Odisha news

ସନ୍ଥପୁରା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଭିଭାବକ ସମ୍ମିଳନୀ

0

ତିହିଡ଼ି, ୧୨/୦୮(ଯଦୁମଣି ପାଣିଗ୍ରାହୀ) : ଗତ ସପ୍ତାହ ତଳେ ତିହିଡ଼ି ବ୍ଲକ୍ ସନ୍ଥପୁରା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବା ଅଟୋ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି । ଆଜିସୁଦ୍ଧା ଦୁର୍ଘଟଣାଗ୍ରସ୍ତ ୧୦ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି । ଗୁରୁତର ଆହତ ହୋଇଥିବା ଅଷ୍ଟମଶ୍ରେଣୀ ଛାତ୍ରୀ ଲିପିପୁଷ୍ପା ବାରିକ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ୍ରେ ଗୁରୁତର ଅପରେସନ ହୋଇଛନ୍ତି । ପାଖାପାଖି ୬ ଲକ୍ଷ ଟଙ୍କା ଏବଂ ୩/୪ ମାସ ପରେ ସେ ସୁସ୍ଥ ହୋଇ ପାରନ୍ତି ବୋଲି ଜଣାପଡ଼ିଛି । ଏନେଇ ରବିବାର ଅପରାହ୍ଣରେ ସିନେ୍ଦାଳ କଲ୍ୟାଣମଣ୍ଡପରେ ଏକ ଜରୁରିକାଳୀନ ଅଭିଭାବକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା । ଏଥିରେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଅଧ୍ୟକ୍ଷତା କରି କେନ୍ଦ୍ରୀୟ ବିଦ୍ୟାଳୟ ପରି ସମାନ ସୁବିଧା ଉପଲବ୍ଧ କରାଇବା ଉଦେ୍ଦଶ୍ୟରେ ଗଢ଼ା ଯାଇଥିବା ଆଦର୍ଶ ବିଦ୍ୟାଳୟ ବାସ୍ତବରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଖିରେ ଏକ ପ୍ରତାରଣାର ନିଦର୍ଶନ ସାଜିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅଭିଭାବକ ଭରତଚନ୍ଦ୍ର ସାହୁ ଆଦର୍ଶ ବିଦ୍ୟାଳୟ ସମ୍ପୂର୍ଣ୍ଣ ଆବାସିକ ହେବା ପରିବର୍ତ୍ତେ ଦୈନନ୍ଦିନ ଅଟୋରେ ସାମଗ୍ରୀ ତୁଲ୍ୟ ବିପଜ୍ଜନକ ଭାବେ ଛାତ୍ରଛାତ୍ରୀଙ୍କୁ ବୁହାଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଥିଲେ । ପାଳିଆବିନ୍ଧା ସମିତିସଭ୍ୟ ଜୀବନଜ୍ୟୋତି ପଲାଇ କହିଲେ, କେବଳ ଯେ ଏଠାରେ ଛାତ୍ରାବାସ ନାହିଁ ତା’ ନୁହେଁ, ବିଦ୍ୟାଳୟ ଚର୍ତୁପାଶ୍ୱର୍ରେ ପାଚେରୀ ନଥିବା ଯୋଗୁଁ ସ୍କୁଲ୍ ପରିସରକୁ ସର୍ବସାଧରଣଙ୍କର ଅବାଧରେ ପ୍ରବେଶ ଘଟୁଛି । ଏପରିକି ବିଦ୍ୟାଳୟ ପ୍ରବେଶଦ୍ୱାର ପାଇଁ ମଧ୍ୟ କୌଣସି ଜଗୁଆଳି ନିଯୁକ୍ତ କରାଯାଇନାହିଁ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥଠାରୁ ସ୍କୁଲ୍ ଯାଏ ଯେଉଁ ରାସ୍ତା କରାଯାଇଛି, ତାହା ଗମନାଗମନ ପାଇଁ ଅନୁପଯୁକ୍ତ ବୋଲି ଶିକ୍ଷାବିତ୍ ପ୍ରଦୀପ କୁମାର ନାୟକ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର ମହାକୁଡ଼, ସୌମ୍ୟରଞ୍ଜନ ଭୋଇ, ପ୍ରକାଶଚନ୍ଦ୍ର ସାବତ, ହିମାଂଶୁଶେଖର ମହାନ୍ତି, ରଘୁନାଥ ଭଞ୍ଜ, ନିର୍ମଳଚନ୍ଦ୍ର ପରିଡ଼ା, ସୀତାକାନ୍ତ ଦାସ, ପ୍ରଭୁପ୍ରସାଦ ପାଢ଼ୀ, ସୁବାସଚନ୍ଦ୍ର ରାଉତ, ଉତ୍ତମ କୁମାର ମହାନ୍ତି, କଲ୍ୟାଣ କୁମାର ନାୟକ, ଆନନ୍ଦଚନ୍ଦ୍ର ଦାସ, ଉଷାରାଣୀ ସେଠୀ, ପୂର୍ଣ୍ଣିମା ଗୋଚ୍ଛାୟତ, ପ୍ରତିଭା ଭୋଇ, ରାଜଲକ୍ଷ୍ମୀ ମାଝି ପ୍ରମୁଖ ହିନ୍ଦି ଶିକ୍ଷକ ନଥିବା ସହିତ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକର ଅଭାବ ଓ ସଫେଇ କର୍ମଚାରୀ ଅବସ୍ଥାପିତ କରିବା ଇତ୍ୟାଦି ଉପରେ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଆଦର୍ଶ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ସ୍ଥାନୀୟ ବାସୁଦେବପୁର ବିଧାୟକ, ଧାମନଗର ବିଧାୟକ ତଥା ମନ୍ତ୍ରୀ, ଚାନ୍ଦବାଲି ବିଧାୟକ ଓ ଭଦ୍ରକ ସାଂସଦଙ୍କୁ ଲିଖିତ ଭାବେ ଜଣାଇବା ସହିତ ଜିଲ୍ଲାପାଳଙ୍କୁ ଛାତ୍ରଛାତ୍ରୀଙ୍କ ଗମନାଗମନ ପାଇଁ ପ୍ରଶାସନ ପକ୍ଷରୁ ଏକ ବସ୍ ଯୋଗାଇ ଦେବାକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି କରାଯାଇଥିଲା ।

IEC 2 years
Leave A Reply