ତିହିଡି,୩୧/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ କୋହ୍ଲ ପଞ୍ଚାୟତର ସଦର ବଜାର ଉପରେ ଥିବା ପୁରାତନ ନବଗ୍ରହ ମନ୍ଦିରଟିକୁ ହାତେଇବାକୁ ଟ୍ରଷ୍ଟ ବୋର୍ଡ ଗଠନ ଏକ ଷଡଯନ୍ତ୍ର ବୋଲି ସ୍ଥାନୀୟ ଗ୍ରାମବାସୀ, ମନ୍ଦିରର ମାର୍ଫତଦାର ଓ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଶୁକ୍ରବାର ଦିନ ନବଗ୍ରହ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କିଛି ନ୍ୟସ୍ତସ୍ୱାର୍ଥ ଲୋକ କିଭଳି ଜାଲିଆତି ପୂର୍ବକ ଏକ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି ସେଥିନେଇ ସେମାନେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକଙ୍କ ଦାନ ଅବଦାନରେ ପରିଚାଳିତ ବହୁ ପୁରାତନ ଏହି ନବଗ୍ରହ ମନ୍ଦିରକୁ କରାୟତ୍ତ କରିବାକୁ କିଛି ବ୍ୟକ୍ତି ନବଗ୍ରହ ଠାକୁର ସେବାସଂଘ ଗଠନ କରି ତିହିଡି ଉପନିବନ୍ଧକଙ୍କ ଠାରେ ଏକ ଦଲିଲ ସମ୍ପାଦନ କରିବା ସହିତ ଦେବତ୍ତୋର ଇନିସପେକ୍ଟରଙ୍କୁ ହାତ କରି ଟ୍ରଷ୍ଟବୋର୍ଡ ଗଠନ କରିଛନ୍ତି । ଏହି ଟ୍ରଷ୍ଟ ଗଠନ ସମ୍ପର୍କରେ ମନ୍ଦିରର ପୂଜକ ଗଣ, ମନ୍ଦିର ପାଇଁ ଜମି ଦାନକାରୀ, ମନ୍ଦିର ନିର୍ମାଣକାରୀ ସର୍ବୋପରି ଗ୍ରାମବାସୀ ମାନେ ଆଦୌ ଅବଗତ ନାହାନ୍ତି କି ସରକାରୀ ଭାବେ ବି ସେମାନଙ୍କୁ କୌଣସି ସୂଚନା ଦିଆଯାଇନି । ସେହିପରି ମନ୍ଦିରର ମାର୍ଫତଦାର ମାନେ ଟ୍ରଷ୍ଟ ଗଠନ ନେଇ ଅନୁମତି ପ୍ରଦାନ ବି କରିନାହାନ୍ତି । ଅନ୍ୟପକ୍ଷେ ଟ୍ରଷ୍ଟବୋର୍ଡ ଗଠନ ନେଇ ଯେଉଁସବୁ ଆନୁଷଙ୍ଗିକ ନୀତିନିୟମ ପାଳନ ଓ କାଗଜପତ୍ର ସମ୍ପାଦନର ଆବଶ୍ୟକତା ରହିଛି ତାହାକୁ ସଠିକ୍ ଭାବେ ଅନୁସରଣ କରାଯାଇନି । ସେହିପରି ଯେଉଁ ୫୬ ଜଣଙ୍କ ଦସ୍ତଖତ ଏଥିରେ ରହିଛି ସେହି ଲୋକମାନଙ୍କର ଠିକଣା କି ଫୋନ ନମ୍ବର ପ୍ରସ୍ତୁତ କାଗଜପତ୍ରରେ ଉଲ୍ଲେଖ କରାଯାଇନାହିଁ । ତେଣୁ ସଂପୂର୍ଣ୍ଣ ଚଞ୍ଚକତା ପୂର୍ବକ ଏହି ଟ୍ରଷ୍ଟବୋର୍ଡ ଗଠନ କରାଯାଇ ଥିବାରୁ ଏହାର ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ପୂର୍ବରୁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । ସମସ୍ତଙ୍କ ଅଗୋଚରରେ ତଥା ଅତ୍ୟନ୍ତ ଗୋପନୀୟ ଭାବେ ଗଠିତ ଏଭଳି ଟ୍ରଷ୍ଟ ବୋର୍ଡ ସେମାନଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି ବୋଲି ବରିଷ୍ଠ ସାହିତି୍ୟକ ନିର୍ମଳ ସେନାପତି, ଆଇନଜୀବୀ ବିପ୍ଳବ ନାୟକ, ଜିତେନ୍ଦ୍ର ଗ୍ରହାଚାର୍ଯ୍ୟ, ଗୁରୁପଦ ସାହୁ, ଗୌରାଙ୍ଗ ସେନାପତି, ଉଦୟ ଦାସ, ରଣଜିତ ବଳ, ବିଷ୍ଣୁଚରଣ ଗ୍ରହାଚାର୍ଯ୍ୟ, ମହେଶ୍ୱର ଗ୍ରହାଚାର୍ଯ୍ୟ, ପ୍ରଶାନ୍ତ ବଳ, କୈଳାସ ବଳ, ନିରାକାର ସେନାପତି, ସୁବୋଧ ନାୟକ ଓ ଭାଗିରଥି ଗ୍ରହାଚାର୍ଯ୍ୟ ପ୍ରମୁଖ ବହୁ ଗ୍ରାମବାସୀ ମତପ୍ରକାଶ କରିବା ସହିତ ଏହାର ନିରପେକ୍ଷ ତଦନ୍ତ କରି ଷଡଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।
