Odisha news

ଅଲେଖ ମଠରୁ ଚୋରି ଘଟଣା, ୧୧ତମ ଅଭିଯୁକ୍ତ ପ୍ରଭାତ ନାଥ ଗିରଫ୍

0

ତିହିଡି, ୧୯/୦୩(ଯଦୁମଣି ପାଣିଗ୍ରାହୀ): ବର୍ଷକ ତଳେ ତିହିଡି ଥାନା ଅର୍ନ୍ତଗତ ତିହିଡି ଗାଁର ଅଲେଖ ମଠରୁ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଚୋରି ଘଟଣାରେ ଏଗାରତମ ଅଭିଯୁକ୍ତ ପ୍ରଭାତ ନାଥକୁ ଗିରଫ୍ କରିଛି ପୋଲିସ । ତିନିଦିନ ତଳେ ପ୍ରଭାତ ଖେରଙ୍ଗ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ପୋଲିସ ଉଠାଇ ଆଣିଥିଲା । ଥାନାରେ ପଚରା ଉଚୁରା ସମୟରେ ଚୋରିରେ ସଂପୃକ୍ତ ଥିବାନେଇ ଠୋସ୍ ପ୍ରମାଣ ମିଳିବା ପରେ ସୋମବାର କୋର୍ଟ ·ଲାଣ କରାଯାଇଛି । ପ୍ରଭାତ ନାଥ ବାଂଶଡା ଥାନାଧିନ ଖଦାଳପୋଖରୀ ଗାଁର ବୋଲି ଜଣାଯାଇଛି । ଉକ୍ତ ଚୋରୀ ଘଟଣାରେ ପୂର୍ବରୁ ପର୍ଯ୍ୟାୟକ୍ରମେ ୮ ଜଣଙ୍କୁ ପୋଲିସ ଗିରଫ୍ କରିଥିବା ବେଳେ ୨ ଜଣ କୋର୍ଟରେ ଆତ୍ମସମର୍ପଣ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ସୂଚନା ମୁତାବକ, ଗତ ୨୦୨୩ ମସିହା ଫେବୃଆରୀ ମାସ ୪ ତାରିଖ ଶନିବାର । ମଠର ମହନ୍ତ ଗଣେଶ ବାବାଙ୍କ ସମେତ ସମସ୍ତ ଅନୁଗାମୀ ଜୋରନ୍ଦା ମେଳାରେ ଯାଇଥିଲେ । ୬ ତାରିଖରେ ଫେରିବା ପରେ ମଠର ସମସ୍ତ ତାଲା ଭଙ୍ଗା ଯାଇଥିବା ଜଣା ପଡିଥିଲା । ଦାନଦକ୍ଷିଣାରେ ମିଳିଥିବା ୫୦ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ଜଣାଯାଇଥିଲା । ପୂର୍ବତନ ଅନୁଗାମୀ ଜୟଦେବ ଦାସଙ୍କୁ ବାବା ସନେ୍ଦହ କରିଥିଲେ । ବାବାଙ୍କ ଅଭିଯୋଗ ମୂଳେ ପୋଲିସ ପ୍ରଥମେ ଜୟଦେବଙ୍କୁ ଧରିଥିଲା । ପଚରା ଉଚୁରା କରିବା ପରେ ବହୁ ତଥ୍ୟ ସଂଗ୍ରହ କରିଥିଲା ପୋଲିସ । ଜୟଦେବ ବାବାଙ୍କ ମଠରେ ପୂର୍ବରୁ କାମଦାମ କରୁଥିବା ବିଜିପୁର ଗ୍ରାମର ଅଖୁଜା ଓରଫ୍ ଶରତ ଦାସକୁ ଅସ୍ତ୍ର କରି ଚୋରି କରାଇଥିଲା । ଅଖୁଜା ମଧ୍ୟ ନିଜ ଶଳା ଜରିଆରେ ସେସବୁ ଟଙ୍କାଙ୍କୁ ଚୋରି କରିଥିବା ପୁଲିସି ଜାଣିବାକୁ ପାଇଥିଲା । ସେମାନଙ୍କୁ ଗିରଫ୍ କରି ପୋଲିସ କୋର୍ଟ ·ଲାଣ କରି ତଦନ୍ତ ଚଳାଇଥିଲା । ଅଭିଯୁକ୍ତମାନେ ଚୋରି ଟଙ୍କାକୁ ବନ୍ଧୁବାନ୍ଧବ ଘରେ ରଖି ବାହାର ରାଜ୍ୟରେ କାମଧନ୍ଦା ଆଳରେ ରହୁଥିଲେ । ପୋଲିସ ପର୍ଯ୍ୟାୟକ୍ରମେ ଖଦାଳପୋଖରୀ, ବିଜିପୁର ଓ ଜନ୍ତୁଆଳି ଗ୍ରାମର ଟୁକୁ ଓରଫ୍ ସଞ୍ଜୟ ନାଥ, ବଟ ଓରଫ୍ ବଟକୃଷ୍ଣ ଦାସ, ସର୍ବଣା ନାଥ, ମିଲନ ଦାସ, ସର୍ବଣା ନାଥର ମାଆ ସତ୍ୟଭାମା ନାଥ, ମିଲନ ଦାସର ପ୍ରେମିକା ରଶ୍ମିିତା ଦାସଙ୍କୁ ଗିରଫ୍ କରାଯାଇଥିବା ବେଳେ ବିଜିପୁର ଗ୍ରାମର ମାୟାଧର ଜେନା ଓ ଗୋବରା ଜେନା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଇତିମଧ୍ୟରେ କେସ କ୍ଲୋଜ ହୋଇଥିଲେ ମଧ୍ୟ ୱାରେଣ୍ଟି ବଳରେ ଏଗାରତମ ଅଭିଯୁକ୍ତ ପ୍ରଭାତ ନାଥକୁ ଗିରଫ୍ କରିଛି ପୋଲିସ । ତେବେ ଉକ୍ତ ଚୋରି ଘଟଣାର ଅନ୍ୟତମ ଅଭିଯୁକ୍ତ ସନ୍ୟାସୀ ନାଥ ପୋଲିସ ଆଖିରେ ଧୂଳି ଦେଇ ଅନ୍ୟତ୍ର ରହୁଛି ଏବଂ ଖୁବ୍ ଶିଘ୍ର ତାକୁ ଗିରଫ୍ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି । ତେବେ ବିଭିନ୍ନ ଅଭିଯୁକ୍ତମାନଙ୍କ ଠାରୁ ଚୋରି ଟଙ୍କା ଓ ଉକ୍ତ ଟଙ୍କାରେ କିଣା ଯାଇଥିବା ଅଳଙ୍କାରକୁ ଜବତ୍ କରାଯାଇଛି ଯାହା ଆନୁମାନିକ ୨୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

Nalco
Leave A Reply