ରାଜପଥ ଏବଂ ରେଳ ପ୍ରକଳ୍ପରେ ଆରଓବି ପାଇଁ ଅନୁମୋଦନ ପ୍ରକ୍ରିୟାକୁ ଡିଜିଟାଇଜେସନ୍ ଏବଂ ତ୍ୱରାନ୍ୱିତ କରିବା ପାଇଁ ପ୍ରିଜିମ୍-ଏସଜି ପୋର୍ଟାଲର ଶୁଭାରମ୍ଭ
ଭିତ୍ତିଭୂମି ବିକାଶରେ ଦକ୍ଷତା, ସ୍ୱଚ୍ଛତା ଏବଂ ଆନ୍ତଃ-ଏଜେନ୍ସି ସମନ୍ୱୟ ବୃଦ୍ଧି ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇ. ଟି. ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଜି ନୂଆଦିଲ୍ଲୀରେ ‘ପ୍ରିଜିମ୍-ଏସ୍. ଜି.’ (ରେଳ-ସଡ଼କ ନିରୀକ୍ଷଣ ଏବଂ ପର୍ଯ୍ୟାୟ ପରିଚାଳନା ଷ୍ଟିଲ୍ ଗ୍ରିଡର୍ସ ପାଇଁ ପୋର୍ଟାଲ୍) ପୋର୍ଟାଲର ଶୁଭାରମ୍ଭ କରିଛନ୍ତି।
ସଡ଼କ ଓଭର ବ୍ରିଜ୍ (ଆର୍. ଓ. ବି.) ନିର୍ମାଣ ସମ୍ବନ୍ଧୀୟ ପ୍ରମୁଖ ଅନୁମୋଦନ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଡିଜିଟାଇଜେସନ୍ କରିବା ପାଇଁ ପ୍ରିଜିମ୍-ଏସ୍. ଜି. ପୋର୍ଟାଲ ବିକଶିତ କରାଯାଇଛି ଏବଂ ଏଥିରେ ଗୁଣବତ୍ତା ଆଶ୍ୱାସନା ଯୋଜନା (କ୍ୟୁ. ଏ. ପି.), ୱେଲ୍ଡିଂ ପ୍ରୋସିଡିଓର ସ୍ପେସିଫିକେସନ୍ ସିଟ୍ (ଡବ୍ଲ୍ୟୁ. ପି. ଏସ୍. ଏସ୍.) ଏବଂ ଇସ୍ପାତ ଗାର୍ଡ ଗୁଡ଼ିକର ନିର୍ମାଣ ପର୍ଯ୍ୟାୟ ଯାଞ୍ଚ ମଧ୍ୟ ଅନ୍ତର୍ଭୁକ୍ତ। ଏହି ପୋର୍ଟାଲ ଦ୍ୱାରା ଅନଲାଇନରେ ଦସ୍ତାବିଜ ଦାଖଲ, ଯାଞ୍ଚ, ପ୍ରଶ୍ନ ଉଠାଇବା ଏବଂ ସମାଧାନ, ଅନୁମୋଦନ, ଯାଞ୍ଚର ସମୟ ନିର୍ଦ୍ଧାରଣ, ନିରୀକ୍ଷଣ ରିପୋର୍ଟ, ଫଟୋ, ପରୀକ୍ଷା ଫଳାଫଳ ଅପଲୋଡ କରିବା, ସମ୍ପୂର୍ଣ୍ଣ ଅଡିଟ୍ ଏବଂ ବାସ୍ତବ-ସମୟ ନିରୀକ୍ଷଣ ହୋଇପାରିବ।
