କୋଲକାତା : ପଶ୍ଚିମବଙ୍ଗରେ ଆଜି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ କାଁ ଭାଁ ହିଂସାକାଣ୍ଡ ସହ ଶେଷ ହୋଇଛି । ନିର୍ବାଚନ କମିଶନ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ୫ଟା ସୁଦ୍ଧା ୭୯ ପ୍ରତିଶତ ମତଦାନ ହୋଇଛି ।
ଆଜି ରାଜ୍ୟର ୪୩ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହୋଇଥିଲା । ଏହି ପର୍ଯ୍ୟାୟ ନିର୍ବାଚନରେ ମୋଟ ୩୦୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ୨୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ତୃଣମୂଳ କଂଗ୍ରେସ ଓ ବିଜେପି ଏହି ସମସ୍ତ ୪୩ଟି ଆସନ ପାଇଁ ପ୍ରାର୍ଥୀ ଦେଇଛନ୍ତି । ସେହିପରି ଏହି ପର୍ଯ୍ୟାୟରେ ମୋଟ ୧ କୋଟି ଭୋଟରଙ୍କ ମଧ୍ୟରୁ ୭୯ ପ୍ରତିଶତ ଭୋଟର ନିଜର ଭୋଟଦାନ ଅଧିକାରର ପ୍ରୟୋଗ କରିଛନ୍ତି । ଆଜିର ଭୋଟଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ପଶ୍ଚିମବଙ୍ଗରେ ଆହୁରି ଦୁଇ ପର୍ଯ୍ୟାୟ ଭୋଟଗ୍ରହଣ ବାକି ଥିବାବେଳେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଆଉ କେତେକ କଟକଣା ଲାଗୁ କରିଛନ୍ତି । ଅବଶିଷ୍ଟ ଦୁଇ ପର୍ଯ୍ୟାୟ ପାଇଁ ବାଇକ ରାଲି ଓ ରୋଡସୋକୁ ବାତିଲ କରାଯାଇଛି । ସେହିପରି ଗୋଟିଏ ନିର୍ବାଚନୀ ସଭାରେ ୫୦୦ରୁ ଅଧିକ ଲୋକଙ୍କୁ ଏକତ୍ରିତ ହେବାକୁ ଦିଆଯିବ ନାହିଁ ।