ବେତନଟୀ : ବୈଶିଙ୍ଗା ଥାନା ଅଧୀନ ନଡପୁର ଜଙ୍ଗଲରେ ୨୭ ତାରିଖ ରାତିରେ ଘଟିଥିବା ହତ୍ୟା ଘଟଣାର ମୂଖ୍ୟ ଆସାମୀ ତନ୍ମୟ ଦାସ ଦୋଷ ସ୍ୱୀକାର କରିବା ସହ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି। ୨୮ ତାରିଖ ସକାଳେ ନଡ଼ପୁର ଗ୍ରାମ ସଂଲଗ୍ନ ଜଙ୍ଗଲର ରାସ୍ତା ପାର୍ଶ୍ଵରେ ଏକ ମହିଳାଙ୍କ ମୃତ ଦେହ ପଡ଼ିଥିବାର ସୂଚନା ମିଳିଥିଲା। ଖବର ପାଇ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିବା ସମୟରେ ମୃତା ଜଣକ ଗୋଲକ ମୁର୍ମୁର ପତ୍ନୀ ମାଳତୀ ମୁର୍ମୁ (୩୭) ବୋଲି ଜଣାପଡିଥିଲା। ମୃତା ମାଳତୀର ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇବା ପରେ ଘଟଣାସ୍ଥଳରୁ ମାଳତୀର ମୋବାଇଲରୁ ହତ୍ୟାକାରୀର ସୁରାକ ପୁଲିସକୁ ମିଳିଥିଲା। ଏହା ପରେ ଆସାମୀ ତନ୍ମୟକୁ ଥାନାକୁ ଆଣି ପଚରାଉଚରା କରିବା ପରେ ହତ୍ୟା କରିଥିବା ସ୍ଵୀକାର କରିଥିଲା। ଆଜି ସକାଳେ ପୁଲିସ ଆସାମୀକୁ ନେଇ ହତ୍ୟା କରିଥିବା ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ହତ୍ୟାର ସମସ୍ତ ବିବରଣୀ ବର୍ଣ୍ଣନା(ସିନ୍ ରିକ୍ରିଏସନ) କରିଥିଲା । ଆସାମୀ ତନ୍ମୟ ଦୁର୍ଘଟଣା ର ରୂପ ଦବାକୁ ଯାଇ ମାଳତୀର ମୃତ ଶରୀରକୁ ଘୋଷାରି ଘୋଷାରି ଆଣି ରାସ୍ତା ପାର୍ଶ୍ଵରେ ପକାଇ ଦେଇଥିଲା। ମାଳତୀର ସ୍ୱାମୀ ଗୋଲକର ଅଭିଯୋଗ ମୂଳେ ୩୪/୨୩ ମୂଳେ ଏକ ମାମଲା ରୁଜ୍ଜୁ କରାଯାଇ ବିଭିନ୍ନ ଦଫାରେ ଆସାମୀ ତନ୍ମୟ କୁ ଆଜି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।ହତ୍ୟାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ନେଇ ଏସଡିପିଓ ସୁଦର୍ଶନ ଦାଶ ପ୍ରକାଶ କରିଥିଲେ।