ଆନନ୍ଦପୁର : ଆନନ୍ଦପୁର ପୌରପରିଷଦ ଫକୀରପୁରସ୍ଥିତ ସର୍ବ ପୁରାତନ ଶୈବପୀଠ ବାବା ବାଲୁଙ୍କେଶ୍ୱରଙ୍କ ବିକାଶ ଲକ୍ଷ୍ୟରେ ବିଧାୟକ ଭାଗରଥି ସେଠୀଙ୍କ ତତ୍ତ୍ଵାବଧାନରେ ଗୁରୁବାର ସ୍ଵାଗତ ତୋରଣର
ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉଭୟ ଘସିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗରଥି ସେଠୀ ଶିଳାନ୍ୟାସ ପର୍ବରେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଶୁଭ ପକାଇଥିଲେ। ଏହି ପ୍ରକଳ୍ପ ପାଇଁ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳର ବ୍ୟବସ୍ଥା କରାଯାଇଛି। ଏହାର କାର୍ଯ୍ୟ ଆନନ୍ଦପୁର ବ୍ଲକ୍ ଅଧୀନରେ ତ୍ଵରାନ୍ଵିତ କରାଯିବାର ସ୍ଥିର ହୋଇଛି। ସ୍ଵାଗତ ତୋରଣ କରିବା ପାଇଁ ମହାଦେବ ବାଲୁଙ୍କେଶ୍ଵରଙ୍କ ଠାରେ ମାନସିକ ରଖିଥିବାରୁ ନିଜସ୍ବ ପାଣ୍ଠି ବଳରେ ଏଭଳି ପଦକ୍ଷେପ ନେଇଥିବା ବିଧାୟକ ସେଠୀ କହିଛନ୍ତି । ସେହିପରି ଏହା ଏକ ସର୍ବ ପୁରାତନ ଶୈବ ପୀଠ, ଏଠାରେ ବାଲୁଙ୍କେଶ୍ଵର ମହେଶଙ୍କୁ ପୂଜାର୍ଚ୍ଚନା କରାଯାଉଥିବାବେଳେ ମାନସିକଧାରୀଙ୍କ ମନବାଞ୍ଛା ପୂରଣ ହେବାର ଅନେକ କିମ୍ବଦନ୍ତୀ ରହିଛି ଏବଂ ଏହି ଶୈବ ପୀଠର ବିକାଶ ପାଇଁ ପ୍ରାଥମିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ବୋଲି ବିଧାୟକ ପାତ୍ର ପ୍ରକାଶ କରିଛନ୍ତି। ଶିଳାନ୍ୟାସ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦପୁର ବ୍ଲକ୍ ଅଧ୍ଯକ୍ଷା ଅଞ୍ଜନା ବାରିକ, ବିଡିଓ ଯୋଗରଞ୍ଜନ ନାୟକ, ମୋଚିନ୍ଦା ସରପଞ୍ଚ ପ୍ରାନ୍ କୁମାର ମଲ୍ଲିକଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।