Odisha news

ପ୍ଲାଜମା ଓ କରୋନା ଯୋଗୁଁ ଶରୀରର ପ୍ଲେଟଲେଟ୍ ଗଠନ : ଆସନ୍ତୁ ଜାଣିବା ଡାକ୍ତର ପ୍ରଫୁଲ୍ଲ କୁମାର ଦାସ କଣ କହୁଛନ୍ତି

0

ଡାକ୍ତର ପ୍ରଫୁଲ୍ଲ କୁମାର ଦାସ (କନସ୍ଲଣ୍ଟାଟ ରେଡ଼ିଓଲୋଜିଷ୍ଟ, ଏମ୍ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ,) : ସାଧାରଣରେ ପ୍ରଶ୍ନ ଉଠେ ଯେ ପ୍ଲାଜମା ଚିକିତ୍ସା ପଦ୍ଧତି କ’ଣ? କରୋନା ସଂକ୍ରମିତ ରୋଗୀଙ୍କ ଦେହରେ ରୋଗ ପ୍ରତିଷେଧକ ଶକ୍ତି କମଥାଏ । ସେମାନଙ୍କ ରୋଗ ପ୍ରତିଷେଧକ ବୃଦ୍ଧି କରିବା ପାଇଁ ଆଉ ଜଣେ ବ୍ୟକ୍ତିର ପ୍ଲାଜମାକୁ ସିଧାସଳଖ କୋଭିଡ଼ ରୋଗୀଠାରେ ଇଂଜେକ୍ଟ କରାଯାଇଥାଏ । ଫଳରେ ଅଚିରେ କୋଭିଡ ସଂକ୍ରମିତ ରୋଗୀର ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ । ଧୀରେ ଧୀରେ ରୋଗୀଟି ଆରୋଗ୍ୟ ଲାଭ କରିବା ଆରମ୍ଭ କରେ । ଏହି ଚିକିତ୍ସା ପଦ୍ଧତି ଶତପ୍ରତିଶତ କୋଭିଡ଼ ରୋଗୀକୁ ଆରୋଗ୍ୟ କରିପାରୁଛି ଏହାର ବଳିଷ୍ଠ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ । ଏହି ଚିକିତ୍ସା ପଦ୍ଧତି ଦ୍ୱାରା ରୋଗୀଙ୍କର ୮୦ ପ୍ରତିଶତ ଆରୋଗ୍ୟ ଲାଭ କରିବା ସମ୍ଭାବନା ରହିଛି । ସୁସ୍ଥ ଲୋକଟିଏ ଯାହା ଦେହରେ ଉତ୍ତମ ରୋଗ ପ୍ରତିଷେଧକ ଶକ୍ତି ଥିବ ସେହି ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ଦରକାର ।

ଯାହାଦ୍ୱାରା ଆଉ ଜଣଙ୍କୁ ସେ ଜୀବନ ଦାନ ଦେବା ଭଳି ହେବ । ସାଧାରଣତଃ ମଣିଷ ରକ୍ତରେ ପାଞ୍ଚଟି ଉପାଦନ ମିଳିଥାଏ, ଲୋହିତ ରକ୍ତକଣିକା (ଆରବିସି), ଶ୍ୱେତ ରକ୍ତକଣିକା (ଡବ୍ଲୁବିସି), ପ୍ଲାଜମା, ପ୍ଲାଟେଲେଟ ଓ ପ୍ଲାଜମା ପ୍ରୋଟିନ୍ । ଆର୍ବିସି, ଡବ୍ଲୁବିସି ଓ ପ୍ଲାଟେଲେଟ୍ ରକ୍ତର ସେଲ ଅଟନ୍ତି । ଆଉ ଗୋଟିଏ ପ୍ରଶ୍ନ ସ୍ୱାଭାବିକ ଭାବରେ ମନରେ ଉଠିଥାଏ ଯେ, କେତେବେଳେ ଜଣଙ୍କର ପ୍ଲାଜମା ଚିକିତ୍ସା ଦରକାର ପଡ଼ିଥାଏ । କୋଭିଡ଼ ସଂକ୍ରମିତ ରୋଗୀ ଯେତେବେଳେ ଅତି ଗୁରୁତର ହେବ, ସେତେବେଳେ ପ୍ଲାଜମା ଚିକିତ୍ସା କରି କୌଣସି ଲାଭ ମିଳିବ ନାହିଁ । ଏହାସହିତ କମ୍ ପରିମାଣରେ ସଂକ୍ରମିତ ବା ବିଶେଷ ଲକ୍ଷଣ ଦେଖାଯାଉନଥିବା ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତି ଆଦୌ ଗ୍ରହଣୀୟ ନୁହେଁ । କୋଭିଡ଼ ରୋଗୀର ଅବସ୍ଥାକୁ ଦେଖି ଠିକ୍ ସମୟରେ ତାର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ପ୍ଲାଜମା ପ୍ରଦାନ କରାଗଲେ ରୋଗୀ ସୁସ୍ଥ ହୋଇପାରିବ । ଅନେକ ପ୍ରଶ୍ନ କରନ୍ତି ଯେ କେଉଁମାନେ ପ୍ଲାଜମା ଦାତା ହୋଇପାରିବେ? କୋଭିଡ଼ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ଯାହାର ରକ୍ତରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ସେହି ବ୍ୟକ୍ତିର ରକ୍ତରୁ ୪୦୦ରୁ ୫୦୦ ମିଲିଲିଟର ପ୍ଲାଜମା ସଂଗ୍ରହ ହୋଇପାରିବ ।

ପ୍ଲାଜମା ଦାନ କରୁଥିବା ବ୍ୟକ୍ତିର ବୟସ ୧୮ରୁ ୬୫ ବର୍ଷ ଭିତରେ ହୋଇଥିବ । ତାର ଓଜନ ୫୦ କିଲୋ କିମ୍ବା ତା ଠାରୁ ଅଧିକ ହେବା ଆବଶ୍ୟକ । କୋଭିଡ଼ ରୋଗରୁ ଆରୋଗ୍ୟ ଲାଭ କରି ମେଡ଼ିକାଲରୁ ଡିସଚାର୍ଜ ହେବାର ୧୪ ଦିନ ପରେ ପ୍ଲାଜମା ଦାନ କରିପାରିବ । ଏହାସହିତ କୋଭିଡ଼ର ଶେଷ ଟିକା ନେବାର ୨୮ ଦିନ ପରେ ସମ୍ପୃକ୍ତ ବ୍ୟକ୍ତିର ରକ୍ତରୁ ପ୍ଲାଜମା ସଂଗ୍ରହ କରାଯାଇପାରିବ । ଥରେ ପ୍ଲାଜମା ଦେବାର ୧୫ ଦିନ ପରେ ପୁଣିଥରେ ସେହି ବ୍ୟକ୍ତି ପ୍ଲାଜମା ଦାନ କରିପାରିବେ ।

କରୋନାର ଦ୍ୱିତୀୟ ଲହରରେ ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି । କିଛି ନିର୍ଦ୍ଧିଷ୍ଟ ଭୂତାଣୁଜନିତ ରୋଗରେ ରୋଗୀ ଆକ୍ରାନ୍ତ ହେଲେ ରୋଗୀଙ୍କ ପ୍ଲେଟଲେଟ୍ କମିଯାଏ । ପ୍ଲେଟ୍ଲେଟ୍ ହେଉଛି ରକ୍ତ କଣିକା (ଉପାଦାନ) । ଲୋହିତ ରକ୍ତ କଣିକା (ଆରବିସି), ଧବଳ ରକ୍ତ କଣିକା (ଡବ୍ଲୁବିସି) ଓ ପ୍ଲେଟ୍ଲେଟ ହେଉଛି ରକ୍ତର ଉପାଦାନ । ପ୍ଲାଜମା ଓ ଏହି ତିନଟି ଉପାଦାନ ମିଶି ରକ୍ତ ତିଆରି ହୋଇଥାଏ । କରୋନାରେ ଆକ୍ରାନ୍ତ କେତେକ ରୋଗୀଙ୍କ ପ୍ଲେଟ୍ଲେଟ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ପ୍ଲେଟଲେଟ ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ । ଶରୀରର ଯଦି କୌଣସି ସ୍ଥାନରେ କଟି ଯାଉଛି ତାକୁ ଚାପି କିଛି ସମୟ ଧରିଲେ ରକ୍ତ ଜମାଟ ବାନ୍ଧି ରକ୍ତସ୍ରାବ ବନ୍ଦ ହୋଇଥାଏ । ପ୍ଲାଜମା ଓ ପ୍ଲେଟଲେଟ୍ ମିଶି ରକ୍ତ ଜମାଟ ବାନ୍ଧିଥାଏ । ପ୍ଲେଟ୍ଲେଟ କମିଗଲେ ଅଧିକ ରକ୍ତସ୍ରାବ ବନ୍ଦ ହୋଇନଥାଏ । ଯଦି ଏହା ୧୦ ହଜାରରୁ ତଳକୁ ଖସି ଆସିବ, ତେବେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ହଠାତ୍ ରକ୍ତସ୍ରାବ ହେବାର ଆଶଙ୍କା ରହିଛି । ବ୍ରେନ୍ ହାମରେଜ୍ ହେବାର ଭୟ ମଧ୍ୟ ରହିଛି ।

