କାକଟପୁର-୨୯/୧ ଗତ ୧୬ତାରିଖରେ ପଞ୍ଚାୟତ ଗୁଡିକରେ ଜାରି କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚିଠାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ଅଭିଯୋଗ ଆଣିଛନ୍ତି ସୁହାଣପୁର ଗ୍ରାମପଞ୍ଚାୟତର ହିତାଧିକାରୀ ମାନେ। ସେମାନଙ୍କ କହିବା କଥା ଅଧିକାରୀ ମାନେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଗାଇଡ ଲାଇନକୁ ଅଣଦେଖା କରି ତଳସ୍ତରର ରାଜନେତାଙ୍କ ହାତବାରିସ ସାଜି ଏଭଳି ଚିଠା ପ୍ରସ୍ତୁତ କରିଛନ୍ତି।ସୁହାଣପୁର ଗ୍ରାମପଞ୍ଚାୟତର ଗର୍ଭଣା ଗୋରଡା ଗ୍ରାମ ୧୩ନଂ ଓ୍ବାର୍ଡରେ ବାସ କରୁଥିବା ଦିବାକର କାଣ୍ଡି ଓ ଦିବାକର ରାଉତ ଉଭୟେ ହରିଜନ ସଂପ୍ରଦାୟର ହୋଇଥିବାରୁ ସେମାନଙ୍କ ପ୍ରତି ଅଧିକାରୀ ମାନେ ଅବହେଳା କରି ଚିଠା ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି। ପିଲାଛୁଆ ଓ ବୟସ୍କ ବ୍ୟକ୍ତିଙ୍କୁ ନେଇ୫ଜଣ ପରିବାରରେ ଜଣେ ମାତ୍ର ରୋଜଗାର ବ୍ୟକ୍ତି, ଅଭାବି ସଂସାରରେ ପରିବାର ପ୍ରତିପୋଷଣ କରି ବାସଗୃହ ଖଣ୍ଡେ କରିବା ପାଇଁ ସେମାନେ ଅକ୍ଷମ।ଫନି ବାତ୍ୟାରେ ବାସଗୃହ ହରାଇ ଚାଳଛପର କୁଡିଆରେ ଜରୀ ପକାଇ, ସେମାନେ ଗୁହାଳ ସଦୃଶ୍ୟ ଘରେ ପାଳିତ ପଶୁମାନଙ୍କ ସହ ଏକାନ୍ତରେ ବସବାସ କରୁଛନ୍ତି। ସରକାରୀ କର୍ମଚାରୀ ମାନେ ଆମ ଭଳି ପରିବାରକୁ ଆବାସ ଯୋଜନାରୁ ବାଦ ଦେଇଥିବା ଅଭିଯୋଗ ଆଣିଛନ୍ତି। କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ, ପୁରୀ ଜିଲ୍ଲାପାଳ ଓ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଗୃହ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।
