ତିହିଡି,୨୭/୦୧(ଯଦୁମଣି ପାଣିଗ୍ରାହୀ): ସମଗ୍ର ଜୀବନ ହିଁ ଯୋଗ । ଜୀବନକୁ ଭଲ ପାଇବା ସହିତ କର୍ମ ଓ ଶିକ୍ଷାର୍ଜନ ରହିଲେ ସମାଜର ଦୁଃଖ ଦୂର ହୋଇପାରିବ । ସମର୍ପିତ କର୍ମ ମାଧ୍ୟମରେ ଜଣେ ଭଗବାନଙ୍କର ନିକଟତର ହୋଇଥାଏ ବୋଲି ତିହିଡି ବ୍ଲକ କୋହ୍ଲ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବର ଉଦ୍ଘାଟନ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ମାତୃଭକ୍ତ ଶରତ କୁମାର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଶତାୟୁ ପୁରୁଷ ସାହିତି୍ୟକ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଙ୍ଗଠନର ମୁଖ୍ୟ ଲକ୍ଷ୍ମୀଧର ପାଗଳ, ସହମୁଖ୍ୟ ପ୍ରଦୀପ କୁମାର ଜେନା, ମାତୃଭକ୍ତ ଶାନ୍ତନୁ କୁମାର ଦାସ, ନବଜୀବନ ଶିକ୍ଷା ସଂସଦର ଜିଲା ସଂଯୋଜକ ନାରାୟଣ ଅଗସ୍ତୀ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍କୁଲର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷକ ଅଜୟ କୁମାର ପତି ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ପାର୍ଥସାରଥି ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ । ସକାଳେ ମାତୃ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡ. ଗୋଲକ ବିହାରୀ ସାହୁ, ମେନେଜିଂ ଟ୍ରଷ୍ଟି ହରିହର ସେନାପତି, ନୃସିଂହ ଚରଣ ମହାପାତ୍ର, ବିଷ୍ଣୁ ମୋହନ ନାୟକ, ସଞ୍ଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।