ବ୍ରହ୍ମପୁର,୬/୯-ବଡ଼ବଜାର ଥାନା ଅଧିନରେ ଥିବା ଏକ ଗହଣା ଦୋକାନରୁ ଦୋକାନର ଜଣେ କ୍ୟାସିୟର ଟଙ୍କା ଓ ସୁନା ଅଳଙ୍କାର ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତ ତଥା ଉକ୍ତ ସୁନା ଦୋକାନର କେସିୟର ଲାଞ୍ଜିପଲ୍ଲୀ ରାମନଗର ଅଞ୍ଚଳର ଅାଦିତ୍ୟ କୁମାର ସାହୁଙ୍କୁ ଗିରଫ କରିଛି। ପୋଲିସ ତାଙ୍କ ନିକଟରୁ ୪୦ ହଜାର ଟଙ୍କା ଓ ୧୪.୦୪୭ ସୁନା ଚେନ୍ ଜବତ କରିଛି । ବୁଧବାର ଅଭିଯୁକ୍ତ ଅାଦିତ୍ୟଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏକ ପ୍ରେସ୍ ନୋଟ ଜରିଅାରେ ବ୍ରହ୍ମପୁର ଏସପି ଡ଼. ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ବଡବଜାରରେ ଥିବା ଜେ ଅାଣ୍ଡ ଟି ଗହଣା ଦୋକାନର ମ୍ୟାନେଜର ଶୁଭଶ୍ରୀ ଦାଶ ଦୋକାନରୁ ସୁନା ଓ ଟଙ୍କା ଚୋରି ନେଇ ଥାନାରେ ଅଭିଯୋଗ କରିଥିଲେ ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଉକ୍ତ ସୁନା ଦୋକାନରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିବା ଅାଦିତ୍ୟ କୁମାର ସାହୁ ପ୍ରଥମେ ଗତ ୩ ତାରିଖରେ ୪୦ ହଜାର ଟଙ୍କା ଓ ପରେ ଏକ ସୁନାହାର ଚୋରି କରିଥିଲେ ସୁନା ହାରକୁ ଏକ ଘରୋଇ ବ୍ୟାଙ୍କରେ ବନ୍ଧା ପକାଇଥିଲେ ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଥିଲେ ଅଭିଯୋଗ ହେବା ପରେ ପୋଲିସ ୩୨୮/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରି ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବୋଲି କହିଛି।
