ମୟୂରଭଞ୍ଜ ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ : ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟପାଳ
ମା’ମାନେ ହେଉଛନ୍ତି ଦେଶର ଶକ୍ତି ଏବଂ ଭବିଷ୍ୟତ ; ଚାଷୀ ମାନେ ସର୍ବଦା ସ୍ୱାବଲମ୍ବୀ ହେବା ଉଚିତ : ରାଜ୍ୟପାଳ
ବାରିପଦା : ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ଦିନ ମୟୂରଭଞ୍ଜ ଗସ୍ତରେ ଆସି, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଏବଂ କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ସକାଳେ ରାଜ୍ୟପାଳ ଶ୍ରୀ ଦାସ ବାରିପଦା ସ୍ଥିତ ପ୍ରଦକ୍ଷଣ ଗୃହରୁ କୁଜିଡିହି ଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ପରେ ଅଭିଭାବକ ଏବଂ ଅଙ୍ଗନୱାଡି କର୍ମକର୍ତ୍ତା ମାନଙ୍କ ସହିତ କଥୋପକଥନ ପରେ ଶ୍ରୀ ଦାସ କୁଜିଡିହି ଠାରେ ଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମାନଙ୍କ ସ୍ଥିତି ଏବଂ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନା କାର୍ଯ୍ୟକାରୀ ହେଉଥିବା ବିଷୟରେ ପଚାରି ବୁଝିଥିଲେ । ଏହାପରେ ଶ୍ରୀ ଦାସ କୋଷ୍ଠା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସମସ୍ତ ବିଭାଗ ପରିଦର୍ଶନ କରିବା ସହିତ ସେଠାରେ ଉପସ୍ଥିତ ସମସ୍ତ ଡାକ୍ତର, ପାରାମେଡିକ୍ସ, ଆଶା କର୍ମୀ ଏବଂ ରୋଗୀ ମାନଙ୍କ ସହିତ କଥା ହୋଇଥିଲେ ଏବଂ ସମସ୍ତ ସ୍ୱାସ୍ଥ୍ୟଗତ ସରକାରୀ ସୁବିଧା ଉପଲବ୍ଧ ହେଉଥିବା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ପରେ ପରେ କୋଷ୍ଠା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ କଥା ହୋଇଥିଲେ । ନିକଟସ୍ଥ ସାଲାସାହିରେ ଥିବା ଓରମାସ ସବାଇ କ୍ଲଷ୍ଟରର ୨୦୦ ଜଣ ମହିଳା ସ୍ୱୟଂସହାୟକ ମାନଙ୍କ କାର୍ଯ୍ୟ ବୁଲି ଦେଖିଥିଲେ । ସବାଇ ଘାସରେ ତିଆରି ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଏବଂ ଗୃହ ଉପଯୋଗୀ ସାମଗ୍ରୀ ଦେଖି ରାଜ୍ୟପାଳ ମହୋଦୟ ଅତ୍ୟନ୍ତ ଖୁସି ହୋଇଥିଲେ ଏବଂ ସମସ୍ତ ମହିଳା ସ୍ୱୟଂସହାୟକ ମା’ମାନଙ୍କ ସହିତ ସାକ୍ଷାତକାର ବାର୍ତ୍ତାଳାପ କରିଥିଲେ । ସେଠାରେ ନିଜ ବକ୍ତବ୍ୟ ରଖି ରାଜ୍ୟପାଳ ଶ୍ରୀ ଦାସ କହିଥିଲେ ଯେ, ମା’ମାନେ ହେଉଛନ୍ତି ଦେଶର ଶକ୍ତି ଏବଂ ଦେଶର ଭବିଷ୍ୟତ ଆଜିର ନାରୀର ଯୋଗଦାନ ଉପରେ ନିର୍ଭର କରେ । ସମସ୍ତ ନାରୀଙ୍କୁ ଶିକ୍ଷିତ ହେବ ଦରକାର ଏବଂ ଜଣେ ଶିକ୍ଷିତ ନାରୀ ହିଁ ପ୍ରତ୍ୟେକ ଘରର ମେରୁଦଣ୍ଡ ବୋଲି ଶ୍ରୀ ଦାସ କହିଥିଲେ । ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଉଚ୍ଚ ଶିକ୍ଷିତା ନାରୀ ଏବଂ ଏଇ ମୟୂରଭଞ୍ଜ ମାଟିର ଝିଅ ଆଜି ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବୋଚ୍ଚ ପଦବୀରେ ସ୍ଥାନିତ ଏବଂ ସେ କେବଳ ଜଣେ ନାରୀ ନୁହନ୍ତି ତ୍ୟାଗ ଏବଂ ଧୈର୍ଯ୍ୟର ଏକ ଜ୍ୱଳନ୍ତ ପ୍ରତୀକ ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ୱୟଂସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନେ ରାଜ୍ୟପାଳଙ୍କ ସହିତ ନିଜ କାର୍ଯ୍ୟ ବିଷୟରେ କଥା ହୋଇଥିଲେ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ହାତ ତିଆରି କାରୁକାର୍ଯ୍ୟ ଦେଖି ଶ୍ରୀ ଦାସ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ଏବଂ ଏହି କ୍ଷେତ୍ରରେ ଆଗକୁ ପ୍ରୋତ୍ସାହନ ପାଇଁ ମଧ୍ୟ ସରକାର ଅଧିକରୁ ଅଧିକ ହସ୍ତ ସମ୍ପ୍ରସାରଣ କରିବେ ବୋଲି କହିଥିଲେ । ଏହାପରେ ରାଜ୍ୟପାଳ, ଶୁଳିଆପଦା ବ୍ଲକ ସ୍ଥିତ ବଡଢେଙ୍କିଆ ଗ୍ରାମ ଠାରେ ଚାଷୀ ମାନଙ୍କୁ ଉଦବୋଧନ ଦେବା ସହିତ ସେହି ଗ୍ରାମର ଚାଷୀ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ । ନିଜ ଅଭିଭାଷଣରେ ରାଜ୍ୟପାଳ କହିଥିଲେ ଯେ, ଚାଷ ଏବଂ ଚାଷୀ ହେଉଛନ୍ତି ଦେଶର ଅବିବୃତ୍ତିର ମାନଦଣ୍ଡ, ଯେଉଁ ଦେଶର କୃଷକ ଯେତେ ସଶକ୍ତ ସେ ଦେଶର ଅର୍ଥନୀତି ସେତେ ସୁଦୃଢ । ମୟୂରଭଞ୍ଜ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା କାରଣ ଏଠାକାର ମୂଳ ଅଧିବାସୀ ହେଉଛନ୍ତି ଆଦିବାସୀ ଜନଜାତିର ଏବଂ ସେମାନେ କୃଷି ଉପରେ ନିର୍ଭରଶିଳ । ଦିନେ ଆମ ଦେଶର ସ୍ୱତନ୍ତ୍ରତା ପାଇଁ ଏଇ ଚାଷୀ କୁଳ ପ୍ରଥମେ ମୁଣ୍ଡ ଟେକି ଥିଲା ଏବଂ ଏହି ମୟୂରଭଞ୍ଜ ମାଟିର ଆଦିବାସୀ ମାନେ ମଧ୍ୟ ସେହି ସଂଗ୍ରାମରେ ନିଜ ଯୋଗଦାନ ଦେଇଛନ୍ତି । ଏହାସହିତ ଚାଷୀ ମାନେ ସର୍ବଦା ସ୍ୱାବଲମ୍ବୀ ହେବା ଉଚିତ ବୋଲି ସେ କହିଥିଲେ । ଏହି ସମ୍ପୂର୍ଣ୍ଣ ଗସ୍ତରେ ଜିଲ୍ଲାପ୍ରଶାସନ ମୟୂରଭଞ୍ଜ ସମସ୍ତ ଦାୟିତ୍ୱ ବହନ କରିଥିବାବେଳେ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଏସ.ସୁଶ୍ରୀ ଏହି ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏଥିସହିତ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଅଭିମନୁ୍ୟ ବେହେରା, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ ମଧ୍ୟ ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଉତ୍ତମ ସଂଯୋଜନା କରିଥିଲେ । ଏହି ସମ୍ପୂର୍ଣ୍ଣ ଗସ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ କୁମାର ଦାଶ, ଶୁଳିଆପଦା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅନୁପମା ଘୋଷ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରିଣୀ ମମତାମୟୀ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବାବେଳେ ରାଜଭବନରୁ ଆସିଥିବା ଅଧିଆକରି ଯଥା ରାଜ୍ୟପାଳଙ୍କର ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ଓ ଲୋକସମ୍ପର୍କ ଅଧିକାରୀ ରକ୍ଷକ କୁମାର ନାୟକ ପ୍ରମୁଖ ଆସିଥିବା ସୂଚନା ପ୍ରକାଶ । ମଧ୍ୟାହ୍ନରେ ରାଜ୍ୟପାଳ ଶ୍ରୀ ଦାସ ବାରିପଦା ସ୍ଥିତ ଶ୍ରୀହରି ବଳଦେବଜୀଉ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଜାମସେଦପୁର ଅଭିମୁଖେ ଯାତ୍ରା କରିଥିଲେ ।