ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବହୁ ଚର୍ଚ୍ଚିତ ଡଙ୍କାରୀ ୪ ଓ ୫ ନମ୍ବର ପଥରଖଣି (ସଇରାତ)ରୁ ଏବେ ଅଭିନବ ଢଙ୍ଗରେ ଲିଜ ଅଞ୍ଚଳ ବାହାରୁ ବେଆଇନଭାବେ କୋଟି କୋଟି ଟଙ୍କାର କଳାପଥର ଉତ୍ତୋଳନ କରାଯାଇ ଲୁଟ କରାଯାଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ରାଜସ୍ୱ ଅଧୀକାରୀ ମାନେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ! ଡଙ୍କାରୀ ପାହାଡରେ ବେଆଇନ ଖଣି ଖନନ ନେଇ ହାଇକୋର୍ଟରେ ମାମଲା ଦାୟର ହେବା ପରେ ଏଠାରେ ଚାଲିଥିବା ବହୁ ଗଫଲତି ଧରାପଡିଥିଲା ! ଫଳରେ ପ୍ରଶାସନ ପକ୍ଷରୁ ଏହି ପାହାଡର ସମସ୍ତ ଖଣିରେ ୧୪୪ ଧାରା ଯାରୀ କରାଯାଇ ଏଠାରୁ ଖଣି ଖନନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା! ଦୀର୍ଘ ଦିନଧରି ଖଣି ଖନନ ବନ୍ଦ ପରେ ଉକ୍ତ ପହାଡର ୪ ଓ ୫ ନମ୍ବର ଖଣି (ସଇରାତ)ରୁ ପୁନର୍ବାର ପଥର ଉତ୍ତୋଳନ ପାଇଁ ଅନୁମତି ଦେବାକୁ ଏହି ଦୁଇ ଖଣିର ଲିଜଧାରୀ ରଞ୍ଜନକୁମାର ଜେନା ଓ ତାଙ୍କ ଭାଉଜ ଜୋତ୍ନାରାଣୀ ଜେନା ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ! ହେଲେ ଜୋତ୍ନାଙ୍କ ନାମରେ ଲିଜଥିବା ସଇରାତର ପରିବେଶ ମଞ୍ଜୁରୀ ନଥିବାରୁ ତାହାକୁ ବାଦଦେଇ ରଞ୍ଜନଙ୍କ ନାମରେଥିବା ସଇରାତରୁ ସମସ୍ତ ସରକାରୀ ନିୟମକୁ କଡାକଡି ପାଳନ କରାଯାଇ ପଥର ଉତ୍ତୋଳନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ !
ରଞ୍ଜନ ଜେନାଙ୍କ ନାମରେଥିବା ସଇରାତ ପରିସୀମା ୧୫ ଏକର ରହିଥିଲାବେଳେ ଜୋତ୍ନାଙ୍କ ନାମରେ ଥିବା ସଇରାତର ପରିସୀମା ୮ ଏକର ଥିବା ଜଣା ପଡିଛି ! ଦୁଇଟିଯାକ ସଇରାତ ଗୋଟିଏ ସ୍ଥାନରେ ଓ ତାହା ଲାଗିକରି ରହିଛି ଏବଂ ଏହା ଗୋଟିଏ ପରିବାର ଅଧିନରେ ମଧ୍ୟ ରହିଛି ! ଏହାର ସୁଯୋଗ ନେଇ ଲିଜଧାରୀ ରଞ୍ଜନ ଜେନା ସମ୍ପୂର୍ଣ୍ଣ ବେଆଇନ ଭାବେ ନିଜ ସଇରାତର ପରିସୀମା ବାହାରୁ ଦୈନିକ କୋଟି କୋଟି ଟଙ୍କାର ପଥର ଉତ୍ତୋଳନକରି ଲୁଟି ଚାଲିଥିବା ଦେଖାଯାଇଛି ! ଏପରିକି କୌଣସି ପଥର ଖଣିରେ ଶକ୍ତିଶାଳୀ ଓଆଗନ ବିଷ୍ଫୋରଣ କରି ପଥର ଉତ୍ତୋଳନକୁ ସରକାର ଗତ ଦୁଇବର୍ଷ ହେବ ସମ୍ପୂର୍ଣ୍ଣ ନିଶିଦ୍ଧ କରିଥିଲା ବେଳେ ଲିଜଧାରୀ ଶ୍ରୀଜେନା ଏହି ନିୟମକୁ ଖୋଲାଖୋଲି ଉଲଙ୍ଘନକରି ଉକ୍ତ ସଇରାତରେ ପ୍ରତ୍ୟେକ ରାତିରେ ଏକାଧିକ ଓଆଗନ ବିଷ୍ଫୋରଣ କରି ଏକସଙ୍ଗେ ହଜାର ହଜାର ଟ୍ରିପ ପଥର ଫଟାଇ ଲୁଟ କରୁଥିବା ଅଭିଯୋଗ ହୋଇଛି !
ଅନ୍ୟ ପକ୍ଷରେ ସେ ଏବେ ଯେଉଁ ସଇରାତରେ ଖନନ କରୁଛନ୍ତି ସେଠାରୁ ପଥର ଉତ୍ତୋଳନ ପାଇଁ ଜନ ସୁଣାଣି ହୋଇନଥିବା ଜଣାପଡିଛି! ଏହାକୁ ଆଡୁଆଳରେରଖି ଶ୍ରୀ ଜେନା ବେଆଇନ ଭାବେ ଖଣି ଖନନ କରୁଥିବା ଜଣାପଡିଛି ! କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ସୋଆର ଗାଇଡଲାଇନ ଅନୁଯାୟୀ ୧୫ ଏକର ବା ତା’ ଠାରୁ ଅଧିକ ପରୀସୀମା ଥିବା ଖଣିକୁ ଲିଜଦେବା ପୂର୍ବରୁ ଜନ ସୁଣାଣି ବାଧ୍ୟତା ମୂଳକ ! ହେଲେ ପରିତାପର ବିଷୟ ଏହି ଖଣିର ଲିଜପ୍ରଦାନ ପୂର୍ବରୁ ଜନ ସୁଣାଣି ହୋଇ ନଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ଢାଲକରି ଲିଜଧାରୀ ଶ୍ରୀଜେନା ଖଣି ଖନନ ଚଳାଇଛନ୍ତି! ଏ ସମସ୍ତ ତଥ୍ୟ ଧର୍ମଶାଳା ତହସିଲଦାର ଓ ଯାଜପୁର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭକରି ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କୁ ଅବଗତ ଥିଲେ ମଧ୍ୟ ସେମାନେ ଏତେବଡ ବେଆଇନ କାମ ଓ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟିକୁ ନରୋକି କାହିଁକି ଚୁପ ରହିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି !