ଆଠଗଡ ୧୨/୧୦/୨୩: ଆଠଗଡ଼ର ଆରାଧ୍ୟ ଶ୍ରୀଶ୍ରୀ ଧବଳେଶ୍ବର ମହାପ୍ରଭୁଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଧବଳେଶ୍ବର ମନ୍ଦିର ପରିସରରେ ଜିଲ୍ଲାପାଳ କଟକ ଡ଼ଃ ଭବାନୀ ଶଙ୍କର ଚୟନିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପଞ୍ଚକ ଯାତ୍ରା ଅନୁଷ୍ଠିତ ହେବ। ୨୫ ତାରିଖରେ ବଡ଼ଓଷା, ୨୬ ତାରିଖରେ ଗଜଭୋଗ ବିତରଣ କରାଯିବା ଓ ୨୭ ତାରିଖ ରାସ ପୂର୍ଣ୍ଣିମା ପାଳନ ହେବ। ବୈଠକ ପ୍ରାରମ୍ଭରେ ପୂଜକ ସମାଜ ସଭାପତି ବିଷ୍ଣୁ ପ୍ରସାଦ ପତ୍ରି ଶ୍ଲୋକ ପାଠ କରିଥିଲେ। ସ୍ଥାୟୀ ପୋଲ ରେ କ୍ଷମତା ଅନୁସାରେ ଯାତ୍ରୀ ମାନଙ୍କୁ ଛଡାଯିବ, ପୋଲରେ ଆବଶ୍ୟକ ଆଲୋକ ବ୍ୟବସ୍ଥା, ଯାତ୍ରୀଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟାରିକେଡ୍ ନିର୍ମାଣ ଏବଂ ପୋଲ ମଧ୍ୟରେ ବ୍ୟାରିକେଡ୍ , ବରିଷ୍ଠ ଓ ଦିବ୍ୟ।ଙ୍ଗ ଭକ୍ତଙ୍କ ପାଇଁ ଇ-ରିକ୍ସା ଚଳାଚଳ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ପୀଠ ପରିସର ମଧ୍ୟରେ ଆମ୍ବୁଲାନ୍ସ ଓ ଦମକଳ ମୁତୟନ , ଆବଶ୍ୟକୀୟ ଔଷଧ ମହଜୁଦ ସହିତ ଅଗ୍ନି ନିର୍ବାପକ ଯନ୍ତ୍ର, ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମୁତୟନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।କଟକ ପଟୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ ବୋଲି ଅତିରିକ୍ତ ଏସ.ପି ଦେବଦତ୍ତ ବରାଳ ସୂଚନା ଦେଇଥିଲେ।ଯାତ୍ରା ସମୟରେ ପୀଠ ପରିସରରେ ପରିଷ୍କାର ପରିଛନ୍ନ, ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି।ଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ସହ ବ୍ୟାପକ ପୁଲିସ ସୁରକ୍ଷା ଉପରେ ମଧ୍ୟ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଏହାଛଡ଼ା ପକେଟମାର୍ ଓ ଲୁଟେରାଙ୍କ ପାଇଁ ସାଦା ପୋଷାକଧାରୀ ପୁଲିସ ମୁତୟନ କରାଯିବା ଲାଗି ବୈଠକରେ ସ୍ଥିର ହୋଇଛି। ଟ୍ରକ ମାଲିକ ଆସୋସିଏସନ, ଖୁଣ୍ଟୁନୀ ତରଫରୁ ଭକ୍ତମାନଙ୍କୁ ପାନୀୟ ଜଳ ବିତରଣ କରାଯିବ। ଭକ୍ତ ମାନେ ବୁଡ ପକାଉଥିବା ଘାଟ ଗୁଡିକ ସଫା କରାଯିବ ସହ ବିଭିନ୍ନ ସ୍ଥାନ ମାନଙ୍କରେ ସତର୍କ ସୂଚନା ବ୍ୟାନର ଲଗାଯିବା ଲାଗି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ ସୂଚନା ଦେଇଥିଲେ।ଅନନ୍ତ ଗୋପାଳ ଭକ୍ତ ସମାଜ ଛତିଆ ବଟ ତରଫରୁ ସ୍ବେଛାସେବୀ ମୁତୟନ କରାଯିବ। ବୈଠକରେ କଟକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ରାୟ,ଉପଜିଲ୍ଲାପାଳ ଆଠଗଡ଼ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଚୌଦ୍ବାର ଏସ୍ଡ଼ିପିଓ ରମାକାନ୍ତ ନାୟକ, ଭରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳି ଚରଣ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ।ତହସିଲଦାର ଶ୍ରୀ ପ୍ରିୟବ୍ରତ ଦାସ ସ୍ୱାଗତ ଭାଷଣ ଓ ବିଡ଼ିଓ ଶ୍ରୀ ପ୍ରଦୀପ କୁମାର ସାହୁ କବିତା ପାଠ କରି ଧନ୍ୟବାଦ ଅର୍ପଣ କରିଥିଲେ। ଦେବୋତ୍ତର ବିଭାଗ ସୁପରଭାଇଜର ଶ୍ରୀ ଭବାନୀ ଶଙ୍କର ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।