ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଜଳ ହିଁ ଜୀବନ । ଆଜିକାଲି ଅସଂଖ୍ୟ ବିଜ୍ଞାପନ ଅଗଣିତ ପୋଷ୍ଟର ଗୁଡିକ ମାଧ୍ୟମରେ ମଧୁରଜଳ ଅପଚୟ ନକରି ସଂଚୟ କରିବାକୁ ଯେତେ କହିଲେ ବି ଆଖିଦୃଶିଆ ସଫଳତା ଏ’ପର୍ଯ୍ୟନ୍ତ ମିଳି ପାରିନାହିଁ । ସମସ୍ତଙ୍କ ଜ୍ଞାତସାରରେ ଅଛି ଯେ ସମୂଦାୟ ୭୦%ଜଳ ଭାଗରୁ ମାତ୍ର ୦.୦୩%ଜଳ କେବଳ ଆମର ବ୍ୟବହାର ଉପଯୋଗୀ । ତେଣୁ ଏହାର ବିନ୍ଦୁଟିଏ ବି ନଷ୍ଟ କରିବା ଉଚିତ୍ ନୁହେଁ । କିନ୍ତୁ କିଛିଲୋକ ଆଖପାଖର ନଦୀନାଳ ଦେଖି ବିଶ୍ୱାସ କରନ୍ତି ଯେ ଆମପାଖରେ ମଧୁର ଜଳର ଅସରନ୍ତି ଭଣ୍ଡାର ଗଚ୍ଛିତ ରହିଛି, ଯେମିତି ବି ଖର୍ଚ୍ଚ କଲେ କେବେ ବି ସରିବାର ପ୍ରଶ୍ନ ଉଠୁନାହିଁ ।
ସେହି ଭଦ୍ରଲୋକମାନଙ୍କୁ ଅମରାବତୀ ରେଳ ଯୋଗେ ଅପ୍ରେଲ, ମେଁ ଓ ଜୁନ୍ ମାସରେ ହାଓରାରୁ ଗୋଆ ପଠେଇବା ଦରକାର । ମୁଁ ବହୁତଥର ସେ ରାସ୍ତାରେ ଯାଇ ଦେଖିଛି ଯେ ବେଲାରୀ ପରେପରେ ହଷ୍ପେଟ୍ କୋପଲ୍ ଗଦଗ୍ ଆଦି ଷ୍ଟେସନ୍ ମଝିରେ ଚେନ୍ ପୁଲ୍ କରି ଲୋକେ ରେଳରୋକ କରନ୍ତି । ପାଇଖାନାରୁ ପାଣି ସଂଗ୍ରହ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲେ ।
ସେହି ପାଣିକୁ ସେମାନେ ରୋଷେଇବାସ ସହ ପିଇବା କାମରେ ମଧ୍ୟ ଲଗାଇଥାନ୍ତି । ଆପଣ ବେଳେବେଳେ ନଗରପାଳିକା କ୍ଷେତ୍ରରେ ବଡବଡ ଶିକ୍ଷିତ ଲୋକଙ୍କ ଘରେ ବି ସମୂହ ଜଳଯୋଗାଣ ପାଣିନଳ ମୁହଁରେ ବନ୍ଦକରିବା ପାଇଁ ଚାବି ବା ଚୋଟି ନଥିବା ଦେଖିବାକୁ ନିଶ୍ଚିତ ଭାବରେ ପାଇଥବେ । ସକାଳେ ସଞ୍ଜରେ ନଳରେ ଦୁଇ ଦୁଇଘଂଟା ପାଇଁ ସପ୍ଲାଏପାଣି ଆସିଲେ ଅବିରତ ସେ’ନଳରୁ ବୋହିବୋହି