Odisha news

ଅନନ୍ୟ ପରମ୍ପରାରେ ସମୃଦ୍ଧ ତିହିଡିର ଐତିହାସିକ କାଳିମେଘା ମେଳନ

0

ତିହିଡି, ୨୪/୦୩ : ତିହିଡ଼ି ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଅଧିନ କାଳିମେଘା ମେଳନ ପଡିଆରେ ଅନୁଷ୍ଠିତ ଐତିହାସିକ କାଳିମେଘା ମେଳନ ୩ ଶତାବ୍ଦୀର ମହନୀୟ ପରମ୍ପରାରେ ସମୃଦ୍ଧ । ଓଡିଶାର ଅନ୍ୟ ସ୍ଥାନରେ ଅନୁଷ୍ଠିତ ହେଉଥିବା ମେଳନଗୁଡିକ ପରି ଏହି ମେଳନର ମଧ୍ୟ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ୧୭୦୨ମସିହା ଠାରୁ ଏହି ମେଳନ ଅନୁଷ୍ଠିତ ହୋଇ ଆସୁଛି । ପ୍ରତି ବର୍ଷ ଦୋଳ ପୂର୍ଣ୍ଣିମା ରାତିରେ ଏହି ମେଳନ ଆରମ୍ଭ ହୋଇ ପରଦିନ ସନ୍ଧ୍ୟାରେ ଶେଷ ହୋଇଥାଏ । ତାଳପଦା ଗ୍ରାମର ସାମନ୍ତରାୟ ଜମିଦାରଙ୍କର ଶ୍ରୀଶ୍ରୀ ଗୋପୀନାଥ ଜୀଉ ବିମାନ ‘ବତିମରା’ ପଦାରେ ପ୍ରବେଶ କରି ଥାନପତି ଆସନରେ ବସିଥାନ୍ତି । ଏହି ଥାନପତିଙ୍କ ପ୍ରବେଶ ପରେ ଅନ୍ୟ ୫ ଗୋଟି ବିମାନ ପ୍ରବେଶ କରନ୍ତି । ପରେ ସୟା ଗ୍ରାମର ଶ୍ରୀଶ୍ରୀ ଦାମୋଦର ଜୀଉ ବିମାନ ପଦାକୁ ନଯାଇ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କୁ ଦର୍ଶନ କରି ବାଟରେ ରହି ଯାଆନ୍ତି ବତିମରା ପଦାରୁ ବିମାନଗୁଡ଼ିକ କ୍ରମିକ ନମ୍ବର ଅନୁସାରେ ଶୋଭାଯାତ୍ରାରେ ବାହାରି ବାଟରେ ଦଧିବାମନଙ୍କୁ ଦର୍ଶନ କରି ମେଳନ ପଡ଼ିଆକୁ ପ୍ରବେଶ କରିବା ସହ ନିଜ ନିଜ ଆସ୍ଥାନରେ ବସିଥାନ୍ତି । ସୁସଜ୍ଜିତ ବିମାନ ଶୋଭାଯାତ୍ରା ସମୟରେ ନାଚ, ଗୀତ, ସଂକୀର୍ତ୍ତନ, ଅବିର ଖେଳ ସହ ଆକର୍ଷଣୀୟ ଆଲୋକ ସଜ୍ଜା ଭକ୍ତଙ୍କ ମନମୁଗ୍ଧ କରିଥାଏ । ବିଶେଷ କରି ବତିମରା ପଦାରୁ ମେଳନ ପଡିଆ ଯାଏଁ ରାସ୍ତା ଦୁଇ ପାଶ୍ୱର୍ରେ ଅପେକ୍ଷାରତ ହଜାର ହଜାର ଲୋକଙ୍କ ଉପସ୍ଥିତି ମେଳନର ଶୋଭା ବର୍ଦ୍ଧନ କରାଥାଏ । ଦୋଳ ପୂର୍ଣ୍ଣମୀର ପରଦିନ ଅପରାହ୍ନରେ ଶ୍ରୀଶ୍ରୀ ଦଧିବାମନ ଜୀଉ ମେଳନ ପଡ଼ିଆକୁ ପ୍ରବଶ କରିବା ମାତ୍ରେ ଶ୍ରୀ ରାଧାବଲ୍ଲଭ ଜୀଉଙ୍କ ସହିତ ଅନ୍ୟ ସମସ୍ତ ବିମାନ ମେଳନ ପଡ଼ିଆରୁ ବିଦାୟ ନେଇଥାନ୍ତି । ଶ୍ରୀ ଦଧିବାମନ ଜୀଉ ମେଳନ ପଡ଼ିଆକୁ ଶେଭାଯାତ୍ରାରେ ଆସୁଥିବା ବେଳେ ଭକ୍ତମାନେ ପରସ୍ପର ମଧ୍ୟରେ କାଦୁଅ ଖେଳିବା ଦୃଶ୍ୟ ସମସ୍ତଙ୍କ ମନରେ ଭିନ୍ନ ଏକ ଚେତନା ସୃଷ୍ଟି କରିଥାଏ । ଏହି ମେଳନରେ ଆଖପାଖ ଅଞ୍ଚଳରୁ ଦୋଳ ବିମାନ ଗୁଡିକ ଯୋଗ ଦେଇ ଭୋଗ ପାଇଥାନ୍ତି । ମେଳନରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥାଏ ଅବିର ଦୋକାନ । ଯୁବ ଯୁବତୀମାନେ ରଙ୍ଗ ବେରଙ୍ଗର ଅବିର କିଣି ପରସ୍ପର ମଧ୍ୟରେ ବୋଳି ହୋଇଥାନ୍ତି । ମେଳନ ଉପଲକ୍ଷେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବ୍ୟବସାୟୀମାନେ ବିଭିନ୍ନ ସାମଗ୍ରୀର ପସରା ମେଲାଇଥାନ୍ତି । ହଜାର ହଜାର ଭକ୍ତଙ୍କ ସମାଗମରେ ମେଳନ ପଡିଆଟି ଭରପୁର ହେବା ସାଙ୍ଗକୁ ସାମଗ୍ରୀର କିଣା ବିକାରେ ବେଶ ଚଳଚଞ୍ଚଳ ହୋଇ ଉଠିଥାଏ ମେଳନ ପଡିଆ । କାଳିମେଘା ମେଳନ କମିଟିର କର୍ମକର୍ତ୍ତା ଓ ପୋଲିସ ପ୍ରଶାସନ ମେଳନର ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସବୁପ୍ରକାର ଉଦ୍ୟମ କରିଥାଆନ୍ତି । ପ୍ରେମ ଓ ବନ୍ଧୁତାର ନିଦର୍ଶନ ଏହି ଐତିହାସିକ କାଳିମେଘା ମେଳନକୁ ଆଖିରେ ନ ଦେଖିଲେ ଏହାର ସ୍ୱତନ୍ତ୍ରତାକୁ ଅନୁଭବ କରି ହେବ ନାହିଁ ।

Nalco
Leave A Reply