ତିହିଡି, ୧୨/୦୬(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ପକ୍ଷର ତିହିଡି ବ୍ଲକ ଅନ୍ତର୍ଗତ ଦହପାଣିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଜୁନିୟର ରକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଡିଭିଜନର ଏନସିସି କ୍ୟାଡେଟମାନେ ସାମିଲ ହୋଇଥିଲେ । ୬ଟି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଜୁନିୟର ଓ ସିନିୟର ବିଭାଗର ମୋଟ ୪୫୦ କ୍ୟାଡେଟ ସଡକ ସୁରକ୍ଷା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିବହନ ବିଭାଗର ଡେପୁଟି କମିଶନର ରାମନିବାସ ସିରିକା ଓ ଏନସିସି ଲେଫ୍ଟଲାଣ୍ଟ କର୍ଣ୍ଣେଲ ଶୈଳେଶ ଶର୍ମା ଉଦଘାଟନ କରିଥିଲେ । ମାଷ୍ଟର ଟ୍ରେନର ଭାବେ ଲିଜା ଦାସ, ରୀତାଞ୍ଜଳି ପରମାଣିକ, ଲକ୍ଷ୍ମୀଧର ବେହେରା ପ୍ରଶିକ୍ଷଣ ଦେଇଥିଲେ । ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲଡେନ ଆୱାର ବା ଦୁର୍ଘଟଣା ଘଟିବାରର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ କିଭଳି ପ୍ରାଥମିକ ଚିକିତ୍ସା ପ୍ରଦାନ କରିହେବ ଓ ତୁରନ୍ତ ମେଡିକାଲ ପହୟ୍ଚାଯାଇ ପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିସହ ଜୁନିୟର ରକ୍ଷକ ମାନେ ସଡକ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ସାଜିବେ । ସେମାନେ ନିଜେ ସମସ୍ତ ନିୟମ ମାନିବା ସହ ନିଜ ପରିବାର , ଆଖପାଖ ଲୋକ ଓ ସାହିପଡିଶାରେ ସଡକ ସଚେତନତାର ବାର୍ତ୍ତା ବାଣ୍ଟିବେ । ଏହି ଅବସରରେ ଡେପୁଟି କମିଶନର ଗୁଡ ସମରିଟାନ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇଲେ ସରକାରଙ୍କ ପକ୍ଷରୁ ୨ହଜାର ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି । ସଡକ ଦୁର୍ଘଟଣା ଜନିତ ମୃତୁ୍ୟ ସଂଖ୍ୟା ହ୍ରାସ ଦିଗରେ ଏନସିସି ସହଭାଗିତାରେ ପରିବହନ ବିଭାଗର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ । ପୂର୍ବରୁ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।ସେଥିରେ ସଫଳତା ମିଳିବା ପରେ ଏହି ପ୍ରୟାସକୁ ବ୍ୟାପକ କରିବାକୁ ଜୁନିୟର ରକ୍ଷକ କାର୍ଯ୍ୟକ୍ରମ କରାଯାଉଛି । ମାର୍ଚ୍ଚ ୬ ତାରିଖରେ ଏ ସଂକ୍ରାନ୍ତରେ ଲୋକସେବା ଭବନରେ ପରିବହନ ବିଭାଗ ଓ ଏନସିସି ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଚଳିତ ବର୍ଷ ସାରା ରାଜ୍ୟର ୩୨ ହଜାର ଏନସିସି କ୍ୟାଡେଟଙ୍କୁ ଜୁନିୟର ରକ୍ଷକ ପ୍ରଶିକ୍ଷଣ ଦେବାର ଲକ୍ଷ ରହିଛି । ପ୍ରଥମ ଦଫାରେ ପୁରୀରେ ଗତ ୧୮ ତାରିଖରେ ୫୭୫ ଏନସିସି କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏବେ ସମଗ୍ର ରାଜ୍ୟରେ ଏହା ବ୍ୟାପକ ଓ ନିୟମିତ ଜାରି ରହିଛି । ସମସ୍ତ ପ୍ରଶିକ୍ଷିତ କ୍ୟାଡେଟଙ୍କୁ ଅତିଥି ମାନେ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗ ଓ ଏନସିସିର ଅଧିକାରୀମାନେ ଉପସ୍ଥିତ ଥିଲେ ।