ପାଖ ଡ୍ରେନ୍ରେ ପଶି ଚାଲିଯାଏ । ଏସବୁ ଦେଖିଲେ କୌଣସି ସଚେତନ ନାଗରିକଙ୍କ ଦେହ ଆଦୌ ସହିବାକଥା ନୁହେଁ । କିନ୍ତୁ ସ୍ୱର୍ଗକୁ ନିଶୁଣି ନାହିଁ କି ବଡଲୋକଙ୍କୁ ଉତ୍ତର ନାହିଁ । ପ୍ରଭାତଭାଇ ଓ ସନ୍ଧ୍ୟାଭାଉଜଙ୍କ ଭିତରେ କାଲିରାତିରୁ ଭୀଷଣ ଗଣ୍ଡଗୋଳ ।
ତାଲାବନ୍ଦି ଦିନରୁ ପ୍ରଭାତଭାଇ ଘରେରହି ସନ୍ଧ୍ୟାଭାଉଜକୁ ବରାବର ଲକ୍ଷ କରୁଛି । ମୋଦୀଜୀଙ୍କ ଆଜ୍ଞାବକ ଶିଷ୍ୟପରି ପ୍ରତିଘଂଟାରେ ଥରେଥରେ ହାତ ଧୋଉଛି ଏବଂ ପାଣିନଳ ଚାଲୁରଖି ରିଟାଯାକ ଛୁଆଙ୍କୁ ବି ଧୋଇବାକୁ ବାଧ୍ୟ କରୁଛି । ପ୍ରଥମ ଦୁଇଟିଯାକ ଝିଅଛୁଆ ଜନ୍ମହେବାରୁ ସନ୍ଧ୍ୟାଭାଉଜ ଜିଦ୍କଲେ ଘରେଗୋଟେ ପୁଅଛୁଆ ନିହାତି ଦରକାର । ପୁଅଟିଏ ପାଇବାପାଇଁ ଓଷାବ୍ରତ ବେଶି କରି ସତ୍ୟନାରାୟଣ ଷୋଳପାଲା ବି ମାନସିକ କଲେ । ତୃତୀୟଗର୍ଭରୁ ସନ୍ଧ୍ୟାଭାଉଜଙ୍କର ଦୁଇଟି ଯାଆଁଳାପୁଅ ଜନ୍ମହେଲେ । ପ୍ରଭାତଭାଇର ମୁଣ୍ଡ ଖରାପ, ସମସ୍ତଙ୍କୁ ମଣିଷ କେମିତି କରିବ! ତେଣୁ ଏବେ ସବୁଖର୍ଚ୍ଚରୁ କିଛିକିଛି କଟୌତିକରି ଅଳ୍ପଅଳ୍ପ ସଂଚିବାକୁ ପ୍ରଭାତଭାଇଙ୍କର ଯୋଜନା, ହେଲେ ସନ୍ଧ୍ୟାଭାଉଜଙ୍କର ଏଥିରେ ତାଙ୍କୁ ମୂଳରୁ ସହଯୋଗ ନାହିଁ । ବିଜୁଳିବିଲ୍ ମାସକୁ ଦୁଇହଜାର ଟଙ୍କା ଆସୁଛି । ପଡିଶାଘର ରବିଭାଇର ମାସକୁ ଅତିବେଶିରେ ଛଅଶହ ।
ଘରେ ଏସିଫ୍ରିଜ୍ କିଛି ନାହିଁ, କିନ୍ତୁ ବିଜୁଳିବିଲ୍ ଚାରିଗୁଣା । ଘରେ କେହି ନଥିବାବେଳେ ମଧ୍ୟ ପଙ୍ଖା ବୁଲୁଛି । ତାଲାବନ୍ଦି ହେବାରୁ ସନ୍ଧ୍ୟାଭାଉଜଙ୍କୁ ପ୍ରଭାତଭାଇ ଦିନରାତି ଚବିଶଘଂଟା ନିକଟରୁ ଦେଖି ତା’ଙ୍କ ପାଖରେ ଏକ ବିରାଟ ଗୁପ୍ତଲକ୍ଷଣର ଆବିଷ୍କାର କରିଛନ୍ତି । ସେ ଲକ୍ଷଣଟି ଯୋଗୁଁ ବହୁତ ଟଙ୍କା ପାଣିପରି ବୋହି ଯାଉଛି, ତାହା ହେଲା ଶୁଚିବାଇ ।
