ବାଲିପାଟଣା : ବାଲିପାଟଣା ଥାନା ପାଲଟିଛି ଦଲାଲଙ୍କ ଆଡା ସ୍ଥଳ। ଥାନାକୁ କୌଣସି ଗୋଟିଏ ଘଟଣା ଆସିଲେ ଦଲାଲଙ୍କ ମଧ୍ୟରେ ଚାଲେ କଥା କଟା କଟି,ଦୁଇ ପକ୍ଷଙ୍କୁ , ନେଇ ଚାଲେ ଅଙ୍କ କଷା। ଘଟଣା କିଛି ନ ଥିଲେ ମଧ୍ୟ ପ୍ରତି କେସର କାଉଣ୍ଟର କେସ ହେବା ସୁନିଶ୍ଚିତ। ଯାହାକୁ ନେଇ ଆଜି ଶନିବାର ରାତି ୧୦ଟାରେ ଥାନା ପରିସରରେ ଘଟିଯାଇଛି ତୁମୁଳ ସଂଘର୍ଷ। ଏହି ସଙ୍ଘର୍ଷ ସମୟରେ ପୋଲିସ ଦୁଇ ଜଣଙ୍କୁ କାବୁ କରି ଅଟକ ରଖିଥିଲେ, ଅନ୍ୟ ଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଶନିବାର ରାତ୍ରି ପ୍ରାୟ ୧୦ଟାରେ ମୁଦୁଲି ସାହିର ଚିତ୍ତ ରଞ୍ଜନ ମୁଦୁଲି ଭୋଜି ଖାଇ ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଯୁବକ ପୂର୍ବ ଶତୃତାରୁ ଚିତ୍ତ ରଞ୍ଜନଙ୍କୁ ଥାନା ନିକଟରେ ମାଡ଼ ମାରିଥିଲେ । ଚିତ୍ତ ରଞ୍ଜନ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଥାନା ପରିସରକୁ ଦୌଡ଼ି ଆସିଥିଲେ । ମାତ୍ର ଥାନା ପରିସରରେ ତିନି ଜଣ ଯୁବକ ତାଙ୍କୁ ମାଡ ମାରି ଲହୁଲୁହାଣ କରିବା ସହ ଏକ ଇଟାରେ ଚିତ୍ତରଞ୍ଜନଙ୍କ ମୁହଁକୁ ଛେଚି ଦେଇଥିଲେ । ତେବେ ପୋଲିସ୍ ୨ ଜଣ ଯୁବକଙ୍କୁ କାବୁ କରିବା ପରେ ଥାନାରେ ଅଟକ ରଖିଥିଲେ । ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲେ। ଚିତ୍ତ ରଞ୍ଜନ ମୁଦୁଲିଙ୍କ ଅଭିଯୋଗକୁ ଭିତ୍ତି କରି କେଶ୍ ନଂ୧୦୮/୨୦୨୪ ରେ ମାମଲା ରୁଜୁ ହୋଇଛି ଓ ସେହିପରି ଗୁଆପୂର୍ ଗ୍ରାମର ଚନ୍ଦ୍ର ଶେଖର ମଲ୍ଲିକଙ୍କ ଅଭିଯୋଗକୁ ଭିତ୍ତି କରି କେଶ୍ ନ ୧୦୯/୨୦୨୪ ରେ ଏକ କାଉଣ୍ଟର କେଶ୍ ରୁଜୁ ହୋଇଛି। ତଦନ୍ତ ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
