– ୬ ଲକ୍ଷରୁ ଅଧିକ ଗାଁରେ ପହଞ୍ଚିବା ସହିତ ସମୁଦ୍ର ଓ ସୀମାନ୍ତ ଅଞ୍ଚଳକୁ ମଧ୍ୟ ଯୋଡ଼ିବାର ଭିଜନ୍
– ଆଇଏମ୍ସିର ଥିମ୍ “ସ୍କେଲ୍ ୱିଦାଉଟ୍ ବାଉଣ୍ଡ୍ରିଜ୍”, ଜିଓର ଲକ୍ଷ୍ୟ ସ୍ଥଳରୁ ମହାକାଶ ପର୍ଯ୍ୟନ୍ତ
ନୂଆଦିଲ୍ଲୀ, ୦୮ ଅକ୍ଟୋବର, ୨୦୨୬: ଭୂଭାଗରେ ମୋବାଇଲ୍ ନେଟୱର୍କ ଓ ଫାଇବର୍ ପରେ ଏବେ ଜିଓର ଲକ୍ଷ୍ୟ ମହାକାଶ ଉପରେ। କମ୍ପାନୀ ପ୍ରାୟ ୧,୬୦୦ଟି ସାଟେଲାଇଟ୍କୁ ନେଇ ଏକ ପ୍ରସ୍ତାବିତ କନ୍ଷ୍ଟେଲେସନ୍ ଏବଂ ଭାରତରେ ୨୩ଟି ଗ୍ରାଉଣ୍ଡ ଷ୍ଟେସନ୍ ପ୍ରସ୍ତୁତ କରିବାର ଯୋଜନା ଉପରେ କାମ କରୁଛି। ଲକ୍ଷ୍ୟ ହେଉଛି ସେହି ସବୁ ଅଞ୍ଚଳକୁ କନେକ୍ଟିଭିଟି ପହଞ୍ଚାଇବା, ଯେଉଁଠାରେ ସ୍ଥଳଭିତ୍ତିକ ନେଟୱର୍କର ପହଞ୍ଚିବା କଷ୍ଟକର। ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ୍ ୨୦୨୬ରେ ଜିଓ ଏହାର ସାଟେଲାଇଟ୍ ଭିଜନ୍ ପ୍ରଦର୍ଶିତ କରିଛି।
ଜିଓ ଏହାକୁ “ସୋଭରେନ୍ ସାଟେଲାଇଟ୍ କନେକ୍ଟିଭିଟି’ ନାମ ଦେଇଛି। ଏହା ଅଧୀନରେ ପ୍ରାୟ ୧,୬୦୦ଟି ଲୋ ଆର୍ଥ ଅର୍ବିଟ୍ (ଏଲଇଓ) ସାଟେଲାଇଟକୁ ନେଇ ଏକ ପ୍ରସ୍ତାବିତ କନ୍ଷ୍ଟେଲେସନ୍ ପ୍ରଦର୍ଶିତ କରାଯାଇଛି। ଡିଜାଇନ୍, ଇଞ୍ଜିନିୟରିଂ, ଇଣ୍ଟିଗ୍ରେସନ୍ ଓ ଟେଷ୍ଟିଂଠାରୁ ଆରମ୍ଭ କରି ଲଞ୍ଚ୍, ସ୍ଥାପନା ଓ ଅପରେସନ୍ ପର୍ଯ୍ୟନ୍ତ ସମଗ୍ର ଶୃଙ୍ଖଳା ଉପରେ ଭାରତରେ ନିୟନ୍ତ୍ରଣ ରଖିବା ହେଉଛି କମ୍ପାନୀର ଭିଜନ୍।
ଏହି ଯୋଜନାରେ ପ୍ରସ୍ତାବିତ ୨୩ଟି ଗ୍ରାଉଣ୍ଡ ଷ୍ଟେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ଷ୍ଟେସନ୍ଗୁଡ଼ିକ ସାଟେଲାଇଟ୍ ନେଟୱର୍କକୁ ଭାରତର ଭୂଭାଗ ସହ ଯୋଡ଼ିବ। ଏଥିସହ ସାଟେଲାଇଟ୍ ନେଟୱର୍କ ଓ ଜିଓର ବର୍ତ୍ତମାନର ସ୍ଥଳଭିତ୍ତିକ ନେଟୱର୍କକୁ ଏକାଠି ଯୋଡ଼ିବାର ଯୋଜନା ରହିଛି।
