Odisha news

ଜାଲ ନୋଟ ଦେଇ ୨୮ଲକ୍ଷ ଠକେଇ ୫ ଅଭିଯୁକ୍ତ ଗିରଫ ,ନକଲି ନୋଟ ବଣ୍ଡଲ ଜବତ

0

ବ୍ରହ୍ମପୁର,୧୪/୧୧-  ବ୍ରହ୍ମପୁର ସହରରେ ହେରାଫେରି। ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଦିନ ଦ୍ବିପହରରେ ଜାଲ ନୋଟ୍ ଦେଇ ୨୮ଲକ୍ଷ ଟଙ୍କା ନେଇଗଲେ ଠକ ଗ୍ୟାଙ୍ଗ କବିସୂର୍ଯ୍ୟନଗରରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ପରେ ଏହି ରାକେଟ୍ ଧରାପଡିଛି। ସଂପୃକ୍ତ ମାମଲାରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ବଡ଼ବଜାର ଥାନା ଅଞ୍ଚଳର ବଦ୍ରିନାଥ ପଣ୍ଡା(୨୯) ଓ ଭବାନି ଶଙ୍କର ପଟ୍ଟନାୟକ(୨୯), କବିସୂର୍ଯ୍ୟନଗର ଥାନା ଅଞ୍ଚଳର ଅକ୍ଷୟ କୁମାର ନାୟକ(୨୯), ପୁରୁଷୋତ୍ତମପୁର ଥାନା ଅଞ୍ଚଳର ରାମଚନ୍ଦ୍ର ପଣ୍ଡା (୪୫) ଓ ନିବାଶ ନାହାକ(୪୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା.ସବଣା ବିବେକ ଏମ୍ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ଠାରୁ ଦୁଇଟି ବ୍ୟାଗ୍, ୫ଟି ମୋବାଇଲ୍ ଫୋନ୍ ଏବଂ ୮୦୦୦ଟି ୫ଶହ ଟଙ୍କିଆ ନୋଟ (୪୦ଲକ୍ଷ) ଜବତ କରାଯାଇଥିବା ସେ କହିଛନ୍ତି। ସଂପୃକ୍ତ ମାମଲାରେ ବାହାର ରାଜ୍ୟର ଦୁଇଜଣ ସଂପୃକ୍ତ ଅଛନ୍ତି। ସେମାନେ ୨୭ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିବା ପୁଲିସ ତଦନ୍ତରେ ଜଣାପଡିଛି । ରାଜ୍ୟ ବାହାରକୁ ଏହାରେ ଚେର ଲମ୍ବିଥିବା ସନ୍ଦେହ ଥୁବା ବେଳେ ଅଭିଯୁକ୍ତଙ୍କୁ ଆବଶ୍ୟକସ୍ଥଳେ ରିମାଣ୍ଡରେ ଆଣି ଅଧୂକ ତଦନ୍ତ କରାଯିବ ବୋଲି କହିଛନ୍ତି ଏସ୍‌ପି ।