ପ୍ଲେଟ୍ଲେଟ କାଉଣ୍ଟର ସାଧାରଣ ସ୍ତର ୧.୫ ଲକ୍ଷରୁ ୪.୫ ଲକ୍ଷ ମଧ୍ୟରେ ରହିଥାଏ । ପ୍ଲେଟଲେଟ୍କୁ ସ୍ୱାଭାବିକ ସ୍ତରରେ ରଖିବା ଜଣେ ରୋଗୀଙ୍କ କ୍ଷେତ୍ରରେ ସେତେଟା ସମ୍ଭବ ନୁହଁ । କରୋନାରୁ ସୁସ୍ଥ ହେଲେ ଧୀରେ ଧୀରେ ଏହା କିଛିଦିନ ପରେ ସ୍ୱାଭାବିକ ସ୍ତରକୁ ଫେରି ଆସିଥାଏ । ଯଦି କୌଣସି କୋଭିଡ଼ ରୋଗୀଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ପ୍ଲେଟଲେଟ କମିଯାଉଛି ତେବେ ତାଙ୍କୁ ପ୍ଲେଟ୍ଲେଟ ଦିଆଯାଉଛି । ଗୋଟିଏ ରକ୍ତ ୟୁନିଟକୁ ସେଣ୍ଟ୍ରିଫୁ୍ୟଜ୍ କରି ଉପାଦାନଗୁଡ଼ିକ ଅଲଗା କରାଯାଇଥାଏ । ତା ମଧ୍ୟରୁ ଆର୍ବିସି, ପ୍ଲାଜମା ଓ ପ୍ଲେଟଲେଟ ବାହାର କରି ରୋଗୀଙ୍କୁ ଦିଆଯାଇଥାଏ । ଏବେ ଡବଲ ମୁ୍ୟଟାଣ୍ଟ, ଟି୍ରପଲ ମୁ୍ୟଟାଣ୍ଟ ଯୋଗୁଁ ଭୂତାଣୁର ସଂକ୍ରମଣ କ୍ଷମତା ବଢ଼ି ଯାଇଛି । ପ୍ରଥମ ଲହରରେ ଅଧିକାଂଶ କ୍ଷେତ୍ରରେ ବୟସ୍କ ଲୋକ ଆକ୍ରାନ୍ତ ହେଉଥିଲେ । କିନ୍ତୁ ଏଥର ବହୁ ଯୁବବର୍ଗ ଓ ଶିଶୁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ।

ଠିକ୍ ସେହିପରି କରୋନା ରୋଗୀଙ୍କ ପ୍ଲେଟଲେଟ ମଧ୍ୟ କମୁଛି । ପ୍ଲେଟଲେଟ କାହାର କମିବ ସେମିତି କିଛି ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ପାରିବ ନାହିଁ । ଭୂତାଣୁର ସଂକ୍ରମଣ ସ୍ଥିତିକୁ ଦେଖି ଶରୀରରେ ତାର ପ୍ରଭାବ ଦେଖିବାକୁ ମିଳିଥାଏ । କିନ୍ତୁ ରୋଗୀ ଏଥିରେ ଗୁରୁତର ହେଉନାହାନ୍ତି । କରୋନା ରୋଗୀଙ୍କ ପ୍ଳେଟଲେଟ୍ କମିବା ଯୋଗୁଁ ତାଙ୍କର ମୃତୁ୍ୟ ଘଟିବ ବୋଲି କୁହାଯାଇ ପାରିବ ନାହିଁ । ଯଦି ରୋଗୀ ମୃତୁ୍ୟବରଣ କରୁଛନ୍ତି, ଏହାପଛରେ ଅନ୍ୟ କିଛି କାରଣ ରହିଥିବ । କରୋନା ପ୍ରଥମେ ଫୁସ୍ଫୁସ୍କୁ ସଂକ୍ରମିତ କରିବା ପରେ କତେକ ଲୋକଙ୍କ କ୍ଷେତ୍ରରେ ଅନ୍ୟାନ୍ୟ ଅଙ୍ଗ ସହିତ ବୋନ୍ମେରୋକୁ ମଧ୍ୟ ଆକ୍ରାନ୍ତ କରି ପ୍ଲେଟଲେଟ ଗଠନ କ୍ଷମତାକୁ ହ୍ରାସ କରିଥାଏ । କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ଧୀରେ ଧୀରେ ଏହା ପୁଣି ଥରେ ସ୍ୱାଭାବିକ ହୋଇଯାଏ ।

Govt
Leave A Reply