ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପୁରୀ ଗସ୍ତରେ ରହିବେ। ସେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଗସ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ଯୋଗ ଦେବେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ। କେନ୍ଦ୍ର ମନ୍ତ୍ରୀ ପିପିଲି ବ୍ଲକର କମକନ୍ତିଆ ଗ୍ରାମ ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ତାରିଖରେ ଉତ୍ତରାଖଣ୍ଡର ପବିତ୍ର ଧାର୍ମିକ ସ୍ଥଳୀ କେଦାରନାଥକୁ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥ ଧାମରେ ପୂର୍ବାହ୍ନ ୧୧ଟାରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୪୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଓ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏଥି ସହିତ କେଦାରନାଥରେ ନବନର୍ମିତ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧୀ ସ୍ଥଳକୁ ଉନ୍ମୋଚନ କରିବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତର ସିଧାପ୍ରସାରଣ ହେବ। ସୂଚନାଯୋଗ୍ୟ ୨୦୧୩ ମସିହାରେ ପ୍ରାକୃତିକ ବିପର୍ଯ୍ୟୟରେ ଏଠାରେ ଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧୀସ୍ଥଳ ଭାଙ୍ଗି ଯାଇଥିଲା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଅତିବାହିତ କରିବେ। ଏହି ସମୟରେ ସେ ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ।

Comments are closed.