ସନ୍ଧ୍ୟାଭାଉଜଙ୍କ ବାପଘର ବାଲିସାହି, ସାପୁଆ ନଦୀକୂଳରେ । ପ୍ରଭାତଭାଇ ଘର ମେଘା, ମୁଣ୍ଡିଆଉପରେ । ବାପଘରେ ଥିଲାବେଳେ ସନ୍ଧ୍ୟାଭାଉଜ ଦିନକୁ ତିନି ଚାରିଥର ଗାଧାଏ । ମନହେଲେ ବନ୍ଧତଳକୁ ଗଡିଗଲେ ଅକାତକାତ ପାଣି । ବାରମାସି ନଦୀରେ ସୁଅ ଚାଲେ । ଘରଠାରୁ ମାତ୍ର ଶହେଫୁଟ ଦୂରତାରେ ନଦୀ । କିନ୍ତୁ ବାହାହୋଇ ଶାଶୂଘରକୁ ଗଲାପରେ ଶ୍ୱଶୁର ଏତେଏତେ ପାଣି ନଷ୍ଟ କରିବାରୁ ବୋହୂର ଏ’ଅଭ୍ୟାସଟିକୁ ଭଲ ପାଇଲେନି । ମେଘାଗାଁରେ କୂଅଗୁଡା ବହୁତ ଗଭୀର । ଶହେ ଦେଢଶହ ଫୁଟ ।
ଖରାଦିନେ ପ୍ରାୟେ ଶୁଖିଯାଏ । ନିଜକୂଅ ନ’ଶୁଖିଲା ଯାଏ ପାଣିର ମହତ୍ୱ କାହାକୁ ଭଲଭାବରେ ଜଣାପଡେନି । ଯେତେବେଳେ ଦାସପୁର ତଳମାଳ ବୁଲାବାବୁଙ୍କ କୂଅରୁ ପାଣିକାଢି ଗରାରେ କାଖେଇ କି ମୁଣ୍ଡରେ ମାଠିଆ ମୁଣ୍ଡେଇ ପାହାଡଉଠି ପାଣି ବୋହିବାକୁ ହୁଏ, ସେତେବେଳେ ଯାଇ ପ୍ରତିଟି ପାଣିବିନ୍ଦୁର ମହତ୍ୱ ସମସ୍ତେ ବୁଝନ୍ତି । ସନ୍ଧ୍ୟାଭାଉଜ ତ ମେଘାରେ ନୂଆବୋହୁ । କୂଅ ଶୁଖିଗଲେ ଦୁଇମାଇଲିରୁ ପାଣି ବୋହିବାକୁ ଶାଶୂ ଓ ନଣଦ ଯିବେ । ତା’ଙ୍କର କ’ଣ ଚିନ୍ତା । ହେଲେ ଶସୁର ଏମିତି ପାଣିନଷ୍ଟ ଦେଖି ପୁଅକୁ କହିଲେ ବୋହୂକୁ ସହରକୁ ନେଇ ଭଡାଘର ଦେଖି ରୁହ । ଶାଶୂର ବି ଏକାକଥା । ପ୍ରଭାତଭାଇ ବି ଶେଷରେ ସେଇଆ କଲା ।
