ଭୁବନେଶ୍ୱର,(ନି.ପ୍ର): ରାଜଧାନୀରେ କେବିଏନ୍ ଗ୍ୟାଙ୍ଗ୍ ଆତଙ୍କକୁ ନେଇ ଲୋକେ ଭୟଭିତ ହୋଇପଡିଥିବାବେଳେ ଅପରାଧୀଙ୍କ ବିରୋଧରେ କମିଶନରେଟ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଗ୍ୟାଙ୍ଗର କିଛି ସଦସ୍ୟ ଗିରଫ ହୋଇଥିବାବେଳେ ଆଉ କିଛି ସଦସ୍ୟ ଫେରାର ଅଛନ୍ତି । ଶୁକ୍ରବାର ସହିଦନଗର ଅଞ୍ଚଳରେ ପୁଣି ଆତଙ୍କ କରିଛି ଏହି ଗ୍ୟାଙ୍ଗ୍ । ଦାଦାବଟି ନ ଦେବାରୁ ୨୦ ରୁ ଅଧିକ ଦୁର୍ବୃତ୍ତ ଅତର୍କିତ ଭାବେ ଆସି ବ୍ୟାଡମିଣ୍ଟନ ଖୋଳୁଥିବା ଛାତ୍ରମାନଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ । ଦୁର୍ବୃତ୍ତମାନଙ୍କ ଖଣ୍ଡା ଓ ଭୁଜାଲି ଚୋଟରେ ବିପ୍ଳବ ପରିଡା ଓ ତାଙ୍କର ୩ ସହଯୋଗୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ସହିଦନଗର ଥାନା ପଛପଟେ ଥିବା ଏକ ପଡିଆରେ କିଛି ଯୁବକ ବ୍ୟାଡମିଣ୍ଟନ ଖେଳୁଥିଲେ । ଅପରାହ୍ନ ସମୟରେ ୨୦ ରୁ ଅଧିକ ଯୁବକ ଅତର୍କିତ ଭାବେ ହାତରେ ଖଣ୍ଡା ଓ ଭୁଜାଲି ଧରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସେଠାରେ ଥିବା କିଛି ପ୍ରତ୍ୟେକ୍ଷଦର୍ଶି ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ବୁଝିନଥିଲେ ବରଂ ତାଙ୍କୁ ଧମକ ଚମକ ଦେଇଥିଲେ । କିଛି ନ ବୁଝି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ୪ଦିନ ତଳେ ଉକ୍ତ ସ୍ଥାନରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା ଏହାକୁ କେନ୍ଦ୍ରକରି ଏଭଳି ହଣାକଟା ହୋଇଥିବା ପୋଲିସ ସନେ୍ଦହ କରୁଛି । ଏ ନେଇ ସହିଦନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
