ତିହିଡିÿ, ୦୫/୦୬(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଫତେପୁର ଗାଁର ବାଇଧର ଯେନାଙ୍କ ମାନସିକ ଅନଗ୍ରସର ପୁଅ ବିମ୍ବାଧର(୩୫) ବର୍ଷେ ହେଲା ଘରୁ କୁଆଡେ ଯାଇଛି ଯେ ଯାଇଛି ଏଯାଏଁ ଘରକୁ ଫେରିନି । ପୁଅର ଏହି ନିଖୋଜ ଘଟଣାକୁ ନେଇ ବାପା ବାଇଧର ଗଭୀର ନୁଶ୍ଚିନ୍ତାରେ ଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୨୦୨୪ ମେ ମାସ ୧୬ ତାରିଖରେ ବିମ୍ବାଧର କାହାକୁ କିଛି ନ ଜଣାଇ ହଠାତ୍ ଘରୁ କୁଆଡେ ଚାଲି ଯାଇଥିଲା । ତେବେ ସେ ଘରକୁ ନ ଫେରିବାରୁ ବାପା ବାଇଧର ନିଜର ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଘରେ ପୁଅର ସନ୍ଧାନ କରିଥିଲେ ମଧ୍ୟ ତାକୁ ପାଇବାକୁ ସକ୍ଷମ ହୋଇ ନଥିଲେ । ପରେ ସେ ପୁଅର ନିଖୋଜ ନେଇ ସେହି ମାସ ୨୨ ତାରିଖରେ ତିହିଡି ଥାନାରେ ଅଭିଯୋଗ କରିଥିଲେ । ତେବେ ଇତିମଧ୍ୟରେ ବର୍ଷାଧିକ କାଳ ବିତି ଯାଇଥିଲେ ମଧ୍ୟ ନିଜ ପୁଅକୁ ନ ପାଇ ବାପା ବାଇଧର ମାନସିକ ଭାବେ ଭାଙ୍ଗି ପଡିଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ବାଇଧର ନିବେଦନ କରିଛନ୍ତି । ଅନ୍ୟପକ୍ଷେ କୌଣସି ସହୃଦୟ ବ୍ୟକ୍ତି ବିମ୍ବାଧରଙ୍କ ସନ୍ଧାନ ପାଇଲେ ତିହିଡି ଥାନାକୁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି ।
