Odisha news

ବିଜେପିକୁ ପ୍ରତ୍ୟାବର୍ତ୍ତନ କଲେ ପ୍ରାକ୍ତନ ସାଂସଦ ପ୍ରାର୍ଥୀ ଶରତ

0

ତିହିଡି, ୨୩/୦୫(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ସଂସଦୀୟ କ୍ଷେତ୍ରରେ ବିଜେପିର ପ୍ରାକ୍ତନ ସାଂସଦ ପ୍ରାର୍ଥୀ ଶରତ ଦାସ ବିଜେପିକୁ ପୁଣି ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅସୁରାଳି ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମରେ ସେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ପ୍ରାର୍ଥୀ ଅଭିମନୁ୍ୟ ସେଠୀ ଓ ବିଜେପିର ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସମେତ ବହୁ ପ୍ରମୁଖ କର୍ମକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା । ପରେ ସେ ନିଜ ବକ୍ତବ୍ୟରେ ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିଭିନ୍ନ କାରଣରୁ ସେ ଅଭିମାନ କରି ବିଜେଡିକୁ ଚାଲି ଯାଇଥିଲେ ସତ ହେଲେ ସବୁ ଅଭିମାନ ଭୁଲି ସେ ଏବେ ପୁଣି ଥରେ ବିଜେପିରେ ମିଶି ବେଶ ଖୁସି ଅନୁଭବ କରୁଛନ୍ତି ବୋଲି କହିଥିଲେ । ଶ୍ରୀ ଦାସ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି, ସୁବକ୍ତା ତଥା ଦକ୍ଷ ସଙ୍ଗଠକ ଭାବରେ ସମଗ୍ର ଅଞ୍ଚଳରେ ପରିଚିତ ଅଟନ୍ତି । ଗତ ୨୦୧୪ ମସିହାରେ ସେ ବିଜେପିରୁ ଭଦ୍ରକ ସାଂସଦ ପ୍ରାର୍ଥୀ ଭାବେ ଲଢେଇ କରି ୨ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ସେହିପରି ୧୯୯୭ରେ ସେ ଜିଲ୍ଲା ପରିଷଦ ସଭ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ପରେ ଦଳ ଉପରେ ଅଭିମାନ କରି ସେ ବିଜେଡିକୁ ଚାଲି ଯାଇଥିଲେ । ଏବେ ସେ ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱରେ ରହିଥିଲେ ମଧ୍ୟ ଦଳୀୟ କାର୍ଯ୍ୟଧାରା ପ୍ରତି ଅସନ୍ତୁଷ୍ଟ ଥିଲେ । ଆଜି ଶ୍ରୀ ଦାସଙ୍କ ଘର ବାହୁଡା ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଁପଡା ପଞ୍ଚାୟତ ସମେତ ଧାମନଗର ସମଗ୍ର ନିର୍ବାଚନମଣ୍ଡଳୀରେ ବିଜେପିର ସଙ୍ଗଠନ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave A Reply