ଜିଓର ଡିସ୍ପ୍ଲେରେ ଶତ ପ୍ରତିଶତ ଭୂଭାଗ ଓ ସାମୁଦ୍ରିକ ଅଞ୍ଚଳର କଭରେଜ୍ ସହ ୬ ଲକ୍ଷରୁ ଅଧିକ ଗାଁରେ ପହଞ୍ଚିବାର ଭିଜନ୍ ପ୍ରଦର୍ଶିତ ହୋଇଛି। ଦୁର୍ଗମ ଗାଁ, ଦ୍ୱୀପାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଆଉଟପୋଷ୍ଟଗୁଡ଼ିକ ଏହାର ପ୍ରମୁଖ ଫୋକସରେ ରହିଛି। ଏହା ବ୍ୟତୀତ ଏଣ୍ଟରପ୍ରାଇଜ୍, ରିମୋଟ୍ ସାଇଟ୍, ଏଭିଏସନ୍, ମାରିଟାଇମ୍, ସରକାରୀ ବିଭାଗ ଓ ସଂସ୍ଥା, ପ୍ରତିରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାରର ସମ୍ଭାବନା ଦର୍ଶାଯାଇଛି। ଗ୍ରାମାଞ୍ଚଳ ପାଇଁ ଡାଇରେକ୍ଟ-ଟୁ-ଡିଭାଇସ୍ କଲିଂର ମଧ୍ୟ ଉଲ୍ଲେଖ ରହିଛି।
ଏଥର ଇଣ୍ଡିଆ ମୋବାଇଲ୍ କଂଗ୍ରେସ୍ର ଥିମ୍ ହେଉଛି “ସ୍କେଲ୍ ୱିଦାଉଟ୍ ବାଉଣ୍ଡ୍ରିଜ୍”। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆଇଏମ୍ସିର ୧୦ମ ସଂସ୍କରଣର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଥିମ୍ ପାରମ୍ପରିକ ସୀମାକୁ ଅତିକ୍ରମ କରି ଟେକ୍ନୋଲୋଜି ଓ କନେକ୍ଟିଭିଟିକୁ ଆଗକୁ ନେବାର ଚିନ୍ତାଧାରାକୁ ସାମ୍ନାକୁ ଆଣିଛି। ଜିଓର ସାଟେଲାଇଟ୍ ପ୍ଲାନ୍ ଏହି ଚିନ୍ତାଧାରାର ଏକ ବୈଷୟିକ ଉଦାହରଣ ଭାବେ ଦେଖାଯାଉଛି, ଯେଉଁଠାରେ ଟାୱାର୍ ଓ ଫାଇବରର ସୀମା ପରେ ମହାକାଶ ମାଧ୍ୟମରେ ନେଟୱର୍କକୁ ଆହୁରି ଆଗକୁ ବଢ଼ାଇବା ପାଇଁ ପ୍ରସ୍ତୁତି ଚାଲିଛି।
ବର୍ତ୍ତମାନ ୧,୬୦୦ଟି ସାଟେଲାଇଟ୍ ଓ ୨୩ଟି ଗ୍ରାଉଣ୍ଡ ଷ୍ଟେସନ୍ ଉଭୟ ପ୍ରସ୍ତାବିତ ଯୋଜନାର ଅଂଶ। କିନ୍ତୁ ଦିଗ ସ୍ପଷ୍ଟ। ଜିଓ ଭୂଭାଗ ଓ ମହାକାଶର ନେଟୱର୍କକୁ ଏକାଠି ଯୋଡ଼ି କନେକ୍ଟିଭିଟିର ପରବର୍ତ୍ତୀ ସୀମାରେ ପହଞ୍ଚିବା ପାଇଁ ପ୍ରସ୍ତୁତି ଦେଖାଉଛି।
