ସରକାରୀ ଫାଇଲରେ ବନ୍ଦଥିବା ଲୁଣିବର ଖଣିରୁ ପଥର ଚୋରି ବେଳେ ଦୁର୍ଘଟଣା : ପଥର ତଳେ ଚାପିହୋଇ ବାଳ ଶ୍ରମିକଙ୍କ ସହ ଦୁଇ ମୃତ, ଆହତଙ୍କ ପତ୍ତା ମିଳୁନି
ଚଣ୍ଡିଖୋଲ,୩୧/୦୫ : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ସରକାରୀ ଫାଇଲରେ ବନ୍ଦଥିବା ବହୁ ଚର୍ଚ୍ଚିତ ଚଡେଇଧରା ଲୁଣିବର କଳାପଥର ଖଣିରୁ ପଥର ଚୋରି ପାଇଁ ମେସିନରେ କାମ ଚାଲିଥିଲା ବେଳେ ଦୁର୍ଘଟଣା ଘଟି ମଙ୍ଗଳବାର ରାତିରେ ଜଣେ ବାଳଶ୍ରମିକ ସହ ଦୁଇଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି! ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବା ଦୁଇଜଣ ଅତି ଗୁରୁତରଭାବେ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳୁନାହିଁ!ମୃତ ଓ ଆହତମାନେ ରାତି ପ୍ରାୟ ୧୧ଟା ବେଳେ ପ୍ରୋକଲିନ ମେସିନରେ ପଥର ତାଡୁଥିଲା ବେଳେ ହଠାତ ଉପରୁ ମାଟି ଓ ବଡବଡ ପଥରଖଣ୍ଡ ଧସି ପଡିଥିଲା! ଫଳରେ ମେସିନସହ ଶ୍ରମିକ ଓ ଏମାନେ ସମସ୍ତେ ପଥର ତଳେ ଚାପି ହୋଇ ଯାଇଥିଲେ! ଘଟଣା ସ୍ଥଳରେ ପ୍ରୋକଲିନ ଚାଳକ କେଉଁଝର ଜିଲ୍ଲା ଟେଲକୋଇ ଥାନା ସାରୁଆଳି ଗ୍ରାମର ବିଶ୍ୱନାଥ ଖିଲାରଙ୍କ ପୁଅ କାହ୍ନା ଖିଲାର (୨୭) ଙ୍କର ମୃତ୍ୟୁ ହୋଇଥିଲାବେଳେ ବାଳ ଶ୍ରମିକ ଜେନାପୁର ଥାନା ଗେଙ୍ଗୁଟିଆ ଗ୍ରାମର ଗୁରି ରାଉତଙ୍କ ପୁଅ ଆପୁ ରାଉତ (୧୬) ଓ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ! ପରେ କଟକ ବଡ ଡାକ୍ତରଖାନାରେ ଆପୁର ମୃତ୍ୟୁ ଘଟିଥିଲା! ହେଲେ ଅନ୍ୟ ଆହତ ମାନଙ୍କୁ ଖଣି ମାଲିକ କେଉଁଆଡେ ନେଇଯାଇ ଥିବାରୁ ସେମାନଙ୍କର ପତ୍ତା ମିଳିପାରି ନାହିଁ! ଏହି ଦୁର୍ଘଟଣା ସରକାରୀ ଫାଇଲରେ ଗତ ୧୧/୫/୨୦୨୨ରିଖରୁ ବନ୍ଦଥିବା ଚନ୍ଦ୍ରମଣି ପରିଡାଙ୍କ ବିଏସକ୍ୟୁ ୨ ନମ୍ବର ଖଣିରେ ଘଟିଥିବା ବେଳେ ଲୁଣିବର ବିଏସକ୍ୟୁ ୫ ନମ୍ବର ଖଣିର ଲିଜଧାରୀ ଏଠାରୁ ପଥର ଉତ୍ତୋଳନ କରୁଥିଲେ ବୋଲି ଜଣାପଡିଛି! ଏହି ଘଟଣାରେ ଧର୍ମଶାଳା ତହସିଲଦାରଙ୍କ ପକ୍ଷରୁ ଜେନାପୁର ଥାନାରେ ସପୃକ୍ତ ପ୍ରୋକଲିନ ମାଲିକ ଓ ପଥର ଚୋରି କରୁଥିବା ଖଣି ମାଲିକଙ୍କ ନାମରେ ଏତଲା ଦାୟର କରାଯାଇଛି! ଧର୍ମଶାଳା ତହସିଲର