ବ୍ରହ୍ମପୁର,୩ା୫: ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡି ପଞ୍ଚାୟତ ପାଲଝଡି ଗ୍ରାମର ଦୁଇ ବିଜେଡି ନେତାଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ୯ ଜଣଙ୍କୁ ଗିରଫ କରିଛି ପୁଲିସ ା ନିର୍ବାଚନୀ ଶତ୍ରୁତା କାରଣରୁ ଅଭିଯୁକ୍ତମାନେ ଦୁଇ ନେତାଙ୍କୁ ହତ୍ୟା କରିଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ା ଗିରଫ ଅଭିଯୁକ୍ତମାନେ ହେଲେ ପାଲଝଡି ଗ୍ରାମର ପ୍ରଶାନ୍ତ କୁମାର ଗୌଡ(୩୦), କୁକୁଡାଖଣ୍ଡିର ବୁଡୁ ଦାସ(୩୦), ଜଗନ୍ନାଥପୁରର ବି. ଦେବରାଜ ରେଡ୍ଡି(୨୭), ଲାଠିର କୁନା ଗୌଡ(୨୫), ପାଲଝଡିର ବସନ୍ତ କୁମାର ଗୌଡ(୨୬), କୃଷ୍ଣଚନ୍ଦ୍ର ଗୌଡ(୨୭), ଗଡସାମନ୍ତପୁରର ସିଦ୍ଧାନ୍ତ ଗୌଡ(୨୦), ବି. ଆଦିକନ୍ଧପୁରର ସନ୍ତୋଷ କୁମାର ପ୍ରଧାନ(୨୬) ଓ ବି. ତୋଟାପଲ୍ଲୀର ସୁମନ୍ତ କୁମାର ନାହାକ(୨୪) ା ପ୍ରଶାନ୍ତ ଗୌଡ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ହୋଇଥିବା ବେଳେ ବୁଡୁ ଦାସ, ବି. ଦେବରାଜ ରେଡ୍ଡି, କୁନା ଗୌଡ ୫୦ ହଜାର ଟଙ୍କା ସୁପାରି ନେଇ ଏହି ଦୁଇ ନେତାଙ୍କୁ ହତ୍ୟା କରିଥିଲେ ା ଗତ ୨୩ ତାରିଖରେ ପାଲଝଡି ଗ୍ରାମର ଦୁଇ ବିଜେଡି ନେତା ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କୁ ହତ୍ୟା କରାଯାଇଥିଲା ା
ମୁଖ୍ୟ ଷଡଯନ୍ତ୍ରକାରୀ ପ୍ରଶାନ୍ତ ଗୌଡ ନିର୍ବାଚନରେ ହାରିବା ପରେ ରାଗିଯାଇ ସୁପାରି କିଲର ନିଯୁକ୍ତ କରି ଉଭୟ ନେତାଙ୍କୁ ହତ୍ୟା କରିଥିଲା ା ଘଟଣାପରେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଦିଗପହଣ୍ଡି ଥାନାରେ କେସ ନଂ ୧୪୫/୨୨ରେ ଏକ ମାମଲା ରୁଜୁ ହୋଇଥିଲା ା ଜିଲା ପୁଲିସର ଏକାଧିକ ଟିମ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲେ ା ଗତକାଲି ସୁଧା ମୋଟ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଷଡଯନ୍ତ୍ରକାରୀ ପ୍ରଶାନ୍ତ ଗୌଡ ଓ ତାଙ୍କ ପ୍ରମୁଖ ସହଯୋଗୀ ସୁମନ୍ତ କୁମାର ନାହାକ ଧରାପଡ଼ିନଥିଲେ ା
ପ୍ରଶାନ୍ତ ଜଣେ ଗଞ୍ଜେଇ ଚାଲାଣକାରୀ ହୋଇଥିବା ବେଳେ ସେ ଓ ତା ସହଯୋଗୀ ଗତକାଲି ଏକ କାରରେ ଗଞ୍ଜେଇ ଆଣି ଭିଷ୍ମଗିରୀରେ ରଖିଥିବା ପୁଲିସ ଖବର ପାଇଥିଲା ା ସେଠାରେ ଚଡଉ କରି ପୁଲିସ ୨୦୨ କେଜି ଗଞ୍ଜେଇ, ଏକ ଅଲଟୋ କାର, ଏକ ଟ୍ରାକ୍ଟର, ଗୋଟିଏ ବୁଲେଟ, ଜେସିବି ମେସିନ, ୧୧୨ ଖଣ୍ଡ ସାଗୁଆନ କାଠ ଜବତ କରିଥିଲା ା ଗଞ୍ଜେଇ ଜବତ ହେବା ପରେ ପ୍ରଶାନ୍ତ ନାଁରେ ୧୪୭/୨୨ରେ ଆଉ ଏକ ମାମଲା ରୁଜୁ ହୋଇଛି ା ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ଜିଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି ା ସେହିପରି ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ମଧ୍ୟ ଯୋଜନା କରାଯାଉଥିବା ସେ ଜଣାଇଛନ୍ତି