ଏସ୍‌ପିଙ୍କ ସୂଚନା ପ୍ରକାରେ ଅଭିଯୁକ୍ତ ଅକ୍ଷୟ ନାୟକ ସହ ବଦ୍ରିନାଥ ପଣ୍ଡାଙ୍କ ପୂର୍ବରୁ ପରିଚୟ ଥିଲା। ସେ ଟ୍ରେଡ୍ ପ୍ରଫିଟ୍ ଫଣ୍ଡ ୟୁ-ଟର୍ଷ ଜାରିଆରେ ଅନ୍‌ସେକ୍ୟୁର ଲୋନ୍ ଦିଆଯାଉଛି ବୋଲି ବଦ୍ରିଙ୍କୁ ଜଣାଇଥିଲେ । ୯ଲକ୍ଷ ଟଙ୍କା ଦେଲେ ଦିନକ ଭିତରେ ୧୦ଲକ୍ଷ ଟଙ୍କା ଫେରସ୍ତ ହେବ ବୋଲି ଜଣାଇଥିଲେ । ବଦ୍ରି ଲୋଭରେ ପଡ଼ି ତାଙ୍କର ପରିଚିତ ତଥା ଅଭିଯୋଗକାରୀ ବ୍ରହ୍ମପୁର ଶ୍ରୀରାମନଗରର ସଚିନ ମହାପାତ୍ର (୨୯) ଓ ତାଲୁକା ଅଞ୍ଚଳର ସୂର୍ଯ୍ୟନାରାୟଣ ପାତ୍ର (୨୯)ଙ୍କୁ ଉପରୋକ୍ତ ସ୍କିମ୍ ବିଷୟରେ କହିଥିଲେ । ଦୁଇ ଅଭିଯୋଗକାରୀ ୯ଲକ୍ଷ ଲେଖାଏଁ ୧୮ଲକ୍ଷ ଟଙ୍କା ଏବଂ ଆଉ ୧୦ଲକ୍ଷ ଟଙ୍କା ମିଶାଇ ଗୋଟିଏ ବ୍ୟାଗରେ ରଖିଥିଲେ ଅଭିଯୋଗକାରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ସଚିନ ମହାପାତ୍ର । ଅଭିଯୁକ୍ତ ବଦ୍ରିଙ୍କ କହିବା ପରେ ସେମାନେ ଟଙ୍କା ବ୍ୟାଗ୍ ନେଇ କମାପଲ୍ଲୀ ଓ ପରେ ଲାଞ୍ଜିପଲ୍ଲୀ ଡିପିଏସ୍ ସ୍କୁଲ ରୋଡ଼କୁ ଆସିଥିଲେ । ସେଠାରେ ଅଭିଯୋଗକାରୀ ଗୋଟିଏ କାର୍‌ରେ ବସିଥିବା ବେଳେ ଅକ୍ଷୟ ନାୟକ ଏବଂ ରାଜ୍ୟ ବାହାରର ଦୁଇଜଣ ମହେଶ ବର୍ମା ଓ କେପି ଆସିଥିଲେ । ଅକ୍ଷୟ ଓ ମହେଶ ଅଭିଯୋଗକାରୀଙ୍କ କାର୍ ଭିତରକୁ ଯାଇ ଉପରୋକ୍ତ ଲୋନ୍ ସ୍କିମ ସମ୍ପର୍କରେ କହି ସେଠାରୁ ଚାଲିଆସିଥିଲେ । ଆଉ କିଛି ସମୟ ପରେ ଅକ୍ଷୟ ନାୟକ ସେହି କାର୍ ଭିତରକୁ ଯାଇଥିଲେ । ଅଭିଯୋଗକାରୀ ୨୮ଲକ୍ଷ ଟଙ୍କା ଦେଇଥିଲେ । ତେବେ ସେହି ବ୍ୟାଗରେ ଥିବା ଏକ ଲକ୍ଷ ଟଙ୍କା ମୂଲ୍ୟର ଶହେ ଓ ଦୁଇ ଶହ ଟଙ୍କିଆ ନୋଟ୍ ଅଭିଯୁକ୍ତ ମାନେ ଫେରାଇ ଦେଇଥିଲେ। କେବଳ ୫ଶହ ଟଙ୍କିଆ ନୋଟ୍ ଦେବାକୁ କହିଥିଲେ । ଅକ୍ଷୟ ୨୮ଲକ୍ଷ ଅସଲି ନୋଟ୍ ନେଇ ଆଉ ଗୋଟିଏ ସମାନ ବ୍ୟାଗରେ ଟଙ୍କା ଦେଇଥିଲେ । ସେହି ବ୍ୟାଗ୍ ଖୋଲି ଅଭିଯୋଗକାରୀ ଦେଖିବା ବେଳେ ଜାଲ ନୋଟ୍‌ ଦେଖିବାକୁ ପାଇଥିଲେ। ସେତେବେଳେ ରାଜ୍ୟ ବାହାରର କୁହାଯାଉଥିବବା ମହେଶ ବର୍ମା ଓ କେପି ଅସଲି ଟଙ୍କା ବ୍ୟାଗ୍ନେଇ ଫେରାର୍ ହୋଇଯାଇଥିଲେ । ଅକ୍ଷୟ ନାୟକଙ୍କୁ ସମସ୍ତେ ଘେରି ଯାଇଥିଲେ । ଟଙ୍କା ଫେରାଇବା ପରେ ସେଠାରୁ ଛାଡିବେ ବୋଲି କହିଥିଲେ । ଅକ୍ଷୟ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ତାଙ୍କ ବାପା ଦାଶରଥ୍ ନାୟକ ଜାଣିବା ପରେ ଅକ୍ଷୟଙ୍କୁ ଅପହରଣ କରାଯାଇଥିବା ନେଇ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ । କବିସୂର୍ଯ୍ୟନଗର ଥାନା ପୁଲିସ କେସ୍ ନମ୍ବର ୬୯୧/୨୦୨୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ସଚିନ ମହାପାତ୍ର, ସୂର୍ଯ୍ୟନାରାୟଣ ପାତ୍ର ଓ ବଦ୍ରିଙ୍କୁ କବିସୂର୍ଯ୍ୟନଗର ଥାନା ପୋଲିସ ନେଇ ପଚରାଉଚରା କରିବା ପରେ ଏହି ଜାଲ୍‌ ନୋଟ୍ ରାକେଟ୍ ଓ ହେରାଫେରି ସମ୍ପର୍କରେ ଧରାପଡିଥିଲା । ୨୮ଲକ୍ଷ ଟଙ୍କା ଠକେଇ ସମ୍ପର୍କରେ ସୂର୍ଯ୍ୟନାରାୟଣ
ପାତ୍ର ଓ ସଚିନ ମହାପାତ୍ର ଆଜି ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୫୮୨/୨୦୨୩ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂର୍ଯ୍ୟ ଓ ସଚିନ ୧୮ଲକ୍ଷ ଟଙ୍କା ଦେଇଥିବା ବେଳେ ବଳକା ଟଙ୍କା ଅଭିଯୁକ୍ତ ବଦ୍ରି ଦେଇଛନ୍ତି ବୋଲି ପୁଲିସ ନିକଟରେ ପ୍ରକାଶ କରିଛି। ତେବେ ସେହି ଟଙ୍କା କାହାର ତଦନ୍ତ କରାଯାଉଛି ବୋଲି ଏସ୍‌ପି କହିଛନ୍ତି। ଟାଉନ୍ ଏସ୍‌ଡିପଓ ରାଜୀବ ଲୋଚନ ପଣ୍ଡା, ବୈଦ୍ୟନାଥପୁର ଥାନା ଆଇଆଇସି ବାବା ଶଙ୍କର ସରାଫ ସହ ବହୁ ଅଧିକାରୀ ଏହି ରାକେଟ୍‌କୁ ଧରିଥିଲେ। କାମ କରିଥିଲେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ଏଭଳି ଠକେଇ ପ୍ରଥମ ଥର କରିଛନ୍ତି ନା ପୂର୍ବରୁ ବି କରିଛନ୍ତି ତାହାର ତଦନ୍ତ କରାଯାଉଛି। ଅନ୍ୟପକ୍ଷରେ ଜବତ ହୋଇଥିବା ନୋଟ୍ ସିନେମା ସୁଟିଂ ଏବଂ ପିଲାଙ୍କ ଖେଳନା ଭାବେ ବିକ୍ରି ହୋଇଥାଏ।
ଯଦି ଏହି ନୋଟ୍ କେହୁଁଠି ଛପାଯାଇଥିବା ସୁରାକ୍ ମିଳେ ତାହେଲେ ତାହାମଧ୍ୟ ତଦନ୍ତ ପରିସର ହେବ ବୋଲି କହିଛନ୍ତି ଏସ୍‌ପି ଡା. ସବଣା। ବ୍ରହ୍ମପୁରରେ ଜାଲ୍ ନୋଟ୍
ଗ୍ୟାକେଟ୍ ପୂର୍ବରୁ ବି ଧରାପଡିଛି । ଅସଲି ନୋଟ୍ ଭଳି ଛପା ଯାଇଥିବା ନୋଟ୍‌କୁ ୨୦୧୮ରେ ଜବତ କରିଥିଲା ବ୍ରହ୍ମପୁର ପୁଲିସ। ସେହି ଲିଙ୍କ୍ ମଧ୍ୟ ପୁଲିସ ଖୋଜୁଛି ।

Leave A Reply