ପୁରୀ,୨୭ା୪(ସବୁ୍ୟ):ମହାମାରୀ କରୋନା ସଂକ୍ରମଣ ଜନିତ ଲକଡାଉନ ଯୋଗୁଁ ଯାନବାହନ ଚଳାଚଳରେ କଟକଣା ଯୋଗୁଁ ଘୋର ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି ପରିବହନ ଶ୍ରମିକ । ସେମାନଙ୍କ ଜୀବିକାର୍ଜନ ପନ୍ଥା ବୁଡିଯାଇଛି । ଅଟୋ ଚଳାଇ ପରବାର ପୋଷୁଥିବା ଅଟୋଚାଳକମାନେ ରୋଜଗାର ହରାଇଛନ୍ତି । ତେଣୁ ସମସ୍ତ ପରିବହନ ଶ୍ରମିକଙ୍କୁ ସରକାରୀ ସହାୟତା ପ୍ରଦାନ ନିବେଦନ କରି ଅଲ ଓଡିଶା ଟ୍ରାନ୍ସପୋର୍ଟ ୱାକର୍ସ ଫେଡେରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ମହାସଂଘର ନେତା ଶ୍ରୀକାନ୍ତ ପରିଜା, ଯୋଗେନ୍ଦ୍ର ମହାନ୍ତି, ଅଖିଳ କୁମାର ପାଇକରାୟ ଓ ଲୋକନାଥ ଜେନା ପ୍ରମୁଖ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ପ୍ରଦାନ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶ୍ରମିକ ଶ୍ରେଣୀ ମଧ୍ୟରେ ପରିବହନ ଶ୍ରମିକମାନେ ସବୁଠାରୁ ଶୋଷିତ ଶ୍ରମିକ । ସେମାନଙ୍କୁ ନିଯୁକ୍ତିପତ୍ର ମିଳେନାହିଁ । ମାଲିକଙ୍କ ମର୍ଜିରେ କାର୍ଯ୍ୟାଚୁ୍ୟତ କରାଯାଏ । ସେମାନଙ୍କୁ ମାସିକ ମଜୁରୀ ଛୁଟି, ବୋନସ, ଇଏସଆଇ କିମ୍ବା ଇପିଏଫ୍ ସୁବିଧା ମିଳେନି । ତଥାପି ପରିବହନ ଶ୍ରମିକମାନେ ଅର୍ଥନୈତିକ ବ୍ୟବସ୍ଥାର ରକ୍ତ ସଦୃଶ । ଲକଡାଉନ ଯୋଗୁଁ ପରିବହନ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ । ପରିବହନ ଶ୍ରମିକମାନେ ଅସଂଗଠିତ କ୍ଷେତ୍ରର ଶ୍ରମିକ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ପାଇଁ କୌଣସି ସହାୟତା ଘୋଷଣା କରିନାହାନ୍ତି । ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ପରିବହନ ଶ୍ରମିକଙ୍କୁ କ୍ଷତିପୂରଣ ସ୍ୱରୂପ ୩ମାସର ମଜୁରୀ ପ୍ରଦାନ, ପ୍ରତ୍ୟେକ ପରିବହନ ଶ୍ରମିକଙ୍କ ପରିବାର ପାଇଁ ୨ମାସର ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବା, ଜିଲ୍ଲା ଶ୍ରମ ଅଧିକାରୀ କିମ୍ବା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ ନାମ ପଞ୍ଜୀକୃତ କରିବା ପାଇଁ ସ୍ମାରକ ପତ୍ରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।