ଖଲ୍ଲିକୋଟ : ପ୍ରବାସୀ ଶ୍ରମିକ ମାନେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଘର ବାହୁଡା଼ ହେଉଥିବା ଦେଖିବାକୁ ମିଳୁଛି। ପ୍ରବାସୀ ମାନଙ୍କ ସୁବିଧା ଦୃଷ୍ଟିରୁ ସରକାର ଶ୍ରମିକ ସ୍ପେସାଲ ଟ୍ରେନର ସୁବିଧା କରିଥିବା ବେଳେ, କିଛି ପ୍ରବାସୀ ଶ୍ରମିକ ନିଜର ନିର୍ଧାରିତ ଷ୍ଟେସନ ପୂର୍ବରୁ ଚେନ ପୁଲିଙ୍ଗ୍ କରି ରାସ୍ତାରେ ଓହ୍ଲାଇ ପଡୁଥିବା ଘଟଣା ବାରମ୍ବାର ଘଟୁଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୪୦୦ରୁ ଉର୍ଦ୍ଧ ପ୍ରବାସୀ ଖଲ୍ଲିକୋଟ ରେଲୱେ ଷ୍ଟେସନରେ ଚେନ୍ ପୁଲିଙ୍ଗ୍ କରି ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଛି।
ସୁରତ ରୁ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଆସୁଥିବା ଟ୍ରେନ ରେ ଏମାନେ ଆସୁଥିଲେ ।କରୋନା ସଂକ୍ରମଣର ଆଶଙ୍କା ଥିବାରୁ ସ୍ଥାନୀୟ ଲୋକ ଓ ରେଲୱେ ସୁରକ୍ଷା ବଳ ଏମାନଙ୍କୁ ଅଟକ ରଖି ପ୍ରଶାସନିକ ଅଧିକାରୀ ମାନଙ୍କୁ ଖବର ଦେଇଥିଲେ।ଖବର ପାଇ ତୁରନ୍ତ ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ୀ ଓ ବିଡ଼ିଓ ନବକୃଷ୍ଣ ଜେନା ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ସେଠାରେ ପହଞ୍ଚି ବିଭିନ୍ନ ବ୍ଳକର ପ୍ରବାସୀ ମାନଙ୍କୁ ବସ୍ ଯୋଗେ ସଂଗରୋଧ କେନ୍ଦ୍ରକୁ ପଠାଇଛନ୍ତି।
ସେମାନଙ୍କ ମଧ୍ୟରୁ ବେଗୁନିଆପଡା ବ୍ଳକର ୪୧ ଜଣ,ଖଲ୍ଲିକୋଟ ବ୍ଳକର ୩୬ ଜଣ,ସୋରଡା ବ୍ଳକର୧୫ ଜଣ,ଜଗନ୍ନାଥପ୍ରସାଦର ୩୪ ଜଣ,ପୁରୁଷୋତ୍ତମପୁର ବ୍ଳକର ୪୫ ଜଣ ହୋଇଥିବା ବେଳେ ଅନ୍ୟାନ୍ୟ ବ୍ୟକ୍ତି ମାନଙ୍କର ତଦନ୍ତ ଚାଲିଥିବା ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, ଗତ ଚାରି ଦିନ ତଳେ ଚିଲିକା ଷ୍ଟେସନ ରେ ଏକ ଟ୍ରେନ ର ଚେନ ପୁଲିଂ କରି ୩୦୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓହ୍ଲାଇ ପଡିଥିବା ବେଳେ କାଳିଜାଇ ପାସେଞ୍ଜର ହଲଟ ରେ ହାଇଦ୍ରାବାଦ ରୁ ଖୋର୍ଦ୍ଧା ରୋଡ଼ ଯାଉଥିବା ଏକ ଟ୍ରେନ ରାସ୍ତା କ୍ଲିଅର ନ ଥିବାରୁ ସିଗନାଲ ନ ପାଇ ଅଟକି ଥିବା ବେଳେ ୩୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଓହ୍ଲାଇ ପଡ଼ିଥିଲେ ।ଖବର ପାଇ ପ୍ରଶାସନିକ ଅଧିକାରୀମାନେପହଞ୍ଚି ବିଭିନ୍ନ ସଙ୍ଗରୋଧ କେନ୍ଦ୍ର କୁ ପଠାଇଥିଲେ ।