ବ୍ରହ୍ମପୁର , ୪/୪ ବଡବ୍ଜ଼ାର ପୋଲିସ ଏକ ହତ୍ୟା ଉଦ୍ୟମ ଘଟଣାର ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ଜଣେ ଯୁବତୀ ସମେତ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବଡବ୍ଜ଼ାର ଥାନା ଅନ୍ତର୍ଗତ ସଂଖାରି ସାହି ନିକଟ ଚେଇନାବଜ଼ାରର ପିଙ୍କି ପାତ୍ର(୩୦), ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ମଶାଣିପଦାର ଅଜିତ କୁମାର ନାୟକ ଓରଫ ଅଜୁ(୨୮ ) ଓ ବଡବ୍ଜ଼ାର ଥାନା ଅନ୍ତର୍ଗତ ପାଣ୍ଡବନଗର ବିରେନ ବିଷୋୟୀ (୨୭)। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ପି. ରାଜେଶ ରାଓଙ୍କୁ ହତ୍ୟା କରିବା ପାଇଁ ଯୁବତୀ ଜଣଙ୍କ ଯୋଜନା କରିଥିଲା। ପରେ ସେ ତାଙ୍କର ସହଯୋଗୀ ଅଜିତ ଓ ବିରେନ ସହାୟତା ରେ ଏହି କାଣ୍ଡ ଘଟାଇଥିଲା ବୋଲି ଏସପି ଏକ ପ୍ରେସନୋଟ ଜରିଆରେ ସୂଚନା ଦେଇଛନ୍ତି। ମାମଲା ନମ୍ବର ୯୩/୨୩ ରେ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ପୋଲିସ କୋର୍ଟ ଚାଲାଣ କରିଛି। ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଉକ୍ତ ମାମଲାର ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି। ଅନ୍ୟପଟେ ଗୁରୁତର ଆହତ ହୋଇଥିବା ରାଜେଶ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ନେଇ ପୋଲିସ ଠାରୁ ସୂଚନା ମିଳିଛି। ପ୍ରକାଶ ଥାଉ କି ଗତ ୨୭ ତାରିଖ ରାତ୍ର ପଞ୍ଚୁଦଉଳ ସାହିର ପି. ରାଜେଶ ରାଓ କୌଣସି କାମରେ ଜଣେ ଯୁବତୀଙ୍କ ସହ ବାଇକରେ ଯାଉଥିଲେ। ଶ୍ରୀକ୍ଷେତ୍ରବିହାର ମୁଖ୍ୟ ରାସ୍ତାରେ କେତେକ ଯୁବକ ରାଜେଶଙ୍କ ଗାଡ଼ି ଅଟକାଇ ତାଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ସହ ଥିବା ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ ହୋଇଥିଲା। ରାଜେଶଙ୍କ ମୁଣ୍ଡ ,ବେକ ଓ ପିଠିରେ ଖଣ୍ଡା ଚୋଟ ପଡିଥିଲା। ଗୁରୁତର ଆହତ ହୋଇ ରାଜେଶ ନିଜ ଜୀବନ ବଞ୍ଚାଇବା ଉଦ୍ୟେଶ୍ୟରେ ନିକଟରେ ଥିବା ଏକ ତେଜରାତି ଦୋକାନ ଭିତରେ ପଶିଯାଇଥିଲେ। ପରେ ଅପରାଧୀ ମାନେ ସେଠାରୁ ଚମ୍ପଟ ମାରିଥିଲେ। ଖବର ପାଇ ବଡବ୍ଜ଼ାର ଥାନା ପୋଲିସ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ପି. ରାଜେଶ ‘ଙ୍କ ମା’ ପି. ଇନ୍ଦିରା ରାଓ ଥାନାରେ ଅଭିଯୋଗ କରିଥିଲେ।