ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକର ଅଧିନସ୍ଥ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ବିଭିନ୍ନ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଗୁରୁବାର ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀଙ୍କ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କର ମାସ୍କ ବଣ୍ଟନ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ମନ୍ତ୍ରୀ ପାଣିଗ୍ରାହୀଙ୍କ ବାରମ୍ବାର ଅନୁରୋଧ ସତ୍ୱେ ମାସ୍କ ନେବାକୁ ଆସିଥିବା ରେସନକାର୍ଡଧାରୀ ଓ ଉପସ୍ଥିତ ରୋଗୀ ଭୀଡ ଲଗାଇବା ଏବଂ ଏହାକୁ କିଛି ବିରୋଧି ଗୋଷ୍ଠୀ ଇସୁ୍ୟ କରାଯିବା ଘଟଣାରେ ମନ୍ତ୍ରୀଙ୍କୁ ବଦନାମ କରାଯାଉଥିବା ଉଦ୍ୟମ କରାଯାଉଥିବା ନେଇ ଶାସକ ଗୋଷ୍ଠୀଙ୍କ ପକ୍ଷରୁ ଦାବୀ କରାଯାଇଛି । ଖଇରା ଅଞ୍ଚଳର ସଞ୍ଚୟିକା ମହିଳା ମହାସଂଘ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୪୦ହଜାର ମାସ୍କ ଖଇରା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ବିଭିନ୍ନ ଡିଲର ପଏଣ୍ଟରେ ରେସନକାର୍ଡଧାରୀ ମାନଙ୍କୁ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଥିଲା ।ପ୍ରଥମେ ବ୍ଲକରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ,ମହିଳା ଗୋଷ୍ଠୀର ସଭାପତି ରଶ୍ମିତା ମହାପାତ୍ର,ଏମବିକେ ନିରୂପମା ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ସାମାଜିକ ଦୁରତା ରକ୍ଷାଯାଇ ମାସ୍କ ବଣ୍ଟନ କରାଯାଇଥିଲା । ପରେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ଲୋକ ଓ ରୋଗୀମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ତେବେ ଗୁରୁବାର ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଭୀଡ ଥିବାରୁ ମନ୍ତ୍ରୀ ପାଣିଗ୍ରାହୀ ସାମାଜିକ ଦୂରତା ରକ୍ଷାକରି ମାସ୍କ ନେବାକୁ ପରାମର୍ଶ ଦେଇଥିଲେ । ହେଲେ ୫ଭାଗ ଲୋକ ଦୂରତା ନମାନି ମାସ୍କ ଆଣିବାକୁ ପ୍ରତିଯୋଗିତା କରିଥିଲେ । ଏହି ଭିଡିଓ କୁ କିଛି ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଛାଡି ମନ୍ତ୍ରୀଙ୍କ ସଭାରେ ଏଭଳି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜଣେ ମନ୍ତ୍ରୀ ହିସାବରେ ଲକଡାଉନ କଟକଣା ଓ ସାମାଜିକ ଦୂରତାକୁ ସମ୍ମାନ ଦେଇ ଗରୀବ ଅସହାୟ ଓ ରୋଗୀ ମାନଙ୍କର କଲ୍ୟାଣ ପାଇଁ ସେ ବିଧାୟକ ପାଣ୍ଠିରୁ ଅର୍ଥ ଦେଇ ମାସ୍କ ତିଆରି କରିଥିଲେ । ହେଲେ ବିରୋଧୀ ଗୋଷ୍ଠୀ ତାଙ୍କର ଏଭଳି ଜନକଲ୍ୟାଣ ମୁଖି କାର୍ଯ୍ୟକ୍ରମକୁ ପଣ୍ଡ କରିବାକୁ ରୋଗୀ ଧାଡି ସହ ତାଙ୍କ ବଣ୍ଟନ କାର୍ଯ୍ୟକ୍ରମକୁ ମିଥ୍ୟା ଭିଡିଓ ପୋଷ୍ଟ କରି ତାକୁ ବଦନାମ କରିବା ସହ ତାଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଥିବାର କହିଛନ୍ତି ।