Odisha news

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସାହିତ୍ୟ ସଭା ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

0

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସାହିତ୍ୟ ସଭା ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଆଜି ସଭାପତି ତାପସରାଜ୍ ମହାରଣାଙ୍କ ଆବାହନରେ ଏବଂ ପ୍ରଶାନ୍ତ କୁମାର ନାଥଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ପ୍ରସିଦ୍ଧ ସାହିତ୍ୟିକ ବିଶ୍ୱରଞ୍ଜନ ଗୋସ୍ୱାମୀ (ରଞ୍ଜନ)ଙ୍କ ରଚିତ ଚାରିଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା। ତାଙ୍କର ଓଡ଼ିଆ କ୍ଷୁଦ୍ର ଉପନ୍ୟାସ “ସଂଘର୍ଷର ପାଦଚିହ୍ନ”, କବିତା ସଙ୍କଳନ “ଛବିରେ ରଞ୍ଜନ ନୀଳ ସ୍ନେହର ବନ୍ଧନ”, ଇଂରାଜୀ କବିତା ସଙ୍କଳନ “Whispering Winds” ଏବଂ ଗଳ୍ପ ସଙ୍କଳନ “The Invisible Thread” ଏହି ଅବସରରେ ଲୋକାର୍ପିତ ହୋଇଥିଲା। ଏହି ପୁସ୍ତକଗୁଡିକ ସାହିତ୍ୟମଣ୍ଡଳୀରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ପ୍ରସିଦ୍ଧ ଅନୁବାଦିକା ଅନୁରୂପା ସିଂ, ଲେଖିକା ପ୍ରତିମା ଶତପଥୀ, ଓଡ଼ିଶାର ଭୂତପୂର୍ବ ସ୍ୱାସ୍ଥ୍ୟ ଓ ଟିକାକରଣ ପ୍ରମୁଖ ସାବିତ୍ରୀ ସେଠି ଓ ସାହିତ୍ୟିକ ସ୍ନେହଲତା ଗୋସ୍ୱାମୀ ଯୋଗ ଦେଇ ସାହିତ୍ୟର ବିଭିନ୍ନ ଦିଗ ପ୍ରତି ତାଙ୍କର ମତାମତ ପ୍ରକାଶ କରିଥିଲେ। ଅତିଥି  ବୃନ୍ଦ ବିଶ୍ୱରଞ୍ଜନ ଗୋସ୍ୱାମୀଙ୍କ ରଚନାଶୈଳୀ ଓ ସୃଜନଶୀଳତାକୁ ଉଚ୍ଚ ପ୍ରଶଂସା କରିଥିଲେ।

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ଦୁର୍ଗେଶ ନନ୍ଦିନୀ, ବିଶ୍ୱଭାରତୀ ଗୋସ୍ୱାମୀ, ଯାଜ୍ଞସେନୀ ପଣ୍ଡା,  ତାପସରାଜ୍ ମହାରଣା ଓ ପ୍ରଶାନ୍ତ କୁମାର ନାଥ , ବିଶ୍ୱ ରଞ୍ଜନ ଗୋସ୍ୱାମୀ, ଗୋବିନ୍ଦ ବାରିକ ପ୍ରମୁଖ ନିଜ ନିଜ ସର୍ଜନା ପାଠ କରିଥିଲେ, ଯାହା ଉପସ୍ଥିତ ସାହିତ୍ୟପ୍ରେମୀମାନଙ୍କ ଭଳି ପ୍ରଶଂସା ଲାଭ କରିଥିଲା।

ଏହି ସାହିତ୍ୟ ସଭାରେ ଓଡ଼ିଆ ସହିତ ଅନେକ ଅଣଓଡ଼ିଆ ସାହିତ୍ୟପ୍ରେମୀମାନେ ମଧ୍ୟ ଉପସ୍ଥିତ ଥିଲେ, ଯାହା ସାହିତ୍ୟ ପ୍ରତି ସମସ୍ତଙ୍କ ଆକର୍ଷଣକୁ ପ୍ରକାଶ କରିଥିଲା। ଏହାସହ ଜୟଚନ୍ଦ୍ର ମୁନି, ସ୍ୱପ୍ନା କୁମାର, ଦେବୀଦତ୍ତ, ଦୀପକ କୁମାର, ରାଜଲକ୍ଷ୍ମୀ, ବୈଷ୍ଣବୀଙ୍କ ସମେତ ଅନେକ ସାହିତ୍ୟପ୍ରେମୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଗରିମାମୟ କରିଥିଲା।

ସମଗ୍ର କାର୍ଯ୍ୟକ୍ରମଟି ଏକ ସୁନ୍ଦର ସାହିତ୍ୟିକ ପରିବେଶ ସୃଷ୍ଟି କରି ପ୍ରବାସରେ ଏକ ଭାଷା ସଂସ୍କାରର ବୀଜ ରୋପଣ କରିବା ସହିତ  ଉପସ୍ଥିତ ସମସ୍ତ ସାହିତ୍ୟାନୁରାଗୀଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ଆଗାମୀ ଦିନରେ ମଧ୍ୟ ଏପରି ସାହିତ୍ୟିକ କାର୍ଯ୍ୟକ୍ରମ , ଅନୁବାଦ କର୍ମଶାଳା ଜାରି ରହିବ ବୋଲି ସମାଜର ସଭାପତି ତାପସରାଜ୍ ମହାରଣା ମତ ପ୍ରକାଶ କରିଥିଲେ।

Leave A Reply