ଦେବ ସ୍ନାନ ପୂର୍ଣ୍ଣିମା, ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି। ରାତ୍ର ୪ ଟା ରୁ ପହଣ୍ଡି ଆରମ୍ଭ ସକାଳ ୬ ଟା ଶେଷ, ଅପରାହ୍ନ ୧୨ ଟା ୪୫ ମିନିଟ ରୁ ଆରମ୍ଭ ଅପରାହ୍ନ ୨ ଟା ୩୦ ଶେଷ। ସାହଣ ମେଲା ସଂଧ୍ୟା ୬ ଟା ରୁ ରାତ୍ର ୯ ଟା ୩୦
ପୁରୀ: ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଉଛି ଦାରୁ ବିଗ୍ରହମାନଙ୍କର ପବିତ୍ର ସ୍ନାନ ଯାତ୍ରା। ସ୍ନାନ ବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବିଗ୍ରହ ମାନେ। ବିଗ୍ରହ ମାନଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ବିଗତ ଦୁଇ ବର୍ଷ ଅପେକ୍ଷା ଚଳିତ ବର୍ଷ ପାଞ୍ଚ ଲକ୍ଷରୁ ୭ ଲକ୍ଷ ଭକ୍ତଙ୍କ ସମାବେଶ ହେବାର ଆକଳନ କରାଯାଇଛି।
ବିଗ୍ରହ ମାନଙ୍କର ସଅଳ ନୀତି କାନ୍ତି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ହୋଇଛି। ଭକ୍ତ ମାନେ ଯେପରି ସୂରୁ ଖୁରୁରେ ଦର୍ଶନ କରିବେ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଗ୍ରହ ମାନଙ୍କର ନୀତି କାନ୍ତି କିପରି ଶୃଙ୍ଖଳିତ ଭାବେ ହେବ ସେନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ଚଡାନ୍ତ ହୋଇ ଥିବା ନୀତି ନିର୍ଘଣ୍ଟ ଅନୁଯାୟୀ
ମଙ୍ଗଳବାର ରାତ୍ରରେ ଦ୍ଵାର ଫିଟା ପରେ ରାତ୍ର ୩ ଟା ୩୦ ମିନିଟରେ ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ରାତ୍ର ୪ ଟାରୁ ପହଣ୍ଡି ଆରମ୍ଭ ହୋଇ ସକାଳ ୬ ଟାରେ ଶେଷ ହେବ। ୬ ଟାରେ ମଂଗଳ ଆରତୀ, ୬ ଟା ୪୦ ମଇଲମ୍, ୭ ଟା ତଡ଼ପ ଲାଗି, ୭ ଟା ୩୦ ଅଧରପୋଛା, ୮ ଟା ଅବକାଶ, ୮ ଟା ୩୦ ବେଶ ଶେଷ, ୮ ଟା ୪୦ ରୋଷ ହୋମ, ୯ ଟା ସୂର୍ଯ୍ୟ ପୂଜା, ସକାଳ ୯ଟା ୧୦ ଦ୍ଵାରପାଳ ପୂଜା, ୯ ଟା ୩୦ ରୁ ୧୧ ୩୦ ଜଳ ବିଜେ,ପୂଜା ଓ ସ୍ନାନ, ୧୧ ଟା ୩୦ ମଇଲମ୍, ୧୨ ଟା ୧୫ ନୂଆଲୁଗା ଲାଗି ବେଶ, ମଧ୍ୟାହ୍ନ ୧୨ ଟା ୧୫ ରୁ ୧୨ ଟା ୪୫ ଛେରା ପହଁରା, ଅପରାହ୍ନ ୧୨ ଟା ୪୫ ରୁ ୨ ଟା ୩୦ ମିନିଟ ପର୍ଯ୍ୟନ୍ତ ହାତୀ(ଗଜାନନ) ବେଶ , ଅପରାହ୍ନ ୩ ଟା ୧୫ ମିନିଟରେ ମହନ୍ତ ଶାଢ଼ୀ ବନ୍ଧା, ୩ ଟା ୩୦ ରୁ ୫ ଟା ଘଣ୍ଟ ଛତା ସକାଳ ଧୂପ, ୫ ଟା ୩୦ ମିନିଟ ଦକ୍ଷିଣ ଘର ଭୋଗ, ସନ୍ଧ୍ୟା ୬ ଟା ୩୦ ରୁ ରାତ୍ର ୯ ଟା ୩୦ ମିନିଟ ସାହଣ ମେଲା ଦର୍ଶନ, ୧୦ ଟା ପୁଷ୍ପାଞ୍ଜଳି ଓ ଡୋର ଲାଗି, ରାତ୍ର ୧୦ ଟା ରୁ ୧ ଟା ବାହୁଡା଼ ପହଣ୍ଡି , ରାତ୍ର ୧ ଟା ୩୦ ମିନିଟ ସୁନା ଚିତା ଓ ରାହୁ ରେଖା ମଇଲମ୍ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇ ଥିବା ଜଣା ପଡିଛି।