ଏହି ଲୁଣିବର ଗଙ୍ଗେଇଡୁବୁରୀ ପାହାଡରେ ମୋଟ ୫ଟି କଳାପଥର ଖଣିକୁ ତହସିଲ ପକ୍ଷରୁ ୫ବର୍ଷିଆ ଦୀର୍ଘ ମିଆଦୀ ଲିଜ ଦିଆଯାଇଥିଲା! ସେଥିରୁ ତିନୋଟି ଖଣିର ମିଆଦ ଶେଷ ହେବାପରେ ମାପଚୁପ କରାଯାଇ ଖଣିରୁ ବେଆଇନଭାବେ ଅତ୍ୟଧିକ ଖନନ ହୋଇଥିବାରୁ ସେହିସବୁ ଲିଜଧାରୀଙ୍କ ଉପରେ କୋଟିକୋଟି ଟଙ୍କାର ଯୋରୀମାନା ଆଦାୟ ପାଇଁ ଡିମାଣ୍ଡ ନୋଟିସ ହୋଇଥିଲା! ଏମାନଙ୍କ ଭିତରେ ଦୁର୍ଘଟଣା ଘଟିଥିବା ଏହି ବିଏସକ୍ୟୁ ୨ ନମ୍ବର ଖଣିର ଲିଜଧାରୀ ଚନ୍ଦ୍ରମଣି ପରିଡା ଥିଲେ! ଏଥିସହ ଏହି ପାହାଡର ଅବଶିଷ୍ଟ ସମସ୍ତ ଖଣିର ଲିଜ ମିଆଦ ଇତିହାସରେ ଶେଷ ହୋଇଥିଲେ ମଧ୍ୟ ଲୁଣିବର ବିଏସକ୍ୟୁ ୧ ନମ୍ବର ଓ ୫ ନମ୍ବର ଖଣିର ଲିଜଧାରୀ ରଙ୍ଗାଧର ପ୍ରଧାନ ଓ ଗଙ୍ଗାଧର ଓଝା ହାଇକୋର୍ଟଙ୍କ ଏକ ଆଦେଶ ବଳରେ ଖଣି ଖନନ ଚାଲୁ ରଖିଥିଲେ! ତେବେ ଏହି ଦୁଇ ଖଣିରେ ଗତ ମାର୍ଚ୍ଚ ମାସରେ ମାପଚୁପ ବେଳେ ଲିଜଧାରୀ ଚୁକ୍ତି ଖିଲାପକରି ଧାର୍ଯ୍ୟ ପରିମାଣ ଠାରୁ ବେଆଇନଭାବେ ବହୁ ଅଧିକ ପଥର ଉତ୍ତୋଳନ କରିଥିବାରୁ ସେମାନଙ୍କୁ ତହସିଲଦାର ଗତ ୧୬/୩/୨୦୨୩ରିଖରେ ନୋଟିସ ଯାରୀକରି କଇଫତ ତଲବ କରିବା ସହ ରଙ୍ଗାଧରଙ୍କ ଉପରେ ୧୬କୋଟି ୬୮ଲକ୍ଷ ୬୮ ହଜାରରୁ ଉର୍ଦ୍ଧ୍ବ ଓ ଗଙ୍ଗାଧରଙ୍କ ଉପରେ ୧୯କୋଟି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଯୋରୀମାନା ଧାର୍ଯ୍ୟକରି ଡିମାଣ୍ଡ ନୋଟିସ ଦେଇଥିଲେ! ଏହି ଯୋରୀମାନା ଅନାଦେୟ ହେବାରୁ ଗତ ଏପ୍ରିଲ ମସଠାରୁ ତହସିଲଦାର ଏହି ଦୁଇ ଖଣିକୁ ବନ୍ଦ ଘୋଷଣା କରିଥିଲେ! ତହସିଲର ଘୋଷଣା ଅନୁଯାଇ ଗଙ୍ଗେଇଡୁବୁରୀ ପାହାଡ ଲୁଣିବରର ସମସ୍ତ କଳାପଥର ଖଣି ଏବେ ସମ୍ପୂର୍ଣ୍ଣ ବନ୍ଦ ରହିଛି! ହେଲେ ପରିତାପର ବିଷୟ ଏହି ପାହାଡର ବିଏସକ୍ୟୁ ୧, ୨ ଓ ୫ନମ୍ବର ଖଣି ସମେତ ତହସିଲର ସରକାରୀ ଫାଇଲରେ ସମ୍ପୂର୍ଣ୍ଣ ବନ୍ଦଥିବା ଏକାଧିକ ଖଣିରେ ଦିନରାତି ବେଆଇନରେ ପଥର ଖନନ ହୋଇ ଦୈନିକ ଶହଶହ ଟ୍ରିପ କ୍ରସର ଗୁଡିକୁ ଚାଲାଣ ହୋଇ ଆସୁଥିଲେ ମଧ୍ୟ ତାହାକୁ ରୋକିବା ପାଇଁ ସ୍ଥାନୀୟ ଥାନା ପୋଲିସ ଓ ରାଜସ୍ୱ ବିଭାଗ ଅଧିକାରୀମାନେ କାହିଁକି ସାମାନ୍ୟ ଚେଷ୍ଟା ନକରି ଚୁପହୋଇ ବସିଥିଲେ ତାହା ସାଧାରଣରେ ପ୍ରଶ୍ନ ହୋଇଛି!
