Odisha news

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର, ୬ ଜୁଲାଇ ୨୦୨୨: ଡେଙ୍ଗୁ ହେଉଛି ଏକ ଭେକ୍ଟରବାହିତ ରୋଗ, ଯାହାକି ଏଡିସ୍ ମଶା କାମୁଡ଼ିବାରୁ ବ୍ୟାପିଥାଏ । ଠିକଣା ସମୟରେ ଏହାର ଚିହ୍ନଟ ଓ ଚିକିତ୍ସା କରାନଗଲେ ଏହା ଘାତକ ହୋଇପାରେ । ତେଣୁ ଏହି ରୋଗ ସମ୍ପର୍କରେ ସଚେତନତା କରିବା ନେଇ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଶେଷ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ସାଉଥ୍ ଇଷ୍ଟ୍ ଏସିଆ ରିଜିଓନାଲ ଅଫିସର ବୈଜ୍ଞାନିକ ଡାକ୍ତର ବି ଏନ୍ ନାଗପାଲ ଯୋଗଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବ୍ୟାପକ ଭାବରେ ଆଲୋଚନା କରିଥିଲେ ।

ଡାକ୍ତର ନାଗପାଲ କହିଥିଲେ ଯେ, ଡେଙ୍ଗୁ ରୋଗ ପାଇଁ କୌଣସି ପ୍ରତିଷେଧକ ଟିକା କିମ୍ବା ଔଷଧ ବାହାରି ନାହିଁ । ତେଣୁ ଡେଙ୍ଗୁ ମଶା ସୃଷ୍ଟି ହେଉଥିବା ବିଭିନ୍ନ ଉତ୍ସର ଚିହ୍ନଟ କରି ଏହାକୁ ସଫା କରିବା ସହ ମଶା କାମୁଡ଼ାରୁ ଦୂରେଇ ରହିବା ହେଉଛି ଅସଲ ସମାଧାନ । ତେଣୁ ଏଥିପାଇଁ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନକଲେ ଡେଙ୍ଗୁ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଛିଡ଼ା ହୋଇପାରେ ବୋଲି ସେ ସତର୍କ କରାଇଥିଲେ ।

ଏହି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏଆଇପିଏଚ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଡେଙ୍ଗୁ ରକ୍ତ ନମୁନା ପରୀକ୍ଷା ଲାଗି ଏକ ଡେମନଷ୍ଟ୍ରେସନ କରାଯାଇଥିଲା । ମଲବାୟୋ ଡାଇଗ୍ନୋଷ୍ଟିକ ସହଯୋଗରେ ଅତ୍ୟାଧୁନିକ ଟ୍ରୁନାଟ୍ ମେସିନ ବ୍ୟବହାର କରାଯାଇ କିଭଳି ଡେଙ୍ଗୁ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀମାନେ ଦେଖିବାକୁ ପାଇଥିଲେ ।

ବିଶ୍ୱବ୍ୟାପୀ ଜୁଲାଇ ମାସକୁ ଡେଙ୍ଗୁ ସଚେତନତା ମାସ ଭାବେ ପାଳନ କରାଯାଉଛି । ତେଣୁ ଏହି ଅବସରରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ “ଡେଙ୍ଗୁ ସଚେତନତା ରଥ’ର ଶୁଭାରମ୍ଭ କରାଯାଇଥିଲା । ଏହି ରଥ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ବାହାରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଜନସାଧାରଣଙ୍କୁ ରୋଗ ସମ୍ପର୍କରେ ସଚେତନ କରିଥିଲା । ଏହାଛଡ଼ା ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡବ୍ଲ୍ୟୁଏଚଓର ବେଜ୍ଞାନିକ ଡାକ୍ତର ବି ଏନ୍ ନାଗପାଲଙ୍କ ସହିତ ଭୁବନେଶ୍ୱର ନିକଟବର୍ତ୍ତୀ ବାଲିଅନ୍ତା ବ୍ଲକର ବିଲିପଡ଼ା ଗାଁକୁ ଯାଇ ଲୋକଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ପବ୍ଲିକ ହେଲଥର ଡିନ୍ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ପଣ୍ଡା ସଞ୍ଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଅଫ୍ ବାୟୋଲୋଜିକାଲ ସାଇନ୍ସେସର ଡିନ୍ ପ୍ରଫେସର ନିରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ମଲବାୟୋ ଡାଇଗ୍ନୋଷ୍ଟିକର ମ୍ୟାନେଜର ମୋହିତ କୁମାର ମିତ୍ତଲ ପ୍ରମୁଖ ଯୋଗ ଦେଇଥିଲେ ।

 

Leave A Reply