ଭିସୁଟ ବୁର୍ଲାରେ ଷ୍ଟାର୍ଟଅପ ଓଡିଶା ଯାତ୍ରା ୨.୦ର କାର୍ଯ୍ୟକ୍ରମ : ଯୁବପିଢିଙ୍କୁ ନବସୃଜନ ଓ ଉଦ୍ୟୋଗ ସମ୍ପର୍କରେ ସଚେତନ କରାଇଲେ ଡଃ ଓମକାର ରାୟ
ସମ୍ବଲପୁର: ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍ସିପ ଅଭିଯାନ ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ ପକ୍ଷରୁ ସମ୍ବଲ୍ପୁରର ବୁର୍ଲାସ୍ଥିତ ଭିସୁଟ (ଭିଏସ୍ଏସ୍ୟୁଟି)ଠାରେ ଦିନିକିଆ ବୁଟକ୍ୟାମ୍ପର ଆୟୋଜନ କରାଯାଇଛି । ଉକ୍ତ ବୁଟକ୍ୟାମ୍ପରେ ଷ୍ଟାର୍ଟଅପ ଓଡିଶାର ଅଧିକାରୀ ମାନଙ୍କ ସହ ଏକ ଆଲୋଚନା ଏବଂ ଆଇଡ଼ିଆ ପିଚିଂ ପାଇଁ ପରବର୍ତି ପିଢିର ଉଦ୍ୟୋଗୀମାନଙ୍କୁ ଗୋଟିଏ ଅନୁଷ୍ଠାନରେ ଏକାଠି ହେବାର ସୂଯୋଗ ମିଳିଥିଲା । ଷ୍ଟାର୍ଟଅପ ଓଡିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ଡଃ ଓମକାର ରାୟ ଓଡିଶାର ଏହି ସର୍ବପୁରାତନ ଇଞ୍ଜିନିୟରିଂ କଲେଜ ପରିଦର୍ଶନ କରିବା ସହିତ ଯୁବ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ବିଚାର ପରିପ୍ରକାଶ କରିବା ଲାଗି ସଚେତନ କରିବା ପାଇଁ ନିଜର ଦୃଷ୍ଟିକୋଣ ରଖିଥିଲେ । ସେ ବିଶ୍ୱସ୍ତରୀୟ ଇନକ୍ୟୁବେଶନ ସେଂଟର୍ ଓ–ହବ ସମ୍ପର୍କରେ ସୂଚନା ଦେଇଥିଲେ । ଏହାବ୍ୟତୀତ ସେ ଓଡିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯେପରିକି, ଫଣ୍ଡ ଅଫ ଫଣ୍ଡସ, ଇଜ ଅଫ ଡୁଇଙ୍ଗ ବିଜନେସେସ, ଷ୍ଟାର୍ଟଅପ ସିଡ ଫଣ୍ଡ ଆଦି ସମେତ ଷ୍ଟାର୍ଟଅପ ଇକୋସିଷ୍ଟମକୁ ଗତିଶୀଳ କରିବା ପାଇଁ ଛାତ୍ର ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଏସମ୍ପର୍କରେ ଡଃ ଓମକାର ରାୟ କହିଛନ୍ତିଯେ, ‘ଷ୍ଟାର୍ଟଅପ ଓଡିଶା ଯାତ୍ରା ହେଉଛି ଯୁବ ଛାତ୍ରଛାତ୍ରୀଙ୍କୁ ରାଜ୍ୟର ବିକଶିତ ଷ୍ଟାର୍ଟଅପ ଇକୋସିଷ୍ଟମ ସମ୍ପର୍କରେ ସଚେତନ କରିବା ପାଇଁ ଏକ ମାର୍ଗ । ରାଜ୍ୟ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପର ଲକ୍ଷ୍ୟ ଦିଗରେ ଆଗକୁ ବଢୁଥିବାରୁ ଏହି ଯାତ୍ରା ଅଭିନବ ବିଚାରଗୁଡିକୁ ସମ୍ମୁଖକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।’ ଏହି ବୁଟକ୍ୟାମ୍ପରେ ଭିସୁଟର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ୨୦ରୁ ଅଧିକ ଆଇଡ଼ିଆ ଉପସ୍ଥାପନ କରାଯାଇଥିଲା । ଏହି ଆଇଡ଼ିଆ ଗୁଡିକ ମଧ୍ୟରେ ରହିଛି ୩ଡି କଷ୍ଟମାଇଜଡ ପ୍ରିଂଟର୍ଠାରୁ ଆରମ୍ଭ କରି ଆଗ୍ରି–ଟେକ ଆପ, ଅଣ୍ଡର–ୱାଟର ଭେଇକିଲ ପରି ଅନେକ ଉଦଭାବନ ବୁଟକ୍ୟାମ୍ପରେ ଷ୍ଟାର୍ଟଅପ ଓଡିଶା, ଏଭାଞ୍ଜେଲିଷ୍ଟ, ଡଃ ସଞ୍ଜୁକ୍ତା ବଢେଇ, ଭିସୁଟର ଆଲୁମିନି ଏବଂ ଆଇଜି ଡ୍ରୋନସର ସିଇଓ ଓ ପ୍ରତିଷ୍ଠାତା ଡଃ ବୋଧିସତ୍ୱ ସଂଘପ୍ରିୟ ଏବଂ ଷ୍ଟାର୍ଟଅପ ଓଡିଶାର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