ଆଠଗଡ ସହରରେ ପ୍ରଥମେ ଆସି ମୁଣ୍ଡିଆ ଉପର ହାଉସିଂ ବୋର୍ଡକଲୋନିରେ ଭଡାଘରଟିଏ ନେଲେ । ଗୋଟିଏ ବିଲ୍ଡିଂ, ତଳେ ଦୁଇଜଣ ଭଡାଟିଆ ଉପରେ ଦୁଇଜଣ, ଏମିତି ଚାରିଜଣ ଭଡାଟିଆଙ୍କ ପାଇଁ ବିଜୁଳିମିଟର ଗୋଟିଏ । ଯାହା ବିଲ୍ ଆସୁଥିଲା ଚାରିଭାଗ କରି ମିଳିମିଶି ଆଗରୁ ପୈଠ କରୁଥିଲେ । ଗତମାସରେ ସମୁଦାୟ ବିଲ୍ ଆସିଥିଲା ଷୋଳଶହ, ଜଣକା ଚାରିଶହ ଟଙ୍କା ଲେଖାଏଁ ଭାଗ ପଡିଥିଲା । ପ୍ରଭାତଭାଇ ପରିବାର ଆସି ରହିବାର ମାସକପରେ ପ୍ରଥମଥର ପାଇଁ ବିଜୁଳି ବିଲ୍ ଆସିଲା ଚାରିହଜାର ।
ପଡିଶାଘର ଲୋକେ ଆଶ୍ଚର୍ଯ୍ୟ । ସମସ୍ତେ ଭାବିଲେ ମିଟର ଖରାପ ହେଲା ନା କ’ଣ! କୁନ୍ଥୁକୁନ୍ଥୁ ହୋଇ ଭରିଲେ ସିନା କିନ୍ତୁ ମନ ଅଶାନ୍ତି ରହିଲା । ସମସ୍ତେ ସମସ୍ତଙ୍କୁ ଜଗିଲେ । ଛାତଉପରେ ସନ୍ଧ୍ୟାଭାଉଜଙ୍କର ପ୍ରତିଦିନ ଆଠ ନଅହଳ ପୋଷାକ ସଫାହୋଇ ଶୁଖିବାର ସମସ୍ତଙ୍କ ନଜରକୁ ଆସିଲା । ସମସ୍ତେ ଅଭିଯୋଗ କରିବାରୁ ଘରମାଲିକ ଜୟିବାବୁ ଆସି ଦିନେ ପ୍ରଭାତବାବୁଙ୍କୁ ପଚାରିଲେ, ‘ କ’ଣ ଲଣ୍ଡ୍ରି ବ୍ୟବସାୟ ଆରମ୍ଭ କଲଣି! ତୁମର ତ ଛୁଆଙ୍କୁ ମିଶେଇ ସର୍ବମୋଟ ଛଅଜଣ । ସବୁଦିନେ ନଅହଳ ପୋଷାକ କାହାର ସଫାକରି ଛାତରଶିରେ ଶୁଖାଉଛ?’ ପ୍ରଭାତଭାଇ ବି ଭାବୁଥାନ୍ତି ସତ ତ! ଏତେ ସଫା କ’ଣ ହେଉଛି? ସମସ୍ତଙ୍କ ଘରେ କିଲେ ସର୍ଫଏକ୍ସେଲ୍ ଦୁଇମାସ ଗଲାବେଳେ ଆମର ଦୁଇକିଲୋ ସର୍ଫଏକ୍ସଲ ଗୋଟିଏମାସ ବି ଯାଉନି ।
ମାଲିକ କହିଲା ତୁମେ ଘର ଛାଡିଦିଅ । ତୁମେଆସିବା ଦିନଠାରୁ ଗୋଟିଏ ଦିନରେ ପାଂଚଥର ମୋଟର ଚଲେଇ ପାଣି ଉଠେଇବାକୁ ପଡୁଛି । ଆଗରୁ ଥରେ ଉଠେଇଲେ ଢେର୍ ହେଉଥିଲା । ଦୁଇମାସପରେ ପ୍ରଭାତ ଭାଇ ସନ୍ଧ୍ୟାଭାଉଜଙ୍କୁ ଧରି ଗଦାସାହି ଟୁବୁଲାବାବୁଙ୍କ ଘରକୁ ସିପ୍ଟ କରିଗଲେ ।
