ନୂଆଦିଲ୍ଲୀ : ରାଜସ୍ଥାନରେ କରୋନା ମାମଲା ଲଗାତାର ବଢିବାକୁ ଲାଗିଛି l ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି ,ତଥାପି ନିୟମକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି l ଯୋଧପୁରରୁ ଗୋଟିଏ ଏହିଭଳି ମାମଲା ସାମ୍ନାକୁ ଆସିଛି l ଯେଉଁଠାରେ କିଛି ପୋଲିସ କର୍ମୀ ଜଣେ ରେସ୍ତୁରଣ୍ଟ ବ୍ୟବସାୟୀଙ୍କ ସହିତ ଅଭଦ୍ରତା କରିଛନ୍ତି l ସପ୍ତାହ ଶେଷରେ ଲକଡାଉନ ଚାଲିଥିବା ବେଳେ ଜବରଦସ୍ତି ଦୋକାନ ଖୋଲେଇ ଭୋଜି କରିଥିଲେ ଓ ସମ୍ପୂର୍ଣ୍ଣ ପଇସା ମଧ୍ୟ ଦେଇ ନଥିଲେ l ତା ସହିତ କର୍ମଚାରୀ ମାନଙ୍କ ସହିତ ଖରାପ ବ୍ୟବହାର ମଧ୍ୟ କରିଥିଲେ l
ସୂଚନା ଅନୁସାରେ ଏହି ଘଟଣାଟି ଅପ୍ରେଲ ୧୭ ତାରିଖ ଦିନ ଘଟିଥିଲା l ପୋଲିସ କର୍ମୀମାନେ ଜବରଦସ୍ତି ହୋଟେଲ ଖୋଲିବାକୁ କହିଥିଲେ ଓ ମଟନ ଚିକେନ ପ୍ରଚୁର ପରିମାଣରେ ଖାଇଥିଲେ l ସମ୍ପୂର୍ଣ୍ଣ ପଇସା ନଦେଇ ଦୋକାନରେ ଥିବା ପିଲା ମାନଙ୍କ ସହିତ ଗଣ୍ଡଗୋଳ ମଧ୍ୟ କରିଥିଲେ l ଏହି ସମସ୍ତ ଘଟଣା ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି l ଦୋକାନର କର୍ମଚାରୀ ମାନେ କହିଥିଲେ ଯେ ଲକଡାଉନ କାରଣରୁ ମାଲିକ ଦୋକାନ ଖୋଲିବାକୁ ମନା କରିଥିଲେ l
ଆମେ ମାଲିକଙ୍କୁ ଏହି ବିଷୟରେ ପଚାରିଥିଲୁ ,ସେ କହିଲେ ପୋଲିସ ଵାଲା ,ତେଣୁ ଅସୁବିଧା ହେବ ଖାଇବାକୁ ଦେଇଦିଅ l ଏହାପରେ କର୍ମଚାରୀ ହୋଟେଲ ଖୋଲି ଖାଇବା ବ୍ୟବସ୍ଥା କରିଥିଲେ l ସମୁଦାୟ ୮୫୦ ଟଙ୍କାର ବିଲ ହୋଇଥିଲା ,କିନ୍ତୁ ସେମାନେ ୫ ଶହ ଟଙ୍କା ଦେଇ ଚାଲି ଯାଇଥିଲେ l ପଇସା ମାଗିବାରୁ ମାରପିଟ କରିବା ସହିତ ଦୋକାନ ଆଉ ଖୋଲି ପାରିବେ ନାହିଁ ବୋଲି ଧମକ ଦେଇଥିଲେ l ଦୋକାନ ମାଲିକ ଏହି ସମସ୍ତ ବିଷୟରେ ଲିଖିତ ଆକାରରେ ପୋଲିସ କମିଶନରଙ୍କୁ ସୂଚିତ କରିଛନ୍ତି l
