ତିହିଡ଼ି, ୨୪/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅନ୍ତର୍ଗତ ବାରସର ପଞ୍ଚାୟତ ଅଫିସ ପରିସରରେ ଥିବା ୫ଟି ଅଫିସରୁ ଗତ ୨୩ ତାରିଖ ରାତିରେ ଚୋରି ହୋଇଥିବା ନେଇ ପୀରହାଟ ଥାନାରେ ୫ଟି ପୃଥକ ପୃଥକ ଅଭିଯୋଗ ହୋଇଛି । ଦୃର୍ବୁତ୍ତ ମାନେ ଉକ୍ତ ଅଫିସ ଗୁଡିକର ସାମ୍ନା ଚାବି ଭାଙ୍ଗିବା ସହ ଅଫିସ ଭିତରେ ପ୍ରବେଶ କରି ଏକାଧିକ ଆଲମିରା ଗୁଡିକର ଚାବି ମଧ୍ୟ ଭାଙ୍ଗି ଲୁଟପାଟ କରିଛନ୍ତି । ଅଭିଯୋଗ ଅନୁସାରେ ଦୃର୍ବୁତ୍ତମାନେ ବାରସର ସେବା ସମବାୟ ସମିତିର ଅଫିସ ଗୃହର ତାଲା ଭାଙ୍ଗି ଭିତରେ ପଶିଛନ୍ତି । ଭିତରେ ଥିବା ଆଲମିରା ତାଲା ଭାଙ୍ଗି ନଗଦ୧ଲକ୍ଷ ୯୪ ହଜାର ଟଙ୍କା ଲୁଟି ନେବା ସହ ଅଫିସରେ ଥିବା ଇନଭଟରଟିକୁ ଆଣି ବାହାରେ ଫିଙ୍ଗି ଦେଇଛନ୍ତି । ଏଥିନେଇ ସମବାୟ ସମିତିର ସଂପାଦିକା ସତ୍ୟଭାମା ବିଶ୍ୱାଳ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଏଠାରେ ଥିବା ବାସନ୍ତ୍ରୀ ଦୁର୍ଗା ମହାସଂଘର ଅଫିସର ତାଲା ଭାଙ୍ଗି ଦୃବୁର୍ତ୍ତମାନେ ଭିତରେ ପଶିବା ସହ ତାଙ୍କ ଅଫିସରେ ଥିବା ୩ ଟି ଆଲମିରାର ତାଲା ଭାଙ୍ଗି ନଗଦ ୭ ହଜାର ଟଙ୍କା ଲୁଟି ନେଇଥିବା ଏମ୍ବିକେ ମମତାରାଣୀ ବିଶ୍ୱାଳ ଅଭିଯୋଗ କରିଛନ୍ତି । ସେହିପରି ଦୃର୍ବୁତ୍ତମାନେ ବାରସର ପଞ୍ଚାୟତ ଅଫିସର ତାଲା ଭାଙ୍ଗି ଭିତରେ ଥିବା କମ୍ପୁ୍ୟଟର, ପ୍ରିଣ୍ଟର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ନେଇ ଯାଇଥିବା ସରପଞ୍ଚ ଚକ୍ରଧର ଦାସ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଏଠାରେ ଥିବା ପୋଷ୍ଟ ଅଫିସର ତାଲା ଭାଙ୍ଗି ଦୃର୍ବୁତ୍ତ ମାନେ ଭିତରେ ପଶି କେବଳ କାଗଜପତ୍ର ଫିଙ୍ଗି ଦେଇଥିବା ନେଇ ପୋଷ୍ଟମାଷ୍ଟର ମଞ୍ଜୁଲତା ମୁଦୁଲି ଅଭିଯୋଗ କରିଛନ୍ତି । ସେହିପରି ଏଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଚାଲିଥିବା ସିଏସପି ପ୍ଲସର ଅଫିସ ଗୃହର ତାଲା ଭାଙ୍ଗି ଭିତରେ ପଶିଛନ୍ତି ମାତ୍ର କିଛି ନପାଇ ଦୃର୍ବୁତ୍ତ ମାନେ ଫେରିଯାଇଥିବା ନେଇ ସିଏସପି ରମ୍ୟରଞ୍ଜନ ମହାନ୍ତି ପୀରହାଟ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୀରହାଟ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।