ଘର ମାଲିକମାନେ ସମସ୍ତେ ନିଜନିଜର ଘର ବିଷୟରେ ଅବଗତ । ପୂର୍ବରୁ ହାରାହରି ବିଜୁଳିବିଲ୍ ଚାରିଶହରୁ ଛଅଶହ ଟଙ୍କା ଭିତରେ ଆସେ । ଏମାନେ ରହିଲା ମାସ ଦୁଇହଜାର ଟଙ୍କା ଅଧିକ ଆସିବାରୁ ଆଲଗା ବିଜୁଳିମିଟର ଟିଏ ଲଗେଇ ଯାହା ପ୍ରକୃତଦେୟ ତାଙ୍କଠାରୁ ଆଦାୟ କଲେ । ହେଲେ ଟୁବୁଲାବାବୁ ଡରିଲେ । ଆଗକୁ ଖରାଦିନଆସୁଛି, ଯଦି ଏଇ ହିସାବରେ ଏମାନେ ପାଣି ଖର୍ଚ୍ଚକଲେ ତେବେ ଆମ ବୋର୍ ଶୁଖିଯିବ ।
କାହାକୁ ବି ଏଠି ପାଣି ମିଳିବନି । ସିଏ ଯାହିତାହି ତିନିମାସ ଆଡ୍ଜଷ୍ଟ କରି ପ୍ରଭାତବାବୁଙ୍କୁ ଘରଛାଡିବାକୁ କହିଲେ । ଏଥର ସନ୍ଧ୍ୟାଭାଉଜ ପ୍ରଭାତଭାଇଙ୍କୁ କହିଲେ ଗୋଟିକିଆ ଘରଦେଖ, ଯେଉଁଠି ମାଲିକ ପାଖରେ ରହୁନଥିବ । ଶେଷରେ ଅଶୋକବାବୁଙ୍କ ଘରକୁ ପସନ୍ଦ କଲେ । ସିଏ ନିଜେ ରୁହନ୍ତି କଟକରେ, ବର୍ଷକରେ ଥରେ ବି ଆଠଗଡ ଘରକୁ ଦେଖିବାକୁ ଆସନ୍ତିନି । ପ୍ରଭାତବାବୁ ଘରଭଡା ନେଟ୍ବ୍ୟାଂକିଂରେ ଟ୍ରାଂସଫର୍ କରିଦିଅନ୍ତି । ଇଲେକ୍ଟ୍ରିବିଲ୍ ଦୁଇରୁ ଅଢେଇହଜାର ଭିତରେ ଆସୁଛି ଏବଂ ମାସକୁ ସର୍ଫଏକ୍ସଲ୍ ବାବଦ ଖର୍ଚ୍ଚ ହଜାରେ ଟଙ୍କା ଉପରେ । ଏଥିରୁ ଚେଷ୍ଟା କଲେ ଅତିକମ୍ରେ ଦୁଇହଜାର ଟଙ୍କା ବଂଚେଇ ହୁଅନ୍ତା । କିନ୍ତୁ ମୁଖ୍ୟବାଧକ ହେଲା ସନ୍ଧ୍ୟା ଭାଉଜଙ୍କର ସେଇ ମାରାତ୍ମକ ଲକ୍ଷଣ, ଯାହାର ନାଁ ଶୁଚିବାଇ ।
ଆଗରୁ ଟିକେ ରକ୍ଷା ଥିଲା । ଏବେ କରୋନା ପାଇଁ ଟିଭିରେ ପ୍ରଚାର ହେବାଦିନଠାରୁ ପ୍ରତିଘଂଟାରେ ମୋଟରଚଲେଇ ପାଣି ଉଠେଇବାକୁ ପଡୁଛି । ସନ୍ଧ୍ୟା ଭାଉଜ ନଳଖୋଲା କରି ନିଜେ କାଖଯାଏ ଦଶଥର ଧୋଇଲା ପରେ ଚାରିଛୁଆଙ୍କୁ ଜଣକ ପରେ ଜଣେ ଧୋଇବାକୁ ନିଦେ୍ର୍ଦଶ ଦେଉଛନ୍ତି । ଏମିତି ପାଣିନଳଟି ପଚିଶ ମିନିଟ୍ୟାଏ ଲଗାତାର ଚାଲୁଛି । ପ୍ରଭାତବାବୁ ବାହାରକୁ ଗଲେ ଆଇଲେ ତାଙ୍କ ପିନ୍ଧାପୋଷାକ ଧୂଆଯାଉଛି, ସିଏ ନିଜେ ବି ଗାଧୋଉଛନ୍ତି । ଶୁଚିବାଇ ରୋଗ ପ୍ରଭାବରେ ଯଦି କିଏ ତାଙ୍କ ବାହାର ଲୁହାଫାଟକରେ ହାତ ଲଗେଇଦେଲା ତେବେ ସନ୍ଧ୍ୟାଭାଉଜ ଗୋଟିଏ ବାଲ୍ଟିପାଣିରେ ପୋଷେସର୍ଫଏକ୍ସଲ୍ ଗୋଳେଇ ପୋଛାମାରିବାକୁ ଫାଟକପାଖରେ ତୁରନ୍ତ ହାଜର ହୋଇଯାଉଛନ୍ତି ।
ପାନିଆଟିଏ ମୁଣ୍ଡ କୁଣ୍ଡୋଉକୁଣ୍ଡୋଉ ଯଦି ଛୁଆଙ୍କ ହାତରୁ ଖସି ତଳେ ପଡିଗଲା ତେବେ ସାବୁନପାଣିରେ ଧୁଆହେଉଛି, ଆଗପରି ସେମିତି ନଅଦଶ ହଳ ପୋଷାକ ସବୁଦିନେ କଚା ଚାଲିଛି । ଦିନେ ବଡଝିଅ ତଳେବସି ଚିତ୍ରାଙ୍କନ କରୁଥିବାର ସନ୍ଧ୍ୟାଭାଉଜ ଦେଖିଲାପରେ ତାର ସେହି ଚିତ୍ରାଙ୍କନ ଖାତାଟିକୁ ନେଇ ସର୍ଫପାଣିରେ ବୁଡେଇଦେଲେ । ଝିଅ ହାଁ ହାଁ କରୁକରୁ କଥା ସରିଲାଣି । ପାଣିରୁ ଉଠେଇ ଶୁଖେଇବାକୁ ନେଲାବେଳକୁ ଭିତର ଚିତ୍ରଗୁଡିକ ସବୁ ମଡର୍ଣ୍ଣଆର୍ଟ ହୋଇ ପୃଷ୍ଠାଗୁଡିକ ଛିଣ୍ଡି ପଡୁଥାଏ । ପ୍ରଭାତଭାଇ ଏସବୁ ଚଳେଇନେଉଛନ୍ତି । କିନ୍ତୁ ଗଣ୍ଡଗୋଳର ମୂଳକାରଣ ହେଲା ସନ୍ଧ୍ୟାଭାଉଜଙ୍କର ଏବେ ନୂଆନୂଆ ଗ୍ୟାସ୍ରୋଗ ଦେଖାଦେଇଛି । ତାଲାବନ୍ଦି ପାଇଁ ମର୍ଣ୍ଣିଂୱାକ୍ ବି ଯାଇହେଉନି । ସେଥିପାଇଁ ଅଧୋବାୟୁ ଜୋର୍ଶଦ୍ଦରେ ମଳଦ୍ୱାରଦେଇ ବାହାରୁଛି । ତେଣୁ ସନ୍ଧ୍ୟାଭାଉଜ ପାଇଖାନା ଯିବା ମାତ୍ରେ ପାଣିନଳ ପୂରାଖୋଲି ପ୍ୟାନ୍ରେ ବସୁଛନ୍ତି, ଯେମିତି ପାଣିପଡିବା ଶଦ୍ଦ ଛଡା ଅନ୍ୟକିଛି ଶଦ୍ଦ ପାଇଖାନା ଘରବାହାରକୁ ଶୁଣାଯିବନି ।
କବ୍ଚ ବିମାରି ତ ପ୍ରଥମରୁ ଅଛି, ତେଣୁ ତାଙ୍କର ପାଇଖାନାରେ ପଶିବା ଏବଂ ବାହାରିବା ଭିତରେ ଅତିକମ୍ରେ ଅଧଘଂଟାରୁ ପଇଁଚାଳିଶ ମିନିଟ୍ ସମୟ ଦରକାର । ସେଥିପାଇଁ କେବଳ ପାଇଖାନା ଯିବାସମୟରେ ଦୁଇଥର ଟାଙ୍କି ଫୁଲ୍ କରିବାପାଇଁ ଅତିରିକ୍ତ ମୋଟର ଚଲେଇବା ଦରକାର ପଡୁଛି । ଏସବୁ ଦେଖି ପ୍ରଭାତଭାଇଙ୍କର ମୁଣ୍ଡ ବେଶି ଖରାପ ।
