Odisha news

ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ‘ପ୍ରୋଜେକ୍ଟ ଉତ୍କର୍ଷ’ ଆରମ୍ଭ ; ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା ଅନ୍ଲାଇନ୍ କୋଚିଂ

ଭୁବନେଶ୍ୱର : ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ) ର ସିଏସଆର ଅନୁଷ୍ଠାନ ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ‘ପ୍ରୋଜେକ୍ଟ ଉତ୍କର୍ଷ’ ଆରମ୍ଭ କରାଯାଇଛି । ସିଭିଲ ସର୍ଭିସ କୋଚିଂ ପାଇଁ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ଆଇଏଏସ୍ ଗୁରୁକୁଳ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାର ସାମାଜିକ ତଥା ଆର୍ଥିକ ଦୁର୍ବଳ ବର୍ଗର ୩୦୦ ଛାତ୍ରଛାତ୍ରୀ ମାନଙ୍କୁ ସିଭିଲ୍ ସର୍ଭିସ୍, ବ୍ୟାଙ୍କିଙ୍ଗ ଏବଂ ଅନ୍ୟାନ୍ୟ ପ୍ରତିଯୋଗୀତା ମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ମାଗଣା ଅନଲାଇନ୍ ଇଣ୍ଟରାକ୍ଟିଭ୍ କୋଚିଂ ଯୋଗାଇ ଦିଆଯିବ ।

ଏହି ପ୍ରକଳ୍ପର ଶୁଭାରମ୍ଭ କରି ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳାଧିପତି ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ଏହା ନିଶ୍ଚିତ ଭାବରେ ଗ୍ରାମାଞ୍ଚଳ ତଥା ଅର୍ଦ୍ଧସହରାଞ୍ଚଳରେ ରହୁଥିବା  ଶିକ୍ଷିତ ମେଧାବୀ  ଯୁବକ ଯୁବତୀ ମାନଙ୍କ କ୍ୟାରିଅରକୁ ଆଗକୁ ନେବାରେ ସାହାଯ୍ୟ କରିବ | ଗୁରୁ ଦିବସରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ସମେତ ସେମାନଙ୍କ ପିତାମାତା ସମାନ ଭାବରେ ଉତ୍ସାହିତ ଅଛନ୍ତି” ।

ସମସ୍ତ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା, ଶିକ୍ଷକବୃନ୍ଦ ଏବଂ ସହଭାଗୀ ସଂଗଠନ ଆଇଏଏସ୍ ଗୁରୁକୁଳକୁ ଶୁଭେଚ୍ଛା ଜଣାଇବା ସହିତ, ଦେଶର ଯୁବକମାନଙ୍କୁ ସହଯୋଗ କରିବା ପାଇଁ ଉଚ୍ଚଶିକ୍ଷା, କ୍ୟାରିୟର ପରାମର୍ଶ, କ୍ରୀଡା, କଳା ଏବଂ ସଂସ୍କୃତି ଆଦି କ୍ଷେତ୍ରରେ ଜେଏସପିଏଲ ଫାଉଣ୍ଡେସନ ପ୍ରଚେଷ୍ଠାରତ ବୋଲି ଶ୍ରୀମତୀ ଜିନ୍ଦଲ କହିଥିଲେ ।

ଏହି ପ୍ରୋଜେକ୍ଟ ଅଧୀନରେ ଆଇଏଏସ୍ ଗୁରୁକୁଳର ଅଭିଜ୍ଞ ଅଧ୍ୟାପକମାନେ କ୍ଵାଣ୍ଟିତେଟିଭ ଆପ୍ଟିଚ୍ୟୁଡ୍, ରିଜନିଙ୍ଗ୍, ଜେନେରାଲ୍ ଷ୍ଟଡିଜ୍, ଇଂରାଜୀ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକରେ ଅନଲାଇନ୍ କ୍ଲାସ୍ ପ୍ରଦାନ କରିବେ | ମନୋନୀତ ଛାତ୍ରମାନେ ରେଳବାଇ, ବ୍ୟାଙ୍କିଙ୍ଗ, ପ୍ରତିରକ୍ଷା, ବୀମା ଏବଂ ଅନ୍ୟାନ୍ୟ ସରକାରୀ ସେବା ପାଇଁ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରିପାରିବେ |

ଏହି କୋଚିଂ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମେଧା ଏବଂ ଆର୍ଥିକ ସ୍ବଚ୍ଛଳତା ଭିତ୍ତିରେ ଚୟନ କରାଯିବ | ଆର୍ଥିକ ଅନଗ୍ରସର ଏବଂ ପଛୁଆ ବର୍ଗର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦିଆଯିବ | ଏହି ପ୍ରକଳ୍ପ ଅଧୀନରେ ପ୍ରତିଦିନ ଚାରି ଘଣ୍ଟାର ଇଣ୍ଟରାକ୍ଟିଭ୍ ଭର୍ଚୁଆଲ୍ କ୍ଲାସ୍ ସହିତ ଏକ ଚୟନ ପ୍ରକ୍ରିୟା ଆରମ୍ଭ ଚାଲୁ ରହିଛି  | ଏହି ପ୍ରକଳ୍ପରେ ସମୁଦାୟ ୩୦୦ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟରୁ ୨୦୦ ଛାତ୍ରୀ ମାନଙ୍କୁ ନିଆଯିବ ।

ଦୂରତା କିମ୍ବା ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଗୁଣାତ୍ମକ ପ୍ରତିଯୋଗିତାମୂଳକ ପରୀକ୍ଷା କୋଚିଂ ସୁଯୋଗ ପାଉ ନଥିବା ଅନୁଗୁଳର ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ପ୍ରକଳ୍ପ ଉପକୃତ କରିବ ବୋଲି ଆଶା କରାଯାଏ 

Nalco

Comments are closed.