ବାଲିଗୁଡ଼ା:୨୭/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ସହ ଚାଷୀଙ୍କୁ ଆଧୁନିକ ଜ୍ଞାନ କୌଶଳ ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ବାଲିଗୁଡ଼ା ଟାଉନ୍ ହଲ୍ ସଭାଗୃହ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା (MOPSM) ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ନୂତନ ପଦ୍ଧତି, ଉଦ୍ୟୋଗ ସୃଷ୍ଟି ଏବଂ ଚାଷୀଙ୍କ ଆର୍ଥିକ ସ୍ୱାବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରତିନିଧି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାହୁ ଯୋଗଦେଇଥିବା ବେଳେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଅଶୋକ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଲମ୍ବୋଦର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବ୍ଲକ ଅଧ୍ୟକ୍ଷା ମିଶାବତୀ ମଳିକ, ବାଲିଗୁଡ଼ା ବିଡିଓ ଅକ୍ଷୟ କୁମାର ମଳିକ ଏବଂ ବ୍ଲକ ମତ୍ସ୍ୟ ଅଧିକାରୀ ବିଶ୍ୱରଞ୍ଜନ ଖେତୀ ଯୋଗ ଦେଇଥିଲେ। ଅତିଥି ମାନେ ନିଜ ବକ୍ତବ୍ୟରେ ମତ୍ସ୍ୟଚାଷ ଓ ପଶୁପାଳନକୁ ଜୀବିକାର ଏକ ଉତ୍ତମ ମାଧ୍ୟମ ଭାବେ ଗ୍ରହଣ କରିବା ସହ ସରକାରୀ ସହାୟତା ଓ ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ପ୍ରାଣୀ କଲ୍ୟାଣ ଯୋଜନା ଏବଂ ଜାତୀୟ ପ୍ରାଣୀଧନ ମିଶନ ଆଦି ସରକାରୀ ଯୋଜନାର ଉଦ୍ଦେଶ୍ୟ, ସୁବିଧା ଓ ଲାଭ ଉଠାଇବାର ପ୍ରକ୍ରିୟା ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଯାଇଥିଲା। ମେଳା ପରିସରରେ ମିଶନ ଶକ୍ତି, ମିଲେଟ ମିଶନ, ମତ୍ସ୍ୟ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ସମେତ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ୍ ଖୋଲାଯାଇ ବିଭିନ୍ନ ଯୋଜନା, ଉତ୍ପାଦ ଓ ଚାଷ ପ୍ରଣାଳୀ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା। ଏହା ଚାଷୀଙ୍କୁ ନୂତନ ଜ୍ଞାନ ଓ ଅନୁଭୂତି ହାସଲ କରିବାର ସୁଯୋଗ ଦେଇଥିଲା। ମେଳାର ଅନ୍ୟତମ ଆକର୍ଷଣ ଥିଲା ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ସଫଳତା ହାସଲ କରିଥିବା ହିତାଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା l ନିଜସ୍ୱ ଉଦ୍ୟମ, ଅଭିଜ୍ଞତା ଓ ନବସୃଜନ ମାଧ୍ୟମରେ ସଫଳତା ପାଇଥିବା ଚାଷୀଙ୍କୁ ୧୦+୧ ୟୁନିଟ୍ କ୍ଷମତା ବିଶିଷ୍ଟ ଘୁଷୁରି ପାଳନ ପାଇଁ ବାଲିଗୁଡ଼ା ଏନ୍ଏସି ଡୁମୁଡ଼ିସାହି ର ରଞ୍ଜନ ନାୟକ, ୩୦+୨ ୟୁନିଟ୍ କ୍ଷମତା ବିଶିଷ୍ଟ ଛେଳି ପାଳନ ପାଇଁ ବାଲିଗୁଡ଼ା ଏନ୍ଏସି ନୂଆସାହି ର ସିଦ୍ଧେଶ୍ୱର ଅମାୟତ, ମତ୍ସ୍ୟ ପୋଖରୀ ଯୋଜନାରେ ସଫଳ ମତ୍ସ୍ୟଚାଷ ପାଇଁ ବାଲିଗୁଡ଼ା ଏନ୍ଏସି ବାନ୍ଦାପଙ୍ଗା ର ପ୍ରମିଳା ମଲ୍ଲିକ, ମତ୍ସ୍ୟ ପୋଖରୀ ଯୋଜନାରେ ମତ୍ସ୍ୟଚାଷ ପାଇଁ ସିନ୍ଧ୍ରିଗାଁ ପଞ୍ଚାୟତ ଅନ୍ଧାରିଗାଁ ର ସାନୁରା ମଲ୍ଲିକଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର, ଉତ୍ତରୀୟ ଓ ୨ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ମଞ୍ଚ ପରିଚାଳନା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଚିନ୍ତାମଣି ରଣା କରିଥିବା ବେଳେ ବ୍ଲକର ସମସ୍ତ ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏଭଳି ମେଳା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଅଭିଜ୍ଞତା ଆଦାନ ପ୍ରଦାନ, ନୂତନ ଜ୍ଞାନ କୌଶଳର ପ୍ରସାର ଏବଂ ମତ୍ସ୍ୟ ଓ ପଶୁପାଳନକୁ ଆୟ ବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ କରିବା ଦିଗରେ ଏହି ପ୍ରୟାସ ଫଳପ୍ରଦ ହେବ ବୋଲି ଆଶା ପ୍ରକାଶ ପାଇଛି।
