ତିହିଡି, ୦୫/୦୭(ଯଦୁମଣି ପାଣିଗ୍ରାହୀ): ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯାତ୍ରୀଙ୍କ ଠାରୁ ଅଧିକ ବସ ଭଡା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ତିହିଡି ଅଞ୍ଚଳବାସୀ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଯଦି ଏ ଦିଗରେ କିଛି ପଦକ୍ଷେପ ନିଆ ନଯାଏ ତେବେ ସେମାନେ ବାଧ୍ୟହୋଇ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ନିର୍ମଳ ଚନ୍ଦ୍ର ଦଳେଇ, ସତ୍ୟବ୍ରତ କୁଣ୍ଡ, ତପନ ପଣ୍ଡା, ରାଜକିଶୋର ଲେଙ୍କା, ନାରାୟଣ ଦାସ, ଶ୍ରୀକାନ୍ତ ପଣ୍ଡା, ସ୍ମୃତିରେଖା ପଣ୍ଡା, ମୁକ୍ତିକାନ୍ତ ଭୋଳ, ପୁରସ୍ତମ ବାରିକ ଓ ଲକ୍ଷ୍ମୀଧର ବେହେରା ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ସାଧାରଣ ବସରେ କିଲୋମିଟର ପିଛା ୮୮ପଇସା ଓ ଏକ୍ସପ୍ରେସ ବସରେ କିଲୋମିଟର ପିଛା ୯୨ ପଇସା ନେବାକୁ ସରକାରୀ ଭାବେ ଧାର୍ଯ୍ୟ ହୋଇଥିବା ବେଳେ ଏହା ଠାରୁ ଯଥେଷ୍ଟ ଅଧିକ ଭଡା ଆଦାୟ କରାଯାଉଛି । ଯାହାଫଳରେ ଯାତ୍ରୀ ମାନେ ଶୋଷଣର ଶିକାର ହେଉଛନ୍ତି । ଅନ୍ୟପକ୍ଷେ ଚଳପ୍ରଚଳ କରୁଥିବା ବସ ଗୁଡିକରେ ରେଟ ଚାଟ ଲଗାଯାଉ ନଥିବାରୁ ଯାତ୍ରୀମାନେ ସଠିକ୍ ଭଡା ସଂପର୍କରେ ଅବଗତ ହୋଇପାରୁ ନାହାନ୍ତି । ସେହିପରି ଏହି ରାସ୍ତାରେ ଚଳପ୍ରଚଳ କରୁଥିବା ଯାନବାହନ ଗୁଡିକ ମଧ୍ୟରୁ କେତେକ ଯାନର ଫିଟନେସ ଓ ପ୍ରଦୂଷଣ ପ୍ରମାଣପତ୍ର ନାହିଁ । ଏହିସବୁ ଯାନରୁ ନିର୍ଗତ ଧୂଆଁ ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି । ୧୫ ବର୍ଷରୁ ଅଧିକ ହୋଇଥିବା ଯାନକୁ ଫିସନେସ ପ୍ରମାଣପତ୍ର ମିଳିବାର ନିୟମ ନଥିଲେ ମଧ୍ୟ ସେଗୁଡିକ କିଭଳି ଚଳପ୍ରଚଳ କରୁଛନ୍ତି ତାହା ସେମାନଙ୍କୁ ଚକିତ କରିଛି ବୋଲି ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ପରିବହନ ବିଭାଗ ପକ୍ଷରୁ ଏଥିନେଇ ତଦନ୍ତ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।
