Odisha news

ଉଠ ଓଡିଆ ସଙ୍ଗଠନ ପକ୍ଷରୁ ସଂକଳ୍ପ ଯାତ୍ରାର ଆୟୋଜନ : ଓଡ଼ିଶାକୁ ସ୍ବାବଲମ୍ବୀ ଓ ସମୃଦ୍ଧ କରିବା ଲକ୍ଷ୍ୟ

0

ଭୁବନେଶ୍ବର : ଓଡ଼ିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା କରି ମଧୁବାବୁ ଓ ଗୋପବନ୍ଧୁଙ୍କ ସ୍ୱପ୍ନର ଓଡ଼ିଶା ତଥା ଏକ ସ୍ବାବଲମ୍ବୀ ଓ ସମୃଦ୍ଧ ଓଡ଼ିଶା ଗଢି ତୋଳିବା ପାଇଁ ଓଡ଼ିଶା ବାସୀଙ୍କୁ ଜାଗ୍ରତ କରିବାର ଲକ୍ଷ୍ୟ ନେଇ ’ଉଠ ଓଡ଼ିଆ’ ସଙ୍ଗଠନ ପକ୍ଷରୁ ୫ ଦିନିଆ ସଂକଳ୍ପ ଯାତ୍ରାର ଘୋଷଣା କରାଯାଇଛି।

ଆଗାମୀ ୧୦ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ନିକଟରୁ ଯାତ୍ରା ବାହାରି ବୀରହରେକୃଷ୍ଣପୁର, ସୁଆଣ୍ଡୋ, ସତ୍ୟବାଦୀ, ଧଉଳି ଦେଇ ୧୪ ତାରିଖ ଦିନ ଯାତ୍ରାର ସମାପନ ଭୁବନେଶ୍ବରରେ ହେବ। ସଙ୍ଗଠନର ଶତାଧିକ ସଦସ୍ୟ ଏହି ଯାତ୍ରାରେ ଯୋଗଦେଇ ବିଭିନ୍ନ ଗାଁ ବୁଲି ଲୋକଙ୍କ ମଧ୍ୟରେ ଓଡିଆ ଅସ୍ମିତାର ବାର୍ତ୍ତା  ପ୍ରଚାର କରିବେ ।

ଏହି ଅବସରରେ ଶ୍ରୀ କାହ୍ନୁ  ଚରଣ ବେହୁରା, ସଦସ୍ୟ, ଉଠ ଓଡିଆ କହିଛନ୍ତି ଯେ,”ପ୍ରାକୃତିକ ଧନରାଜିରେ ଭରପୂର ଓଡ଼ିଶା ଆଉ ଅଳ୍ପ କେଇ ବର୍ଷପରେ ସ୍ବତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବର୍ଷ ପାଳନ କରିବ । ତଥାପି ରୁଗ୍ଣ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବେକାରୀ, ମଦ ବିଭୀଷିକା ଓ ଦାଦନ ସମସ୍ୟା ସାଧାରଣ ଓଡିଆଙ୍କୁ ଆନ୍ଦୋଳିତ କରୁଛି । ଏପରି ସାଂପ୍ରତିକ ପରିସ୍ଥିତିକୁ ନେଇ ବିଚଳିତ ଥିବା ତଥା ଏକ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ଶୁଦ୍ଧ ଓଡ଼ିଆ ପ୍ରାଣମାନଙ୍କୁ ସନ୍ଧାନ କରିବା ପାଇଁ ଉଠ ଓଡ଼ିଆ ତରଫରୁ “ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର”କୁ ଏହି ପଦଯାତ୍ରା ଆୟୋଜନ କରାଯାଉଛି।“ ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଦୁର୍ଗା ଚରଣ ଦାସ ଏବଂ ଅଶୋକ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply