ଜଗତସିଂହପୁର : ଦୃତ ଗତିରେ ବ୍ୟାପିଚାଲିଥିବା କରୋନା ମହାମାରୀ କବଳରୁ ଲୋକମାନେ ସୁରକ୍ଷିତ ରହିବାକୁ ହେଲେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ସହିତ ମନ୍ଦିର ମସଜିଦ୍ ଆଦି ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରଖିବା ପରି ବିଭିନ୍ନ ନିୟମ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ କିନ୍ତୁ ଏହାକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସମୁହ ନମାଜ୍ ପାଠକୁ ବିରୋଧ କରିବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପୋଲିସ କର୍ମୀ ବୋଲି ଜଣାପଡିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିନ ଆଖୁନମହଲା ମସଜିଦ୍ ରେ ସମୂହ ନମାଜ୍ ପାଠକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଆଖୁନମହଲା ମସଜିଦ୍ ରେ ସମୂହ ନମାଜ୍ ପାଠ ହେଉଥିବା ଖବର ପାଇ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୁହଁରେ ମାସ୍କ ବାନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହି ତାଗିଦ୍ କରିଥିଲେ ବୋଲି ଜଣାପଡିଥିବା ବେଳେ ଅନ୍ୟ ପକ୍ଷରେ ଫାଣ୍ଡି ଅଧିକାରୀ ଯୋତା ପିନ୍ଧି ମସଜିଦ୍ ଭିତରେ ପଶିଯାଇଥିଲେ ବୋଲି ମଧ୍ୟ କୁହାଯାଉଛି। ଉକ୍ତ ଘଟଣା ପରେ ପାଖାପାଖି ୫ଶହରୁ ଉର୍ଦ୍ଧ ଲଘୁସମ୍ପ୍ରଦାୟର ବ୍ୟକ୍ତି ଫାଣ୍ଡି ପରିସରରେ ପହଞ୍ଚି ତୁମୂଳକାଣ୍ଡ ଘଟାଇଥିଲେ। ଫାଣ୍ଡି ଘେରାଉ କରିବା ସହ ଫାଣ୍ଡି ଉପରକୁ ଟେକାପଥର ମାଡ କରି ଫାଣ୍ଡିର କବାଟ ଝରକା ଫାଣ୍ଡିରେ ଥିବା ଗାଡିକୁ ଭଙ୍ଗାରୁଜା କରିବା ସହିତ ଫାଣ୍ଡି ପରିସରରେ ଥିବା ଏକ ଗାଡିକୁ ପୋଡି ଦେଇଥିଲେ।
ଫାଣ୍ଡି ପରିସରରେ ଉତ୍ତେଜନା ଲାଗିରହିଥିବାରୁ ଫାଣ୍ଡିରେ ଫସିରହିଥିଲେ ପୋଲିସ୍ କର୍ମୀ। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଖବର ପାଇ ତିର୍ତ୍ତୋଲ ଆଇ.ଆଇ.ସି , ଏସ୍.ଡି.ପି. ଓ , ଜଗତସିଂହପୁର ଜିଲ୍ଲାପାଳ ଏବଂ ଏସ୍.ପି ଘଟଣା ସ୍ଥଳରେ ପହଞ୍ଚି ମୁରବୀ ମାନଙ୍କ ସହିତ ଆଲୋଚନା ଓ ବୁଝାସୁଝା କରିବା ପରେ ଉତ୍ତେଜନା ଧମିଥିଲା। ସ୍ଥାନୀୟ ଲୋକଙ୍କ ଦାବୀ ଥିଲା କି ତୁରନ୍ତ ଫାଣ୍ଡି ଅଧିକାରୀଙ୍କୁ ଏଠୁ ବଦଳି କରାଯାଉ। ତାଙ୍କ ଦାବୀ ମୁତାବକ ଜିଲ୍ଳା ପ୍ରଶାସନ ପକ୍ଷରୁ ଫାଣ୍ଡି ଅଧିକାରୀଙ୍କୁ ତିର୍ତ୍ତୋଲ ଥାନାକୁ ପଠାଇ ଦିଆଯାଇଥିଲା ଓ ତାପରେ ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଶାନ୍ତ ପଡିଥିଲା। ଆଜି ସକାଳୁ ବି ପରିସ୍ଥିତି ଓ ପରିବେଶ ଶାନ୍ତ ରହିଚି ବଜାର ଘାଟ ଶୋଭାବିକ ଭାବେ ଚାଲୁଥିବା ସୂଚନା ଦେଇଛନ୍ତି ଏସଡିପିଓ ଦୀପକ ରଞ୍ଜନ ଜେନା।
