Odisha news

ସଂରକ୍ଷିତ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର , ବୈଶିଙ୍ଗା ପୁଲିସର ତଦନ୍ତ ଜାରି

0

ବେତନଟୀ : ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଧୀନ ମେର୍ଦା ସଂରକ୍ଷିତ ଜଙ୍ଗଲରେ ପଡ଼ିଥିବା ଏକ ନରକଙ୍କାଳକୁ ଦେଖି ଶୁକ୍ରବାରଅପରାହ୍ନ ତିନିଟାରେ ସ୍ଥାନୀୟଲୋକେ ବୈଶିଙ୍ଗା ପୁଲିସକୁ ଖବର ଦେଇଛନ୍ତି l ସୂଚନା ମୁତାବକ ମେର୍ଦାଗାଁର ଦେବୁଛକ ଠାରୁ ପ୍ରାୟ ଦେଢ଼ଶହମିଟର ଦୂର ଜଙ୍ଗଲ ଭିତରେ ଏକ ନରକଙ୍କାଳ ପଡ଼ିଥିବାର ଶୁକ୍ରବାର ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ l ଜଙ୍ଗଲ ଭିତରେ ଏଭଳି ନର କଙ୍କାଳ ପଡ଼ିଥିବାର ଦେଖି ଲୋକଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଛି l ଜଙ୍ଗଲରେ ପଡ଼ିଥିବା ନରକଙ୍କାଳ ଠାରୁ ଅନତିଦୂରରେ ଶାଢ଼ୀ, ଠେଙ୍ଗା ଏବଂ ମହିଳା ଚପଲ ପଡ଼ିଥିବାର ଦେଖିବାକୁ ମିଳିଛି l ପାରିପାର୍ଶ୍ଵିକ ସ୍ଥିତିରୁ ଏହା ମହିଳାଙ୍କ କଙ୍କାଳ ହୋଇଥିବାର ଅନୁମାନ କରାଯାଉଛି l    ଖବର ପ୍ରଚାର ହେବାପରେ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା l ପାଖରେ ପଡିଥିବା ଶାଢ଼ୀରୁ ସମ୍ପୃକ୍ତ କଙ୍କାଳଟି ଗ୍ରାମର ସ୍ବର୍ଗତ ବୀର ସିଂର ସ୍ତ୍ରୀ ଫୁଲମଣି ସିଂର ବୋଲି ପରିବାରଲୋକେ ଅନୁମାନ କରୁଛନ୍ତି l ପରିବାରଲୋକଙ୍କ ସୂଚନା ମୁତାବକ ଗାଁକୁ ୧୫-୨୦ଦିନ ପୂର୍ବରୁ ବଣୁଆହାତୀ ପଶିଆସିଥିବା ବେଳେ ହାତୀ ଭୟରେ ସମସ୍ତେ ଜୀବନ ବଞ୍ଚାଇ ଗାଁ ବାହାରକୁ ପଳାଇ ଯାଇଥିଲେ l ସେବେଠାରୁ ଫୁଲମଣି ନିଖୋଜ ଥିବା ପୁଅ ବାପି ସିଂ, ମିଥୁନ ସିଂ ଏବଂ ଟିଲୁ ସିଂ ସୂଚନା ଦେଇଛନ୍ତି l ପ୍ରକୃତରେ ଏହା ଫୁଲମଣିଙ୍କର କଙ୍କାଳ ନା ଆଉ କାହାର ଏବଂ ଯଦି ଏହା ଫୁଲମଣିଙ୍କର ମୃତ କଙ୍କାଳ ତାହେଲେ ବଣୁଆହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ଏଭଳି ବିଭିନ୍ନ ପ୍ରଶ୍ନ ସାମ୍ନାକୁ ଆସିଛି l ମାମଲା ରୁଜ୍ଜୁ କରି ବୈଶିଙ୍ଗା ପୁଲିସ ଏହାର ତଦନ୍ତ ଚଳାଇ ଥିବାର ଜଣାଯାଇଛି l

Nalco
Leave A Reply