Odisha news

୩୦ଟି ଜିଲ୍ଲା ପାଇଁ ୩୦ ଜଣ ନୋଡାଲ ଅଧିକାରୀ ତୃଣମୂଳସ୍ତର ପର୍ଯ୍ୟନ୍ତ ଯୋଗାଯୋଗ ରକ୍ଷା କରି କୃଷି କାର୍ଯ୍ୟର ତଦାରଖ କରିବେ:ମନ୍ତ୍ରୀ ଡ. ସାହୁ

0

ଭୁବନେଶ୍ୱର : ୧୫ ଅପ୍ରେଲ,୨୦୨୦ : କରୋନା ଭୂତାଣୁ ସଂକ୍ରମଣ (କୋଭିଡ-୧୯) ପରିପ୍ରେକ୍ଷୀରେ ଭାରତ ସମେତ ସାରା ରାଜ୍ୟରେ ଲକଡାଉନ (ତାଲାବନ୍ଦ) ଜାରି କରାଯାଇଥିବାବେଳେ କୃଷି ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ ନିମନ୍ତେ ଲକଡାଉନ କଟକଣା କୋହଳ କରାଯାଇଛି । ସମ୍ପ୍ରତି ରାଜ୍ୟରେ ରବି ଫସଲ ଅମଳ ହେଉଥିବା ଓ ଖରିଫ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନେ ଅଧିକ କି୍ରୟଶୀଳ ହେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଛନ୍ତି । ନୋଡାଲ ଅଧିକାରୀମାନେ କ୍ଷେତ୍ର ଅଧିକାରୀମାନଙ୍କ ସହିତ ନିରନ୍ତର ସମ୍ପର୍କ ରଖିବେ, ଯେପରି କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ସମୟୋଚିତ ପଦକ୍ଷେପ ନିଆଯାଇପାରିବ । ଏଥିନିମନ୍ତେ ତଦାରଖ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବା ପାଇଁ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଲକଡାଉନ ସମୟରେ ରାଜ୍ୟରେ କୃଷି କାର୍ଯ୍ୟ କିପରି କରାଯିବ ସେଥିନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ସାମାଜିକ ଦୂରତ୍ୱକୁ ମାନି କୃଷି କାର୍ଯ୍ୟ କରିବାକୁ ପଡ଼ିବ । ଲକଡାଉନ ଯୋଗୁ ଉପୁଜିଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରି କୃଷି କାର୍ଯ୍ୟକୁ ପୁନର୍ବାର ତାର ପୂର୍ବସ୍ଥିତିକୁ ଫେରାଇ ଆଣିବା ଦିଗରେ ଅଧିକାରୀମାନଙ୍କୁ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଛନ୍ତି । ନୋଡ଼ାଲ ଅଧିକାରୀମାନେ ପ୍ରତ୍ୟହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଏବଂ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଯୋଗାଯୋଗରେ ରହିବା ସହିତ ସିଧାସଳଖ ଉପଖଣ୍ଡ, ବ୍ଲକ୍‍ ଏବଂ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା କୃଷି ଅଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ କରି ତୃଣମୂଳ ସ୍ତରରେ ଉପୁଜୁଥିବା ସମସ୍ୟାର ଖବର ସଂଗ୍ରହ କରି ସମାଧାନର ପନ୍ଥା ନିରୂପଣ କରିବେ ଏବଂ ପ୍ରତିଦିନ ସନ୍ଧ୍ୟାରେ ହ୍ୱାଟସପ୍‍ ମାଧ୍ୟମରେ ରିପୋର୍ଟ ପ୍ରଦାନ କରିବେ । ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ଦ୍ୱାରା ଖୋଲାଯାଇଥିବା କଣ୍ଟ୍ରୋଲ୍‍ ରୁମ୍‍ ସହିତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ଅନ୍ୟ ବିଭାଗ ସହିତ ନିୟମିତ ସମନ୍ୱୟ ରଖିବେ । କୃଷିଜାତ ଦ୍ରବ୍ୟ ବିଶେଷ କରି ଫଳ ଓ ପନିପରିବା ଯେପରି ସୁବିଧାରେ ବିକି୍ର ହୋଇ ପାରିବ ସେଥିନିମନ୍ତେ ହୋଲସେଲର, ଟ୍ରେଡ଼ର ଓ ଖୁଚୁରା ବିକ୍ରେତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । କୋଭିଡ଼୍‍-୧୯ ପରିପ୍ରେକ୍ଷୀରେ ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜିର ବହୁଳ ବ୍ୟବହାର, ସୋସିଆଲ ମେଡ଼ିଆର ଉପଯୋଗ କରି ହ୍ୱାଟ୍ସ୍‍ଆପ୍‍ ଗ୍ରୁପ ମାଧ୍ୟମରେ ତଥ୍ୟ ଓ ସୂଚନାର ଆଦାନ ପ୍ରଦାନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ସୂଚନାଯୋଗ୍ୟ ଯେ, କୃଷି କାର୍ଯ୍ୟର ତଦାରଖ ଓ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ସୌରଭ ଗର୍ଗ ହ୍ୱାଟ୍ସଆପ ମାଧ୍ୟମରେ ଭାରତର ବିଭିନ୍ନ ବଜାରର ସ୍ଥିତି ସମ୍ପର୍କରେ ମିଳୁଥିବା ସୂଚନାକୁ ଉପଯୋଗ କରି ରାଜ୍ୟର କୃଷିଜାତ ଦ୍ରବ୍ୟର ବିକି୍ର ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଚାଷୀମାନେ “ଆମ କୃଷି’ ହେଲପ୍‍ ଲାଇନ ସେବାର ବହୁଳ ଉପଯୋଗ କରିବା ଉପରେ ପ୍ରମୁଖ ସଚିବ ଡ.ଗର୍ଗ ଗୁରୁତ୍ୱାରୋପ କରିଥିଲେ । ଏହି ସେବା ମାଧ୍ୟମରେ ଚାଷୀମାନଙ୍କ କୃଷି ସୂଚନା ବ୍ୟତୀତ କୃଷି ବଜାରର ସୂଚନା ଦେବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । କୃଷିଜାତ ଦ୍ରବ୍ୟର ବିକି୍ରବଟା ଏବଂଏହାର ପରିବହନ ଉପରେ କୌଣସି କଟକଣା ନଥିବା ପରିପ୍ରେକ୍ଷୀରେ କୃଷି ଅଧିକାରୀମାନେ କୃଷିଜାତ ଦ୍ରବ୍ୟର ବିକି୍ର ଦିଗରେ ଚାଷୀମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ଡ.ଗର୍ଗ କହିଥିଲେ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‍ ମୁଥୁକୁମାର ଉପସ୍ଥିତ ଥିଲେ ।

Leave A Reply