ସୋର,୧୨/୫ : ସୋର ଗୋପୀନାଥପୁର ରାସ୍ତାର ବିଭିନ୍ନ ସ୍ଥାନରେ ଆଜି ଭୋର ସମୟରେ ସୋର ତହସିଲ ପ୍ରଶାସନ ତରଫରୁ ଚଢ଼ାଉ କରାଯାଇ ୮ ଗୋଟି ମାଲ ବୋଝେଇ ଡମ୍ପର, ହାଇୱା ଏବଂ ଟ୍ରାକ୍ଟରକୁ ଜବତ କରିଥିବା ଜଣାପଡିଛି. ସୋର ତହସିଲଦାର ବସନ୍ତ କୁମାର ସାହାଣୀ ଏନଫୋର୍ସମେଣ୍ଟ ପୁଲିସଙ୍କ ସହିତ ଆଜି ଭୋର ସମୟରେ ବରଫକଳ ଛକ ନିକଟରେ ଚଢ଼ାଉ କରି କ୍ଷମତା ଠାରୁ ଅଧିକ ବାଲି ପରିବହନ କରୁଥିବା ଦୁଇଟି ହାଇୱାକୁ ଜବତ କରିଥିବା ବେଳେ ପରମିଟ ଟ୍ୟାମ୍ପରିଙ୍ଗ କରି ପଥର ପରିବହନ କରୁଥିବା ଡମ୍ପର ଟିକୁ ଜବତ କରିଥିଲେ. ସେହିପରି ଆଙ୍ଗୁଳା ଛକ ନିକଟରୁ ଦୁଇଟି ବେଆଇନ ପାହାଡ଼ମାଟି ବୋଝେଇ ଡମ୍ପର ସହ ୨ ଟି ମେଟାଲ ବୋଝେଇ ମିନି ଟ୍ରକକୁ ଜବତ କରିଥିଲେ. ସେହିପରି ଚମ୍ପୋ ଛକ ନିକଟରୁ ବେଆଇନ ଭାବେ ବିଲ ମାଟି ପରିବହନ କରୁଥିବା ଏକ ଟ୍ରାକ୍ଟରକୁ ଜବତ କରିଥିଲେ. ସମସ୍ତ ଜବତ ଗାଡି ଗୁଡିକୁ ତହସିଲ ପରିସରରେ ରଖାଯିବା ସହିତ ସମସ୍ତ ଗାଡିର ମାଲିକଙ୍କ ନିକଟରୁ ଫାଇନ ଆଦାୟ କରାଯିବ ବୋଲି ତହସିଲ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି. ଏହି ଚଢ଼ାଉରେ ମଙ୍ଗଳପୁର ଆରଆଇ ବିଷ୍ନୁପଦ ଗିରି ସାମିଲ ହୋଇଥିଲେ.