Odisha news

ଚୋରା ମଦ କାରବାରକୁ ନେଇ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

0

ତିହିଡିÿ, ୧୮/୦୫(ଯଦୁମଣି ପାଣିଗ୍ରାହୀ): ତିହିଡି ଓ ପୀରହାଟ ଥାନା ଇଲାକାରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବ୍ୟାପକ ଭାବେ ଚାଲିଛି । ତେବେ ଏଥିନେଇ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଯାହାକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଚୋରା ମଦର ବ୍ୟାପକ କାରବାର ହେତୁ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ସାମାଜିକ ପରିବେଶ ନଷ୍ଟ ହେବାରେ ଲାଗିଛି । ଅନ୍ୟପକ୍ଷେ ବିଗତ ଦିନରେ ଘଟି ଯାଇଥିବା ମଦ ମୃତୁ୍ୟର ପୁନରାବୃତ୍ତି ଘଟିବାର ସମ୍ଭାବନା ବି ସୃଷ୍ଟି ହୋଇଛି । ସୂଚନା ଅନୁସାରେ ତିହିଡି ଓ ପୀରହାଟ ଥାନା ଇଲାକାରେ ବିଭିନ୍ନ ସ୍ଥାନରେ ଚାହା ଓ ପାନ ଦୋକାନ ମାନଙ୍କରେ ଖୋଲା ଖୋଲି ଭାବେ ଚୋରା ମଦ କାରବାର ବଳବତ୍ତର ରହିଛି । ତେବେ ଏଭଳି ଚୋରା ମଦ କାରବାରକୁ ରୋକିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସେବା ସଙ୍ଗଠନ, ମହିଳା ଗୋଷ୍ଠୀ ଓ ବୁଦ୍ଧିଜୀବୀ ମାନେ ପ୍ରଶାସନକୁ ନିବେଦନ କରିଥିଲେ ବି ପ୍ରଶାସନ ଚୋରା ମଦ କ୍ଷେତ୍ରରେ ସ୍ଥାଣୁ ଅବସ୍ଥାରେ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ସେହିପରି ଚୋରା ମଦ କାରବାର ଉପରେ ରୋକ ଲଗାଇବା ପାଇଁ ବରିଷ୍ଠ ସମାଜସେବୀ ତଥା ସୂଚନା କର୍ମୀ ନିର୍ମଳ ସେନାପତିଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଗଠନର ପ୍ରତିନିଧି ଗତ ୨୭-୦୮-୨୪ରେ ତିହିଡିରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣିରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏଥିନେଇ ଜିଲ୍ଲା ଅବକାରୀ ଅଧିକାରୀଙ୍କ ସହ ଦୁଇ ଥାନା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଲାଗି ଆଦେଶ ଦେଇଥିଲେ । ମାତ୍ର ଏଥିରୁ କୌଣସି ସୁଫଳ ନ ମିଳିବାରୁ ପୁନଶ୍ଚ ଶ୍ରୀ ସେନାପତି ଗତ ୩୦-୧୨-୨୪ରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣିରେ ତିହିଡି ଓ ପୀରହାଟ ଥାନା ଅଧିକାରୀ ଓ ତିହିଡି ଅବକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଗତ କରିଥିଲେ । ଦରଖାସ୍ତ ସଂଖ୍ୟା ୭୨/୪୩୮୯ ମୂଳେ ନିଜେ ଆରକ୍ଷୀ ଅଧିକ୍ଷକ ଏହାର ତଦନ୍ତ ଭାର ହାତକୁ ନେଇଥିଲେ । ମାତ୍ର ବିଡମ୍ବନା ଏହିକି ଯଥା ସମୟରେ ଦରଖାସ୍ତ ଜିଲ୍ଲାପାଳଙ୍କ ଅଫିସରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ଥିଲେ ବି ଦୀର୍ଘ ପାଞ୍ଚ ମାସ ମଧ୍ୟରେ ଦରଖାସ୍ତ ଏସପିଙ୍କ ଟେବୁଲ ଉପରକୁ ଆସିପାରିଲା ନାହିଁ । ତେଣୁ କାର୍ଯ୍ୟାନୁଷ୍ଠାନକୁ କିଏ ପଚାରେ । ଯାହା ଫଳରେ ଚୋରା ମଦ କାରବାର ପୂର୍ବବତ୍ ଚାଲୁରହିଛି । ସବୁଠୁ ବଡକଥା ହେଉଛି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଯେତିକି ମଦ ବିକ୍ରି ହେଉଛି ତା’ର ଚାରି ଗୁଣା ମଦ ଗାଁ ଠାରୁ ପୁଣି ସହର ବଜାରରେ ଚୋରାରେ ବିକ୍ରି ହେଉଛି । ପୋଲିସ ଓ ଅବକାରୀ ବିଭାଗର ପ୍ରତ୍ୟକ୍ଷ ସହଯୋଗରେ ମଦ ମାଫିଆ ମାଲେମାଲ ହେଉଥିବା ବେଳେ ସରକାର ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଚୋରା ମଦ କାରବାର ରାକିବାକୁ ପଦକ୍ଷେପ ନେବାକୁ ଶ୍ରୀ ସେନାପତି ଦାବି କରିଛନ୍ତି ।

Nalco
Leave A Reply