ଝିଅଦୁଇଟା ପଛକୁପଛ କଦଳିଗଛ ପରି ବଢୁଛନ୍ତି । ତାପରେ ଆମେମାନେ ଶିକ୍ଷିତ ହୋଇ ଯଦି ଏମିତି ମଧୁରଜଳ ଭଣ୍ଡାର ନଷ୍ଟକରିବା ତେବେ ସଂସାର ବଂଚିବ କେମିତି! ଗୋଟିଏ ଛୋଟିଆ ହିସାବ । ଭାରତରେ ଶହେ ଛବିଶି କୋଟି ଲୋକ । ତାଙ୍କ ଭିତରୁ ହିନ୍ଦୁ ମୁସ୍ଲିମ୍ ମିଶି ଛବିଶକୋଟି ଭାବନ୍ତୁ ମୌଲ୍ଲା ସାଦ୍ଙ୍କର ମରକଜବାଲା ଲୋକ, ବାକି ତ ଶହେକୋଟି ମୋଦୀସାହେବଙ୍କୁ ମାନୁଥିବେ । ତେବେ ଦିନରେ ଛଅଥର ହାତଧୋଇଲେ, ଥରକୁ ଦୁଇଲିଟର୍ ହିସାବରେ ଜଣକା ବାରଲିଟର୍ । କୋଟିଏ ଲୋକଙ୍କ ପାଇଁ ଅଧିକ ବାରକୋଟି ଲିଟର୍ ମଧୁରଜଳ ଜଳ ଆମେ କେବଳ କରୋନା ସହ ଲଢିବା ପାଇଁ ଦୈନିକ ଏବେ ଅଧିକ ଖର୍ଚ୍ଚ କରୁଛେ ।
ଆମେ ଜାଣୁ ଜଳ ହିଁ ଜୀବନ । ବିଶ୍ୱ ଜଳରୁ ହିଁ ସୃଷ୍ଟି ଏବଂ ସତୁରି ପ୍ରତିଶତ ଜାଗା ଆମର ଜଳଦ୍ୱାରା ପୂର୍ଣ୍ଣ । କିନ୍ତୁ ତନ୍ମଧ୍ୟରୁ ବହୁତ କମ ପ୍ରତିଶତ ହେଲା ମଧୁର ଜଳ ଯାହାକି ଆମର ପିଇବା, ଗାଧୋଇବା, ରୋଷେଇ କରିବା ଆଦି ଦୈନଦିନ କାର୍ଯ୍ୟରେ ଲାଗେ । ଯେତେବେଳେ ଆପଣଙ୍କୁ ବହୁତ ଜୋର୍ରେ ଶୋଷ ହେଉଛି ଯଦି ସୁନାମୁଣ୍ଡାଟିଏ ଦେଇ କୁହାଯାଏ ଛାଡ! ପାଣି କାଲି ପିଇବ । ସେତେବେଳେ ପ୍ରକୃତ ମୂଲ୍ୟ କାହାର ବେଶି ଜଣା ପଡିବ । ମନୁଷ୍ୟ ପଶୁ ଏବଂ ବୃକ୍ଷଲତା କୀଟପତଙ୍ଗ ଆଦି ସମଗ୍ର ଜୀବଜଗତ ଲାଗି ବାୟୁତତ୍ତ୍ୱ ପରେ ଜୀବନ ଧାରଣ ପାଇଁ ମୁଖ୍ୟରୂପରେ ଏହି ମଧୁର ଜଳର ହିଁ ଆବଶ୍ୟକତା ବେଶି ଅଛି । ପୂରାବିଶ୍ୱ ଆଜି କରୋନା