Odisha news

ସ୍କୁଲ ଘର ପାଲଟିଛି କଣ୍ଟ୍ରୋଲ ଦୋକାନ, ବିଇଓଙ୍କ ଠାରେ ଫେରାଦ ହେଲେ ଗ୍ରାମବାସୀ

ତିହିଡି,୨୯/୦୬: ତିହିଡି ବ୍ଲକ ଅନ୍ତର୍ଗତ ବାରସର ପଞ୍ଚାୟତର ତଳଦପା ଗାଁ ପ୍ରାଥମିକ ସ୍କୁଲରେ ଖାଉଟି ସାମଗ୍ରୀ ମହଜୁଦ କରି ରଖାଯିବା ସହିତ ଲୋକଙ୍କୁ ବଣ୍ଟନ କରାଯାଉଥିବା ନେଇ ଗ୍ରାମବାସୀ ବିଇଓଙ୍କ ଠାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ତଳଦପା ଗାଁରେ ଥିବା ପ୍ରାଥମିକ ସ୍କୁଲ ଶ୍ରେଣୀ ଗୃହରେ ବର୍ଷାଧିକ କାଳ ହେଲା ସରକାରଙ୍କ ଖାଉଟି ସାମଗ୍ରୀ ମହଜୁଦ କରି ରଖାଯିବା ସହିତ ଲୋକଙ୍କୁ ବଣ୍ଟନ କରାଯାଉଛି । ତେବେ ବାରମ୍ବାର ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଉଥିଲେ ମଧ୍ୟ ରିଟେଲର ଜଣଙ୍କ ଏହାକୁ ବେଖାତିର କରୁଛନ୍ତି ।

ସବୁଠାରୁ ବଡକଥା ହେଉଛି ସ୍କୁଲ ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଏଭଳି କାର୍ଯ୍ୟ ଲାଗି ତାଙ୍କୁ କିଭଳି ଅନୁମତି ପ୍ରଦାନ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିନେଇ ହରିହର ମଳିକ, ଚନ୍ଦ୍ରମଣି ମଳିକ, ଅଭିରାମ ମଳିକ, ରଞ୍ଜନ ମଳିକ, ଲିଟୁ ମଳିକ, ରତ୍ନାକର ମଳିକ,ସୁଧାକର ମଳିକ, ଚିନ୍ତାମଣି ମଳିକ, ବିଜୟ ମଳିକ, ଟୁକୁନା ମଳିକ, ନିଶାକର ମଳିକ, ବଳଦେବ ମଳିକ, ମୋତି ମଳିକ, ବିଷ୍ଣୁମୋହନ ମଳିକ, ସୁକାନ୍ତି ମଳିକ ପ୍ରମୁଖ ସୋମବାର ପୂର୍ବାହ୍ଣରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି ଏଥିନେଇ ଅଭିଯୋଗ କରିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଲାଗି ଉଦ୍ଦିଷ୍ଟ ସ୍କୁଲ ଗୃହ ଏବେ କଣ୍ଟୋ୍ରଲ ଦୋକାନ ହୋଇଥିବା କାରଣରୁ ସ୍କୁଲର ମର୍ଯ୍ୟାଦା ହାନୀ ହେଉଥିବା ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

Comments are closed.