ତିହିଡି,୧୦/୦୪: ସାରା ଦେଶରେ ଏବେ କରୋନାର ୨ୟ ଲହର ବେଶ ପ୍ରଭାବଶାଳୀ ହୋଇଛି । ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ମାତ୍ର ତିହିଡିରେ କରୋନା ସଚେତନତା ପାଇଁ ପୋଲିସ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଉଛି ତାହା କେବଳ ଧର୍ମକୁ ଅଖି ଠାର ସଦୃଶ ହୋଇଛି । ଲୋକେ ବ୍ୟାଙ୍କ ଓ ବଜାରରେ ହାଉଯାଉ ହେଉଥିଲେ ମଧ୍ୟ ସେମାନଙ୍କୁ ସତର୍କ କରିବା କିମ୍ବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସ ବିଫଳ ହୋଇଛି । ସେଠାରେ ସମାଜିକ ଦୂରତା ରକ୍ଷା କରିବା ସମ୍ଭବ ହୋଇ ପାରୁନାହିଁ । ଏପରିକି ବଜାରରେ ଲୋକମାନେ ବିନା ମାସ୍କରେ ଅତ୍ୟନ୍ତ ବେପରୁଆ ଭାବେ ବୁଲୁଥିବା ଦେଖିବାକୁ ମିଳୁଛି । ତିହିଡି ଏକ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବାରୁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ବିଭିନ୍ନ କାର୍ଯ୍ୟ ନେଇ ଏଠାକୁ ଆସିଥାନ୍ତି ।
ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବାଦ୍ ଦେଲେ ଅଧିକାଂଶ ଲୋକଙ୍କୁ ଏବେ ବ୍ୟାଙ୍କ ପରିସରରେ ଠୁଳ ହେଉଥିବାର ଲକ୍ଷ୍ୟ କରାଯାଉଛି । ତିହିଡିରେ ଥିବା ଷ୍ଟେଟ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କରେ ଗହଳି ଲାଗି ରହୁଛି । ବ୍ୟାଙ୍କ ଖୋଲିବାର ପାୟ ଘଣ୍ଟାଏ ଆଗରୁ ଉଭୟ ପୁରୁଷ ଓ ମହିଳା ବ୍ୟାଙ୍କ ପରିସରରେ ଭିଡ ଜମାଉଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଧାଡିରେ ଠିଆ କରାଇ ସମାାଜିକ ଦୂରତା ରକ୍ଷା କରିବା ଦିଗରେ ପୋଲିସ ପଦକ୍ଷେପ ନେଉନାହିଁ । ଏହା ଛଡା ପ୍ରତି ସେମାବାର ଓ ଶୁକ୍ରବାର ତିହିଡି ହାଟ ଲାଗିଥାଏ । ହାଟରେ ଗହଳି ଲାଗି ରହୁଥିଲେ ମଧ୍ୟ ସେଠାରେ କୌଣସି ପୋଲିସ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରୁନାହାନ୍ତି । ଏହାଛଡା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଗହଳି ଲାଗି ରହୁଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି । ସନ୍ଧ୍ୟ ସମୟରେ ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ କରାଯାଇ ଜୋରିମାନା କରାଯାଉଛି । ମାତ୍ର ଅନ୍ୟ ସମୟରେ ପୋଲିସ ଅନୁପସ୍ଥିତ ରହୁଥିବାରୁ ଲୋକେ ମାସ୍କ ନ ପିନ୍ଧି ବଜାରରେ ବୁଲୁଛନ୍ତି । ଏପରିକି କିଛି ଲୋକ ନାମକୁ ମାତ୍ର ମାସ୍କ ପିନ୍ଧୁଥିବା ଲକ୍ଷ୍ୟ କରାଯାଉଛି । ପୋଲିସ ପକ୍ଷରୁ କରୋନା କଟକଣାକୁ କଡା କଡି କରାଗଲେ ଲୋକେ ଠିକ ରୂପେ ସଚେତନ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି ।
