Odisha news

ଜଗତଗୁରୁ ଙ୍କ ଆଶିର୍ବାଦ ଲୋଡ଼ିଲେ ଆରଏସ୍ଏସ୍ ମୁଖ୍ୟ

ପୁରୀ : ଓଡ଼ିଶା ଗ୍ରସ୍ତରେ ଥିବା ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଆଜି ପୁରୀ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି । ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ଆରଏସ୍ଏସ୍ ମୁଖ୍ୟ ଗୋବର୍ଦ୍ଧନ ପୀଠରେ ପହଞ୍ଚିବା ପରେ ମଠର ଦେବାଦେବୀଙ୍କ ଦର୍ଶନ କରିଥିଲେ । ପରେ ସେ ଜଗତଗୁରୁଙ୍କୁ ଭେଟି ତାଙ୍କ ଆଶିର୍ବାଦ କାମନା କରିଥିଲେ । ଅଖଣ୍ଡ ଭାରତ ବର୍ଷ ଓ ହିନ୍ଦୁତ୍ୱକୁ ମଜ୍ବୁତ କରି ସମଗ୍ର ବିଶ୍ୱରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ସେ ସଂଘକାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ।

ପାକିସ୍ଥାନ ସହଯୋଗରେ ତାଲିବାନ୍ ଭାରତର ଜମ୍ମୁକାଶ୍ମୀର ଉପରେ ଲୋଲୁପ ଦୃଷ୍ଟି ପକାଇଥିବାରୁ ଜଗତଗୁରୁ ସତର୍କ କରାଇଦେବା ସହିତ ଭବିଷ୍ୟତରେ ଭାରତରେ ଯେଭଳି ସଙ୍କଟ ଜନକ ପରିସ୍ଥିତ ସୃଷ୍ଟିନହୁଏ ସେ ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେବା ତ୍ୟାଗର ପୀଠ ଗୋବର୍ଦ୍ଧନ ମଠର ମଠାଧିଶଙ୍କ ପରାମର୍ଶ ନେଲେ ଭାରତ ବର୍ଷ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଜଗତଗୁରୁ କହିଛନ୍ତି ।

ସୁପ୍ରିମକୋର୍ଟ ଓ ହାଇକୋର୍ଟ ଧାର୍ମିକ ବ୍ୟବସ୍ଥାରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ରାୟ ଦେଇଥିବାରୁ ରାଜ୍ୟସରକାର କିମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ତାଙ୍କ ସହ ଆଲୋଚନା କଲେ ସେ ଉପଯୁକ୍ତ ପରାମର୍ଶ ଦେଇ ପାରେିବେ । କିନ୍ତୁ ନିୟମିତ ଭାବେ ତାଙ୍କ ସହିତ ଆଲୋଚନା କରାଯାଉନଥିବାରୁ ଜଗତଗୁରୁ କ୍ଷୋଭ ପ୍ରକାଶ କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ସହିତ ଦୀର୍ଘ ସମୟ ଆଲୋଚନା ପରେ ଆରଏସ୍ଏସ୍୍ ମୁଖ୍ୟ ଶ୍ରୀମନ୍ଦିରକୁ ଯାଇ ରତ୍ନସିଂହାସନରେ ଦାରୁବିଗ୍ରହଙ୍କୁ ଦର୍ଶନ କରିବା ପରେ ଭୂବନେଶ୍ୱର ଫେରିଯାଇଥିଲେ ।

Comments are closed.