Odisha news

ନିଖୋଜ ଯୁବକଙ୍କ ମୃତଦେହ ପୋଖରୀ ରୁ ଉଦ୍ଧାର : ହତ୍ୟା ସନ୍ଦେହରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ତଦନ୍ତ

0
ବାଲିଗୁଡ଼ା, ତା, ୧୨/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା  ଶଙ୍ଖାରାଖୋଲ ଗ୍ରାମର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଗୁରୁବାର ଅଡାବାଡି ପୋଖରୀ ରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଭେଙ୍କେଟ ପତି ନିତାନ୍ତ ପ୍ରଧାନ (୩୦)। ସେ ଶଙ୍ଖରାଖୋଲ ଗ୍ରାମପଞ୍ଚାୟତ ସରପଞ୍ଚ ଜାନକୀ ପ୍ରଧାନ ଓ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅନୁରୂଧ ପ୍ରଧାନଙ୍କ ପୁତ୍ର।ସୂଚନା ଅନୁଯାୟୀ, ଚଳିତ ମାସ ୧୧ ତାରିଖ ସକାଳେ ନିତାନ୍ତ ପ୍ରାତଃ ଭ୍ରମଣରେ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ନପାଇବାରୁ ୧୧ ତାରିଖ ଦିନ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ସଂକ୍ରାନ୍ତରେ ଏକ ନିଖୋଜ ମାମଲା ୬/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିଲା।ଗୁରୁବାର ସ୍ଥାନୀୟ ଲୋକେ ଅଡାବାଡି ପୋଖରୀ ରେ ଏକ ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ପକ୍ଷରୁ ମୃତଦେହକୁ ଚିହ୍ନଟ କରାଯିବା ସହ ମାଆ ଜାନକୀ ପ୍ରଧାନ ପୁନର୍ବାର ଥାନାରେ ହତ୍ୟା ସନ୍ଦେହ କରି ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ଟିକାବାଲି ପୋଲିସ ମାମଲା ନଂ ୪୦/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରିବା ସହ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ଡକାଇ ଛାନଭିନ୍ ଆରମ୍ଭ କରିଛି।ଖବର ପାଇ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଟିକାବାଲି ଅଗ୍ନିଶମ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି।ଶେଷ ସୂଚନା ସୁଦ୍ଧା, ପୋଲିସ ସମସ୍ତ ପ୍ରମାଣ ସଂଗ୍ରହ କରୁଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଜଣେ ବିବାହିତ ଯୁବକ ତଥା ସ୍ଥାନୀୟ ସରପଞ୍ଚଙ୍କ ପୁଅଙ୍କର ଏଭଳି ରହସ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
Leave A Reply