ଭୂତାଣୁ ସହ ଯୁଦ୍ଧ କରୁଛି । ବିଶ୍ୱରେ ହିସାବ କଲେ ଦୁଇଶହ ତିନିଦେଶରେ ଏବେ ଛଅଶହ କୋଟି ଲୋକଙ୍କ ପାଇଁ ବାରଶହ କୋଟି ଲିଟର ଅଧଯକ ମଧୁରଜଳ ଖର୍ଚ୍ଚ ହେଉଥିବ । ଥରେ ଚିନ୍ତାକଲେ ଯଦି ଜଳର ଅଭାବ ଥାଆନ୍ତା, ତେବେ? ତେଣୁ କରୋନା ଖାଲି ଅର୍ଥ ସଙ୍କଟ ଆଣିବନି, ତା ସହ ଆଉରି ଗୋଟେ ବଡ ସଙ୍କଟ ଆଣି ଆସୁଛି । ତାହା ହେଲା ଜଳ ସଙ୍କଟ ।
ଆମେ ଶୁଚିବାଇ ଲୋକଙ୍କୁ ନିୟନ୍ତ୍ରଣରେ ରଖି ନିଜେ ଆଗକୁ ଆସି ସମସ୍ୟାର ସମାଧାନର ବାଟ ଖୋଜିବାକୁ ହେବ । ସନ୍ଧ୍ୟାଭାଉଜ ତ ଚାରିଟା ଛୁଆ ଜନ୍ମ କରିଛନ୍ତି, ଦଶବର୍ଷ ହେଲା ପରିବାରର ସେବା ଅବିରତ କରି ଆସୁଛନ୍ତି । ଏବେ ତାଲାବନ୍ଦି ସମୟ, ସମସ୍ତଙ୍କୁ ଫୁରୁସତ ହିଁ ଫୁରୁସତ୍ । ପ୍ରଭାତଭାଇ ତାଙ୍କୁ ବିଶ୍ରାମଦେଇ ପରିବାରର ମଙ୍ଗୁଆଳ ହେଲେ ଅତିକମ୍ରେ ତାଙ୍କ ଘରେ ଦୈନିକ ପାଂଚଶହ ଲିଟର ପାଣି ବଂଚିବ । ବିନ୍ଦୁ ବିନ୍ଦୁରେ ସମୁଦ୍ର । କରୋନା ପରି ଶୁଚିବାଇ ରୋଗର ବି କୌଣସି ଔଷଧ ନାହିଁ, ତେଣୁ ଏହାକୁ ନିୟନ୍ତ୍ରଣ କରିପାରିଲେ ଆମ ସମାଜର ମଙ୍ଗଳ ହେବ ଏବଂ ବିଶ୍ୱରୁ ଜଳ ସଂକଟ ଦୂରହେବ । କିଛିଲୋକଙ୍କର ଶୁଚିବାଇ ରୋଗ ନଥାଇ ମଧ୍ୟ ସେହି ରୋଗିମାନଙ୍କ ପରି ଜଳ ଅପଚୟ କରି ଚାଲୁଛନ୍ତି, ଯାହା କି ନିଜ ଗୋଡରେ ନିଜେ କୁରାଢୀ ମାରିବା ସଦୃଶ । ଏମିତି ସବୁକଥା ଅବିରତ ଚାଲିଲେ ମଧୁର ଜଳର ସୀମିତ ଭଣ୍ଡାର ଦିନେ ନା ଦିନେ ନିଶ୍ଚିତ ଶୂନ୍ୟ ହେବ ଏବଂ ଜଳ, ଯାହା ବିନା ଆମେ ବଂଚିବା ଅସମ୍ଭବ ତା’ର ଅବର୍ତ୍ତମାନରେ ଭବିଷ୍ୟତ ପିଢିଙ୍କ ଜୀବନ ଦୁର୍ବିସହ ହୋଇପଡିବ । ତେଣୁ ସମସ୍ତେ ସଦାସର୍ବଦା ମନେ ରଖିବା ଉଚିତ୍ ଜଳ ହିଁ ଜୀବନ ।