ ବଦଳିବ କେବେ?
Ad2
Leave A Reply