ବର୍ତ୍ତମାନ, ଆର୍. ଓ. ବି. ନିର୍ମାଣ ପାଇଁ ଭାରତୀୟ ରେଳବାଇର ଏକାଧିକ ଅନୁମୋଦନ ଆବଶ୍ୟକ, ଯେପରିକି ଜେନେରାଲ ଆରେଜମେଣ୍ଟ ଡ୍ରଇଂ (ଜି.ଏ.ଡି.), ଢାଞ୍ଚାଗତ ଅଙ୍କନ, ଗୁଣବତ୍ତା ଆଶ୍ୱାସନା ଯୋଜନା (କ୍ୟୁ.ଏ.ପି.), ୱେଲ୍ଡିଂ ପ୍ରୋସିଡିଓର ସ୍ପେଶିଫିକେସନ ସିଟ୍ (ଡବ୍ଲ୍ୟୁ. ପି. ଏସ୍. ଏସ୍.) ଏବଂ ଷ୍ଟିଲ ଗ୍ରିଡର୍ସଗୁଡିକର ନିର୍ମାଣ ପର୍ଯ୍ୟାୟ ଯାଞ୍ଚ। ଜି. ଏ. ଡି. ଏବଂ ଢାଞ୍ଚାଗତ ଅଙ୍କନ ପାଇଁ ଅନୁମୋଦନ ଆର. ସି. ଏ. ଏସ୍. ପୋର୍ଟାଲ ଜରିଆରେ ପ୍ରକ୍ରିୟାକରଣ କରାଯାଉଥିବା ବେଳେ, କ୍ୟୁ. ଏ. ପି., ଡବ୍ଲ୍ୟୁ. ପି. ଏସ୍. ଏବଂ ଫାବ୍ରିକେସନ ଯାଞ୍ଚ ସମ୍ବନ୍ଧୀୟ ପ୍ରକ୍ରିୟାଗୁଡ଼ିକ ମୁଖ୍ୟତଃ ଅଫଲାଇନ କିମ୍ବା ଫିଜିକାଲ ମୋଡ ଜରିଆରେ କରାଯାଇଥାଏ। ଏହା ପ୍ରାୟତଃ ଅଂଶୀଦାରମାନଙ୍କ ମଧ୍ୟରେ ସୀମିତ ବାସ୍ତବ-ସମୟ ଟ୍ରାକିଂ ଏବଂ ସମନ୍ୱୟ ସହିତ ବିଳମ୍ବ ସୃଷ୍ଟି କରେ ।
ନୂତନ ଭାବେ ଆରମ୍ଭ ହୋଇଥିବା ପ୍ରିଜିମ୍-ଏସ୍. ଜି. ପୋର୍ଟାଲ୍ ଏକ ସମନ୍ୱିତ ଡିଜିଟାଲ ପ୍ଲାଟଫର୍ମ ପ୍ରଦାନ କରି ଏହି ଆହ୍ୱାନର ମୁକାବିଲା କରିଥାଏ, ଯାହା ସଡ଼କ ମାଲିକାନା ବିଭାଗ, ଭାରତୀୟ ରେଳବାଇ, ଠିକାଦାର, ଫାବ୍ରିକେଟର୍ସ ଏବଂ ନିରୀକ୍ଷଣ ସଂସ୍ଥା ସମେତ ସମସ୍ତ ପ୍ରମୁଖ ଅଂଶୀଦାରଙ୍କୁ ଏକାଠି କରିଥାଏ।
ଏହି ପଦକ୍ଷେପ ଅନୁମୋଦନ ଏବଂ ନିରୀକ୍ଷଣ ସମୟସୀମା ପ୍ରାୟ ୧୨ ମାସରୁ ପ୍ରାୟ ୩ ରୁ ୪ ମାସକୁ ହ୍ରାସ କରିବାରେ ସାହାଯ୍ୟ କରିବ, ଯାହା ଦ୍ୱାରା ପ୍ରକଳ୍ପର ଦକ୍ଷତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱରେ ଉନ୍ନତି ଘଟିବ। ଆର. ଓ. ବି. ଏବଂ ରେଳ ସେତୁଗୁଡ଼ିକର କାର୍ଯ୍ୟ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା, ଭିତ୍ତିଭୂମି ଯୋଗାଣକୁ ସୁଦୃଢ଼ କରିବା ଏବଂ ସାରା ଦେଶରେ ଯୋଗାଯୋଗ ବୃଦ୍ଧି କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।